୫ବର୍ଷ ପରେ ନିର୍ଭୟାକୁ ମିଳିଲା ନ୍ୟାୟ ! ବହୁଚର୍ଚ୍ଚିତ ଗଣବଳାତ୍କାର ମାମଲାରେ ହାଇକୋର୍ଟଙ୍କ ଫାଶୀ ଦଣ୍ଡାଦେଶକୁ କାୟମ ରଖିଲେ ସୁପ୍ରିମକୋର୍ଟ

38

କନକ ବ୍ୟୁରୋ : ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଏହି ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ୨୦୧୨ ଡିସେମ୍ବର ୧୬ ରାରିଖରେ ଦିଲ୍ଲୀରେ ଯେଉଁଭଳି ଜଣେ ୨୩ ବର୍ଷୀୟ ପାରାମେଡିକାଲ ଛାତ୍ରୀଙ୍କୁ ଗଣବଳାତ୍କାର ପରେ ଅତି ନିର୍ମମ ଭାବେ ହତ୍ୟା କରାଗଲା, ସେଥିପାଇଁ ଦେଶର ଆଇନ ବ୍ୟବସ୍ଥାରେ ଥିବା ସର୍ବାଧିକ ଦଣ୍ଡାଦେଶ କରିଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟ କହିଛନ୍ତି, -‘ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା କାଣ୍ଡ ଏକ ବିରଳରୁ ବିରଳତମ ଘଟଣା ଓ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଆମେ ସର୍ବାଧିକ ଦଣ୍ଡାଦେଶ କରିବାକୁ ବାଧ୍ୟ’ । ‘ଦୋଷୀମାନେ ବିଭତ୍ସ, ବର୍ବର ଓ ରାକ୍ଷସ ଭଳି କାଣ୍ଡ କରିଛନ୍ତି, ଯାହା ମାନବିକତା ପ୍ରତି ଶକ୍ତ ଧକ୍କା ଏବଂ ସେମାନଙ୍କ ପ୍ରତି କୌଣସି ପ୍ରକାର ଦୟା ପ୍ରଦର୍ଶନ କରାଯାଇ ପାରିବ ନାହିଁ’ ।

ସେହିପରି ଦିଲ୍ଲୀ ପୋଲିସକୁ ପ୍ରଂଶସା କରିଛନ୍ତି କୋର୍ଟ । ‘ଏହି ମାମଲାରେ ଦିଲ୍ଲୀ ପୋଲିସ କରିଥିବା ତଦନ୍ତ ନିରପେକ୍ଷ ଏବଂ ଭରସା ଯୋଗ୍ୟ । ପୀଡିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ସହ ମେଡିକାଲ ରିପୋର୍ଟ ଓ ଅନ୍ୟାନ୍ୟ ପ୍ରମାଣକୁ କୋର୍ଟ ବିଶ୍ୱାସକୁ ନେଉଛନ୍ତି ।
୫ବର୍ଷ ପରେ ନିର୍ଭୟାଙ୍କୁ ମିଳିଛି ନ୍ୟାୟ । ୨୦୧୨ରେ ପାରାମେଡିକାଲ ଛାତ୍ରୀଙ୍କୁ ଚଳନ୍ତା ବସରେ ଗଣବଳାତ୍କାର କରିଥିଲେ ୬ଜଣ । ଧର୍ଷଣ ପରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ସମ୍ବେଦନଶୀଳ ଅଙ୍ଗରେ ଲୁହାରଡ ଭର୍ତି କରି ନିଜ ରାକ୍ଷସ ପଣିଆର ପରିଚୟ ଦେଇଥିଲେ । ଘଟଣାର ୧୩ ଦିନ ପରେ ସିଙ୍ଗାପୁରରେ ଆଖି ବୁଜିଥିଲେ ପୀଡିତା । ଏଭଳି ଘୃଣିତ ଘଟଣାକୁ ନେଇ ସାରା ଦେଶରେ ହେଲା ତୁମ୍ବିତୋଫାନ । ଦେଶରେ ନାରୀ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ।

ଘଟଣାରେ ସଂପୃକ୍ତ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ, ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଜେଲରେ ଆତ୍ମହତ୍ୟା କରିଥିଲେ ବସର ଡ୍ରାଇଭର । ୨୦୧୩ ମାର୍ଚ୍ଚରେ ତିହାର ଜେଲରେ ବେକରେ ଫାଶୀ ଲଗାଇ ଝୁଲି ପଡିଥିଲେ ରାମ ସିଂ । ସେହିପରି ଅନ୍ୟ ଜଣେ ନାବାଳକ ଅଭିଯୁକ୍ତକୁ ସୁଧାରଗୃହରେ ୩ବର୍ଷ ରଖିବା ପରେ ଛାଡିଦିଆଯାଇଛି ।

ଆଉ ଅନ୍ୟ ୪ ଅଭିଯୁକ୍ତଙ୍କୁ ଦିଲ୍ଲୀ ହାଇେକୋର୍ଟ ଫାଶୀ ଦଣ୍ଡାଦେଶ କରିଥିବାବେଳେ ଏହାକୁ ସେମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହେଲେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।