କଂଗ୍ରେସକୁ ଝଟକା ! ଗୁଜୁରାଟ ରାଜ୍ୟସଭା ନିର୍ବାଚନରେ ହୋଇପାରିବ ‘ନୋଟା’ ବ୍ୟବହାର

44

କଂଗ୍ରେସକୁ ସୁପ୍ରିମକୋର୍ଟର ଝଟକା । ‘ନୋଟା’ର ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ କଂଗ୍ରେସ୍ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ଅଗଷ୍ଟ ୧୦ରେ ଗୁଜୁରାଟର ୩ଟି ରାଜ୍ୟସଭା ଆସନ ପାଇଁ ହେଉଥିବା ନିର୍ବାଚନରେ ‘ନୋଟା’ (ନନ୍ ଅଫ୍ ଦ ଏବଭ୍) ବିକଳ୍ପ ବ୍ୟବହାର ହୋଇପାରିବ । ସୁପ୍ରିମ୍ କୋର୍ଟ କହିବା ଅନୁଯାୟୀ, ନୋଟା ବିକଳ୍ପ ଏକ ସାମ୍ବିଧାନିକ ପ୍ରସଙ୍ଗ । ଏହା ଉପରେ ଅଧିକ ବିତର୍କ ହେବା ଆବଶ୍ୟକ ।

ଏହି ବିକଳ୍ପକୁ ହଟାଇବା ପାଇଁ କରିଥିବା ଆବେଦନରେ କଂଗ୍ରେସ୍ କହିଥିଲା , ‘ନୋଟା’ ବିକଳ୍ପକୁ ବ୍ୟବହାର ଅନୁମତି ଦିଆଗଲେ ତାଙ୍କ ଦଳର ବିଧାୟକମାନଙ୍କୁ ଅନ୍ୟଦଳ କିଣିନିବେ । ଯାହା ଦ୍ୱାରା ତାଙ୍କ ଦଳର ପ୍ରାର୍ଥୀ ମାନେ ପରାଜିତ ହେବେ । ତେବେ କୋର୍ଟ ଏହି ଆବେଦନକୁ ଖାରଜ କରି କହିଥିଲେ, ୨୦୧୪ରୁ ରାଜ୍ୟସଭା ନିର୍ବାଚନରେ ‘ନୋଟା’ ବିକଳ୍ପକୁ ନିର୍ବାଚନ କମିଶନ୍ ବ୍ୟବହାର କରିଆସୁଛନ୍ତି । ତେଣୁ ଏହି ବିକଳ୍ପକୁ ହଟାଇହେବ ନାହିଁ । ଅନ୍ୟପଟେ ବିଜେପି ଏହି ‘ନୋଟା’ ବିକଳ୍ପକୁ ସମର୍ଥନ କରୁଥିବା ବେଳେ କେବଳ କଂଗ୍ରେସ୍ ପକ୍ଷରୁ ବିରୋଧ କରାଯାଉଛି ।

ଅନ୍ୟପଟେ ଏହି ନିର୍ବାଚନରେ କଂଗ୍ରେସ୍ ନେତା ଅହମ୍ମଦ ପଟେଲଙ୍କ ନାଁ ଆସିବା ପରେ ସରଗରମ ହୋଇଛି ଗୁଜୁରାଟ ରାଜନୀତି । ବିଜେପିକୁ ଘାରିଛି ଗାନ୍ଧୀ ପରିବାରର ଏହି କ୍ଷମତାଶାଳୀ ନେତାଙ୍କ ଭୟ । ଅଭିଯୋଗ ହୋଇଛି ବିଜେପିର ପ୍ରଲୋଭନରେ ଜଣକ ପରେ ଜଣେ କଂଗ୍ରେସ୍ ନେତା ଇସ୍ତଫା ଦେଉଛନ୍ତି । ତେଣୁ ଭୟରେ ଅନ୍ୟ ନେତାମାନଙ୍କୁ ଦୂର ସ୍ଥାନକୁ ପଠାଇ ଦେଇଛି କଂଗ୍ରେସ୍ । ଯାହା ଏବେ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।