ପରକୀୟା ପ୍ରୀତି ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ! କହିଲେ ଅପରାଧ ନୁହେଁ ବ୍ୟଭିଚାର, ଆଇପିସି ଧାରା ୪୯୭ ଅସାମ୍ବିଧାନିକ

118

କନକ ବ୍ୟୁରୋ : ବିବାହ ବାହାରେ ଯଦି ବିବାହିତ ପୁରୁଷ ଓ ଅନ୍ୟ ଜଣେ ବିବାହିତ ମହିଳା ସହ ସଂପର୍କ ରଖନ୍ତି, ତେବେ ଏହା ଆଉ ଅପରାଧ ହେବନାହିଁ । ପରକୀୟା ପ୍ରୀତିକୁ ଅପରାଧ ମୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଆଇପିସିର ଧାରା ୪୯୭କୁ ଅବୈଧ ଘୋଷଣା କରାଯାଇଛି । ସର୍ବୋଚ୍ଚ ନ୍ୟାୟାଳୟର ରାୟ ପରେ ବ୍ୟଭିଚାର ବିରୋଧୀ ଆଇନ ଭାବେ ପରିଚିତ ଧାରା ୪୯୭ର ସାମ୍ବିଧାନିକ ବୈଧତା ନେଇ ଯେଉଁ ଘମାଘୋଟ ବିତର୍କ ଚାଲିଥିଲା, ତା’ର ଅବସାନ ଘଟିଛି ।

ଏଣିକି ପରକୀୟା ପ୍ରୀତି ଅପରାଧ ଭାବେ ଗଣାଯିବନାହିଁ । ଅର୍ଥାତ ଜଣେ ବିବାହିତ ପୁରୁଷ ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଲେ ଏହା ଅପରାଧ ନୁହେଁ । ଯେଉଁ ଆଇପିସିର ଧାରା ୪୯୭ରେ ଏହାକୁ ଅପରାଧଭୁକ୍ତ କରାଯାଇଥିଲା, ତାହାକୁ ଅବୈଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ବ୍ୟଭିଚାରକୁ ଅପରାଧ ମୁକ୍ତ କଲେ ଏହା ବୈବାହିକ ଅନୁଷ୍ଠାନକୁ ପ୍ରଭାବିତ କରିବ ବୋଲି ଯୁକ୍ତି ବାଢିଥିଲେ କେନ୍ଦ୍ର ସରକାର, ଯାହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟର ଐତିହାସିକ ରାୟ ପରେ ୧୫୮ ବର୍ଷ ତଳର ବ୍ରିଟିଶ ଆଇନ ରଦ୍ଦ ହୋଇଯାଇଛି ।

ପ୍ରଧାନ ବିଚାରପତି ଦୀପକ ମିଶ୍ର , ଜଷ୍ଟିସ ଆର. ଏଫ ନରିମାନ, ଜଷ୍ଟିସ ଏ.ଏମ ଖାନୱିଲକର, ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରାଙ୍କ ଖଣ୍ଡପୀଠ ବ୍ୟଭିଚାରକୁ ଅପରାଧ ମୁକ୍ତ କରିଛନ୍ତି । ଆଇପିସି ଧାରା ୪୯୭ରେ ବ୍ୟଭିଚାରକୁ ଅପରାଧ ତାଲିକାଭୁକ୍ତ କରାଯାଇଥିଲା ଏବଂ ସିଆରପିସି ୧୯୮ରେ ଏଥିପାଇଁ ଦଣ୍ଡ ବିଧାନ ବ୍ୟବସ୍ଥା ଥିଲା । ଏହି ଦୁଇଟି ଧାରାକୁ ଅସିଦ୍ଧ ଘୋଷଣା କରିଛନ୍ତି ଖଣ୍ଡପୀଠ ।

ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି, ପରକୀୟା ପ୍ରୀତି ବା ବ୍ୟଭିଚାର ଛାଡପତ୍ର ପାଇଁ ଆଧାର ହୋଇପାରେ କିନ୍ତୁ ଅପରାଧ ନୁହେଁ । ଜଷ୍ଟିସ ଦୀପକ ମିଶ୍ର ଏବଂ ଖାନୱିଲକର କହିଛନ୍ତି ଯଦି ବ୍ୟଭିଚାର କାରଣରୁ ପତି କିମ୍ବା ପତ୍ନୀ ଆତ୍ମହତ୍ୟା କରନ୍ତି, ଆଉ ଏହାର ପ୍ରମାଣ ଥାଏ, ତେବେ ଆତ୍ମହତ୍ୟା ପାଇଁ ଉସକାଇବା ମାମଲାରେ ଏହା ଅନ୍ତର୍ଭୁକ୍ତ ହେବ । ସେହିଭଳି ବିଚାରପତି ଇନ୍ଦୁ ମଲହୋତ୍ରା କହିଛନ୍ତି ଧାରା ୪୯୭ ସାମ୍ବିଧାନିକ ନୁହେଁ ।

କ’ଣ ଥିଲା ଆଇପିସି ଧାରା ୪୯୭ରେ
– ପରକୀୟା ସଂପର୍କ ଥିଲା ଅପରାଧ
– ପୁରୁଷଙ୍କୁ ୫ ବର୍ଷ ଜେଲ ବ୍ୟବସ୍ଥା ଥିବା ବେଳେ ସମାନ ଭୁଲ କରିଥିବା ମହିଳାଙ୍କ ବିରୋଧରେ ଦଣ୍ଡ ବ୍ୟବସ୍ଥା ନଥିଲା
– କାରଣ, ମହିଳାଙ୍କୁ ସ୍ୱାମୀଙ୍କ ସଂପତି ଭାବେ ବିବେଚନା କରାଯାଉଥିବାରୁ ଏପରି ଆଇନ ହୋଇଥଲା ।
ସୁପ୍ରିମକୋର୍ଟ କହିଛନ୍ତି
ଆଇନ ଆଗରେ ଉଭୟ ମହିଳା ଓ ପୁରୁଷ ସମାନ
ପତ୍ନୀଙ୍କ ମାଲିକ ନୁହଁନ୍ତି ପତି
ମହିଳାଙ୍କ ଗାରିମା ସବୁଠୁ ଉପରେ
ଧାରା-୪୯୭ ମହିଳାଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରୁଛି
ମହିଳାଙ୍କ ସହ ଖରାପ ବ୍ୟବହାର ଅସାମ୍ବିଧାନିକ କହିବା ସହ ସ୍ତ୍ରୀଙ୍କୁ ଅସମ୍ମାନ କରିବାର ଅଧିକାର ସ୍ୱାମୀଙ୍କର ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।