ବ୍ଲକ୍‌ ଗ୍ରାଣ୍ଟ୍‌ ଶିକ୍ଷକ ଓ ଅଧ୍ୟାପକଙ୍କ ବର୍ଦ୍ଧିତ ଦରମା: ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ କୋର୍ଟ

19

କନକ ବ୍ୟୁରୋ : ଓଡ଼ିଶାର ବ୍ଲକ୍‌ ଗ୍ରାଣ୍ଟ୍‌ ଶିକ୍ଷକ ଓ ଅଧ୍ୟାପକମାନଙ୍କ ମାମଲାର ଶୁଣାଣି କରି କେଉଁ ଆଧାରରେ ବର୍ଦ୍ଧିତ ଦରମା ଦିଆଯିବ ସେ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠରେ ବ୍ଲକ୍‌ ଗ୍ରାଣ୍ଟ୍‌ ଶିକ୍ଷକ ଓ ଅଧ୍ୟାପକମାନଙ୍କ ସମାନ ଦରମା ପ୍ରଦାନ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକାଧିକ ମାମଲାର ଶୁଣାଣି ହୋଇଥିଲା।

ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ ଓକିଲ ତଥା ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବ୍ଲକ୍‌ ଗ୍ରାଣ୍ଟ୍‌ ଶିକ୍ଷକ ଓ ଅଧ୍ୟାପକମାନଙ୍କୁ ଜାନୁଆରୀ ୧, ୨୦୧୮ରୁ ରାଜ୍ୟ ସରକାର ବର୍ଦ୍ଧିତ ହାରରେ ଦରମା ପ୍ରଦାନ କରିବା ପ୍ରସ୍ତାବ ରହିଥିବାରୁ ଆବେଦନକାରୀମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ମାମଲା ଗୁଡ଼ିକୁ ଖାରଜ କରିବାପାଇଁ ଯୁକ୍ତି ବାଢିଥିଲେ। ଅପରପକ୍ଷେ ଆବେଦନକାରୀମାନଙ୍କୁ ୧୯୯୪ରୁ ବକେୟା ରାଶି ସହିତ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ସହ ସମାନ ଦରମା ଦେବାପାଇଁ ଯୁକ୍ତି ଉପସ୍ଥାପନା ହୋଇଥିଲା। ବ୍ଲକ୍‌ ଗ୍ରାଣ୍ଟ୍‌ ପୂର୍ଣ୍ଣ ଦରମା ମାମଲାରେ ଶୁଣାଣି କରି ସୁପ୍ରିମ କୋର୍ଟ କହିଥିଲେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ବର୍ଦ୍ଧିତ ଦରମା ସରକାରୀ ଅଧ୍ୟାପକଙ୍କ ଦରମା ସହ ସମାନ କି ନାହିଁ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଉତ୍ତର ଦେବାକୁ ପଡ଼ିବ। ଯଦି ସମାନ ନାହିଁ ତେବେ କାହିଁକି ନାହିଁ ଏହାର ମଧ୍ୟ ଉତ୍ତର ରାଜ୍ୟ ସରକାରଙ୍କୁ ଦେବାକୁ ହେବ ବୋଲି ସୁପ୍ରିମ କୋର୍ଟ କହିଥିଲେ।

ଏହା ସହିତ ବର୍ଦ୍ଧିତ ଦରମାରେ ସମସ୍ତ ସରକାରୀ ସୁବିଧା ପ୍ରଦାନ କରାଯିବ କି ନାହିଁ ସେ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଉତ୍ତର ଦେବାପାଇଁ ସୁପ୍ରିମ କୋର୍ଟ କହିଛନ୍ତି। ଶୁଣାଣି ସମୟରେ ସୁପ୍ରିମ କୋର୍ଟ ଆବେଦନକାରୀମାନଙ୍କ ଦ୍ୱାରା ଏରିୟର ପ୍ରଦାନ କରାଯିବା ଦାବି ସମ୍ପର୍କରେ ଟିପ୍ପଣୀ ଦେଇ କହିଥିଲେ କେହି ମଧ୍ୟ ରାଜ୍ୟ ସରକାରଙ୍କୁ ଏରିୟର ପ୍ରଦାନ କରିବାପାଇଁ ବାଧ୍ୟ କରିପାରିବେନି। ଯଦି ବର୍ଦ୍ଧିତ ଦରମା ଜାନୁଆରୀ ୧, ୨୦୧୮ରୁ ଦିଆଯାଏ ତାହେଲେ ରାଜ୍ୟ ରାଜକୋଷରୁ ପ୍ରତ୍ୟେକ ବର୍ଷ ୧୦୦୦ କୋଟି ଟଙ୍କାର ଅତିରିକ୍ତ ରାଶିର ବୋଝ ପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ କୁହାଯାଇଥିଲା। ସୂଚନାଯୋଗ୍ୟ ସୁପ୍ରିମକୋର୍ଟର ପୂର୍ବନିର୍ଦ୍ଦେଶ ଅନୁସାରେ କୋର୍ଟ ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକମାନଙ୍କୁ ପୂର୍ଣ୍ଣ ଦରମା ଦେବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପରେ ୧୩୦୦ କଲେଜର ପାଖାପାଖି ୫୦୦୦ରୁ ଅଧିକ ଶିକ୍ଷକ ଓ ଅଧ୍ୟାପକମାନେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୭ରେ ହେବ।