ଏଣିକି ପ୍ରେମର ପ୍ରତୀକ ତାଜମହଲରେ ହୋଇପାରିବନି ନମାଜ ପାଠ ! ରାୟ ଶୁଣାଇଲେ ସୁପ୍ରିମକୋର୍ଟ

53

କନକ ବ୍ରୁରୋ : ପ୍ରେମର ପ୍ରତୀକ ତାଜମହଲରେ ଏଣିକି ହୋଇପାରିବନି ନମାଜ ପାଠ । ଏକ ଆବେଦନର ବିଚାର କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ବିଶ୍ୱର ସପ୍ତାଶ୍ଚର୍ଯ୍ୟ ଭିତରେ ରହିଛି ତାଜମହଲ । ତେଣୁ ଏଠି ନମାଜ ପାଠ କରାଯାଇପାରିବନି । ଅନ୍ୟ କୌଣସି ସ୍ଥାନରେ ନମାଜ ପାଠ କରିବାକୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତାଜମହଲରେ ନମାଜ ପାଠ କରିବା ପାଇଁ କେତେକ ସ୍ଥାନୀୟ ଲୋକ ଅନୁମତି ଦେବାକୁ କୋର୍ଟରେ ଆବେଦନ କରିଥିଲେ । ଏପରିକି ସେମାନଙ୍କ ସହ ଅନ୍ୟମାନଙ୍କୁ ମଧ୍ୟ ନମାଜ ପାଠ କରିବା ପାଇଁ ଅନୁମତି ଦେବାକୁ ଆବେଦନ କରିଥିଲେ ଆବେଦନକାରୀ । ତେବେ ତାଜମହଲରେ ନମାଜ ପାଠକୁ ନେଇ ପୂର୍ବରୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା ।

ସର୍ବୋଚ୍ଚ ନ୍ୟାୟଳୟ ତାଜମହଲରେ ନମାଜ ପାଠପଢା ଉପରେ ରୋକ ଲଗାଇଛନ୍ତି । କୋର୍ଟ କହିଛନ୍ତି ଯେ, “ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ତାଜମହଲ ରହିଛି । ତେଣୁ ଆମ ମାନଙ୍କୁ ଧ୍ୟାନ ରଖିବାର ଆବଶ୍ୟକତା ରହିଛି ସେଥିଲାଗି ସେଠାରେ ନମାଜ ପଢିବା ଲାଗି ଅନୁମତି ଦିଆଯାଇ ପାରିବ ନାହିଁ” । ଏଠାରେ ଅନ୍ୟ ବହୁତ ଗୁଡିଏ ଜାଗା ରହିଛି ଯେଉଁଠାରେ ବିନା କୌଣସି ବାଧାରେ ନମାଜ ପଢାଯାଇ ପାରିବ । ତେବେ ଅଲଗା ଯାଗାରେ ଯଦି ପଢାଯାଇ ପାରିବ ତେବେ ଏଠାରେ ପଢିବାର କଣ ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି ।

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ପକ୍ଷରୁ ନମାଜ ପାଠ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ୨୦୧୭ ମସିହା ଅକ୍ଟୋବୋର ମାସରେ କୋର୍ଟରେ ଆବେଦନ କରିଥିଲେ । ସଂଘ ପକ୍ଷରୁ କୁହାଯାଇଥିଲା ଯେ, ତାଜମହଲ ଭାରତର ଏକ ଦର୍ଶନୀୟ ସ୍ଥାନ । ତେଣୁ ଏଠାକୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ବୁଲିବାକୁ ଆସୁଛନ୍ତି । ଏହି ସ୍ଥାନକୁ ମୁସଲମାନମାନଙ୍କୁ ନିଜର ଧର୍ମସ୍ଥଳୀ ଭାବିବା ପାଇଁ କିପରି ଅନୁମତି ଦିଆଯାଇଛି ବୋଲି ପ୍ରଶ୍ନ କରାଯାଇଥିଲା । ତେଣୁ ସେବେଠାରୁ ହିଁ ଏହା ଉପରେ ବିଚାର କରାଯାଉ ଥିବା ଜଣାପଡିଛି । ସଂଘ ପକ୍ଷରୁ ତାଙ୍କର ଯୁକ୍ତି ଥିଲା ଯଦି ଏଠାରେ ମୁସଲମାନଙ୍କୁ ନମାଜ ପଢିବା ଲାଗି ସୁଯୋଗ ଦିଆଯିବ ତେବେ ହିନ୍ଦୁମାନଙ୍କୁ ଶିବଚାଳିଶା ପଢିବା ଲାଗି ମଧ୍ୟ ସୁଯୋଗ ଦିଆଯାଉ ।

ପୂର୍ବରୁ ପ୍ରତ୍ୟେକ ଶୁକ୍ରବାର କିଛି ଲୋକ ତାଜମହଲରେ ନମାଜ ପାଠ କରୁଥିଲେ । ତେଣୁ ଅନ୍ୟ ଦିନରେ ସେଠାରେ ହିନ୍ଦୁ ମାନଙ୍କୁ ଶିବ ଚାଳିସା ପଢିବାରେ କୌଣସି ଅସୁବିଧା ନାହିଁ ବୋଲି ସଂଘ କହିଥିଲା । ଏହାସହ ତାଜମହଲ ଏକ ହିନ୍ଦୁ ମନ୍ଦିର ଉପରେ ନିର୍ମାଣ କରାଯାଇଛି ଓ ଜଣେ ହିନ୍ଦୁ ରାଜା ହିଁ ଏହାର ନର୍ମାଣ କରାଇଥିବା କେହି କେହି କୁହନ୍ତି ବୋଲି ସଂଘ କହିଛି । ପୂର୍ବରୁ ସଂଘର କର୍ମକର୍ତ୍ତାମାନେ ସେଠାରେ ଶିବଚାଳିସା ପଢିବା ଲାଗି ଚେଷ୍ଟା କରିଥିଲେ କିନ୍ତୁ ସେଠାରେ ସୁରକ୍ଷା ଲାଗି ମୁତୟନ ହୋଇଥିବା ଯବାନ ମାନେ ସେମାନଙ୍କୁ ସେଠାରୁ ଉଠାଇ ଦେଇଥିଲେ । ତେବେ ରାୟ ଆସିବା ପରେ ସଂଘ ଏହାକୁ ସ୍ୱାଗତ କରିଛି ।