ସୁପ୍ରିମକୋର୍ଟଙ୍କ ଗୁଗଲିରେ ଆଶୀର୍ବାଦ ବୋଲଡ୍ ! ୧୬ବର୍ଷ ଧରି ଜାବୁଡି ରଖିଥିବା ଓସିଏର ସଂପାଦକ ଛାଡିଲେ ପଦ

23

କନକ ବ୍ୟୁରୋ : ଓସିଏରୁ ଆଉଟ୍ ହେଲେ ଆଶୀର୍ବାଦ । ସୁପ୍ରିମକୋର୍ଟଙ୍କ ଗୁଗଲିରେ ବୋଲ୍ଡ ହୋଇଛନ୍ତି ଏହି ଟପ୍ ଆଡମିନିଷ୍ଟ୍ରେଟର୍ । ଦୀର୍ଘ ୧୬ ବର୍ଷ ଧରି ଓସିଏ ସଂପାଦକ ପଦରେ ବସିଥିଲେ, ହେଲେ ଲୋଧା କମିଟିର ସୁପାରିଶ ଆଉ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ସବୁକିଛି ବିଗାଡି ଦେଇଛି । ଆଶୀର୍ବାଦଙ୍କ ଅଙ୍କ ଭୁଲ ହୋଇଯାଇଛି । ଓସିଏର ୧୮ ଜଣ ଅଫିସ ବିୟରର୍ ନିଜ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ତାଲିକାରେ ସାମିଲ ଅଛନ୍ତି ସଭାପତି ରଂଜୀବ ବିଶ୍ୱାଳ ।

ଏବେ ଓଡିଶା କ୍ରିକେଟରେ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ୨୦୧୭ରେ ଓଡିଶା କ୍ରିକେଟ ଆସୋସିଏସନର ନିର୍ବାଚନ ହେବାକୁ ଥିବା ବେଳେ ସ୍ଥାନୀୟ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଅସ୍ଥାୟୀ ଭାବେ ଓସିଏର ପରିଚାଳନା ଦାୟିତ୍ୱ ଦିଆଯାଇଛି ।

ଓଡିଶା କ୍ରିକେଟ ଆସୋସିଏସନକୁ ୨୦୦୦ ମସିହାରେ ଏଂଟ୍ରୀ କରଥିଲେ ଆଶୀର୍ବାଦ । ବାସ୍, ତା ପରେ ପୁରା କ୍ରିକେଟକୁ ନିଅନ୍ତି ନିଜ ନିୟନ୍ତ୍ରଣକୁ । ୪ ଥର ଲଗାତର ଭାବେ ଓସିଏ ସଂପାଦକ ରୂପେ ଦାୟିତ୍ୱ ତୁଲାନ୍ତି । ଦୁଇଥର ନିର୍ବାଚନକୁ ସାମ୍ନା କରନ୍ତି ଆଉ ତାପରେ ବିନା ପ୍ରତିଦ୍ୱନ୍ଦ୍ୱୀତାରେ । ୨୦୦୦ ରୁ ୨୦୦୪ ଯାଏଁ ଆଶୀର୍ବାଦଙ୍କ ବିରୋଧରେ ଲଢି ପରାଜିତ ହୁଅନ୍ତି ଲଳିତେନ୍ଦୁ ମହାପାତ୍ର ଓ ପ୍ରତାପ ଶତପଥୀ । ସେହିଭଳି ଦ୍ୱିତୀୟ ଥର ପ୍ରତିପକ୍ଷ ଆନନ୍ଦ ନାୟକଙ୍କୁ ସେ ମାତ ଦିଅନ୍ତି ।

୨୦୦୮ ଓ ୨୦୧୨ରେ ଆଶୀର୍ବାଦଙ୍କ ସାମ୍ନାରେ କେହି ପ୍ରତିଦ୍ୱନ୍ଦ୍ୱୀ ନଥିଲେ । କୁହାଯାଏ, ତାଙ୍କ ଗୋଟିଚାଳନା ଏତେ ଜବରଦସ୍ତ ଯେ ଗଣିିତ ଅନ୍ୟ କେହି ବୁଝିପାରନ୍ତିନି । ଏପରିକି ରାଜ୍ୟରେ ଏକଦା ରାଜ୍ୟ ରାଜନୀତିର ଚାଣକ୍ୟ ବୋଲାଯାଉଥିବା ପ୍ୟାରୀଙ୍କ ଗୋଟିଚାଳନା ବି ଆଶୀର୍ବାଦଙ୍କ ବିପକ୍ଷରେ ଫେଲ ମାରିଥିଲା । ଓସିଏ ସହ ଅନୁବନ୍ଧିତ ସଂଗଠନର କର୍ମକର୍ତାଙ୍କୁ ଅନୁକଂପା ଦେଇ ଓ ସହଯୋଗର ହାତ ବଢାଇ ଭୋଟ ହାତେଇବାରେ ସେ ଥିଲେ ମାହିର । ସମୟକ୍ରମେ ଓଡିଶା କ୍ରିକେଟରେ ଆଶୀର୍ବାଦ ପାଲଟିଗଲେ ସର୍ବେସର୍ବା ।

ନିର୍ବାଚନରେ କେବେ ହାରିନଥିବା ଆଶୀର୍ବାଦ ଶେଷରେ ସୁପ୍ରିମକୋର୍ଟରୁ ପାଇଲେ ଝଟକା । ତେବେ ଆଶୀର୍ବାଦଙ୍କ ଏହି ନାଟକୀୟ ବିଦାୟ ସହ ଭାରତ-ଇଂଲଣ୍ଡ ଦିନିକିଆ ସିରିଜର କଟକ ମ୍ୟାଚ ବି ଆସିଛି ସନ୍ଦେହ ଘେରକୁ । ବାରବାଟୀରେ ମ୍ୟାଚ ଆୟୋଜନ ହେବା ନେଇ ଆଶଙ୍କା । ଏପରିକି ସିରିଜ ମଧ୍ୟ ବାତିଲ ହୋଇପାରେ । ତେବେ ମ୍ୟାଚ ପରିଚାଳନା ପାଇଁ ଦାୟିତ୍ୱ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଉପରେ ନ୍ୟସ୍ତ ହୋଇଛି ।

ପୂର୍ବରୁ ଓଡିଶା ଅଲିମ୍ପିକ୍ସ ଆସୋସିଏନ ବାବଦରେ ଝଟକା ପାଇଥିବା ଆଶୀର୍ବାଦ ଏବେ ଓସିଏରୁ ବି ହଟିଲେ । ବିସିସିଆଇ ସମେତ ରାଜ୍ୟ ସ୍ତରର କ୍ରିକେଟ ସଂଗଠନ ଉପରେ ଲୋଧା କମିଟିର ପଡିଛି ବଡ ପ୍ରଭାବ । ତେବେ କୁହାଯାଉଛି, ନିଜ ପୁଅଙ୍କୁ ଥଇଥାନ କରିବାକୁ ପୁଣି ଗୋଟି ଚଳାଇବାରେ ବ୍ୟସ୍ତ ଆଶୀର୍ବାଦ ।