ମିଳିବନି ଅଚଳ ନୋଟ୍ ଜମା କରିବାର ସୁଯୋଗ

3

କନକ ବ୍ୟୁରୋ: ଯେଉଁ ମହତ ଉଦ୍ଦେଶ୍ୟ ନେଇ ବିମୁଦ୍ରାକରଣ ଘୋଷଣା କରାଯାଇଥିଲା ତାହା ବିଫଳ ହୋଇଯିବ ଯଦି ଅଚଳ ନୋଟ୍ ଜମା କରିବା ପାଇଁ ଲୋକମାନଙ୍କୁ ଆଉଥରେ ସୁଯୋଗ ପ୍ରଦାନ କରାଯିବ । ଏକଥା ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଜଣାଇ ଦେଇଛନ୍ତି ।

କଳାଧନ ଲଢ଼େଇର ଏକ ବଡ଼ ପଦକ୍ଷେପ ସ୍ୱରୂପ ଗତବର୍ଷ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଘୋଷଣା କରିଥିଲେ । ଯଥୋଚିତ କାରଣ ଯୋଗୁଁ ଯେଉଁମାନେ ଗତବର୍ଷ ଡିସେମ୍ବର ୩୧ ସୁଦ୍ଧା ଅଚଳ ନୋଟ୍ ଜମା କରିପାରିନାହାନ୍ତି ସେମାନଙ୍କୁ ଆଉ ଗୋଟିଏ ସୁଯୋଗ ପ୍ରଦାନ କରିବା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ କହିଥିଲେ । ଏହାର ଉତ୍ତରରେ ସରକାର ଜଣାଇଛନ୍ତି ଯେ ଆଉ ଥରେ ଏହି ସୁଯୋଗ ଦିଆଯାଇପାରିବ ନାହିଁ ।

ଅଚଳ ନୋଟ୍ ଜମା କରିପାରିନଥିବା ଅନେକ ଲୋକ ବିଭିନ୍ନ ଅଦାଲତରେ ମାମଲା ଦାୟର କରିଛନ୍ତି । ସୁପ୍ରିମକୋର୍ଟରେ ଦାୟର ହୋଇଥିବା ସମସ୍ତ ମାମଲାକୁ ଏକତ୍ରିତ କରି ଶୁଣାଣି କରାଯାଉଛି । ଜଣେ ଆବେଦନକାରୀ କୋର୍ଟଙ୍କୁ ଜଣାଇଛନ୍ତି ଯେ ସେ ସନ୍ତାନ ପ୍ରସବ କରିଥିବା ଯୋଗୁଁ ଅଚଳ ନୋଟ୍ ବଦଳାଇ ପାରିନଥିଲେ । ଅନ୍ୟ ଜଣେ ଆବେଦନକାରୀ ମହିଳା କୋର୍ଟଙ୍କୁ ଜଣାଇଛନ୍ତି ଯେ ତାଙ୍କ ପରିବାରରେ ଜଣଙ୍କ ମୃତ୍ୟୁ ହେବା ଯୋଗୁଁ ସେ ଅଚଳ ନୋଟ୍ ବଦଳାଇ ପାରିନାହାନ୍ତି ।

ଜୁଲାଇ ୫ରେ ହୋଇଥିବା ଶୁଣାଣି ବେଳେ ସୁପ୍ରିମକୋର୍ଟ ସରକାରଙ୍କୁ କହିଥିଲେ ଯେ ଯେଉଁମାନେ ଉଚିତ କାରଣ ଯୋଗୁଁ ଅଚଳ ନୋଟ୍ ଫେରାଇ ପାରିନାହାନ୍ତି ସେମାନଙ୍କୁ ଗୋଟିଏ ସୁଯୋଗ ମିଳିବା ଉଚିତ । ଏହା ସେମାନଙ୍କ ଟଙ୍କା । ତାହାକୁ ସରକାର ଛଡ଼ାଇ ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜେ ଏସ୍ ଖେହର ଜଣାଇଥିଲେ ।

ସରକାର କୋର୍ଟଙ୍କୁ ଜଣାଇଛନ୍ତି ଯେ ଅଚଳ ନୋଟ୍ ବଦଳାଇବା ଏବଂ ଜମା କରିବା ପାଇଁ ଲୋକମାନଙ୍କୁ ଅନେକ ସୁଯୋଗ ପ୍ରଦାନ କରାଯାଇଛି । ପେଟ୍ରୋଲ୍ ପମ୍ପଠାରୁ ଆରମ୍ଭ କରି ଡାକ ଘର ପର୍ଯ୍ୟନ୍ତ ଅନେକ ସ୍ଥାନରେ ନୋଟ୍ ବଦଳାଇବାର ସୁଯୋଗ ପ୍ରଦାନ କରାଯାଇଥିଲା । ଅଚଳ ନୋଟକୁ ଜମା କରିବାର ଆଉ ଏକ ସୁଯୋଗ ପ୍ରଦାନ କଲେ ଅନେକ ‘ବେନାମି କାରବାର’ ହେବାର ଆଶଙ୍କା ରହିଛି । ଏହା ହେଲେ କଳାଧନକୁ ହଟାଇବାର ଯେଉଁ ଉଦ୍ଦେଶ୍ୟ ରହିଥିଲା ତାହା ସଫଳ ହୋଇନପାରେ ବୋଲି କୋର୍ଟଙ୍କୁ ସରକାର ଜଣାଇଛନ୍ତି ।

Comments are closed.