ଶ୍ରୀମନ୍ଦିରରେ ଶୃଙ୍ଖଳା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜୋର ଧରିଲା ବିତର୍କ! ଭାଙ୍ଗିବ କି ବର୍ଷ ବର୍ଷର ପ୍ରଚଳିତ ପରମ୍ପରା, ନ୍ୟାୟିକ ଲଢ଼େଇ ପାଇଁ ସେବାୟତଙ୍କ ସଜବାଜ

41

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର, ସେବାୟତଙ୍କ କଳିରୁ ଠାକୁର ଉପାସରେ ରହିବା ଏପରିକି ରତ୍ନଭଣ୍ଡାର ଚାବି ହଜିଯିବା ପ୍ରସଙ୍ଗରେ ଭକ୍ତଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି । ଯାହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଉଥିଲେ ମଧ୍ୟ ବିଶୃଙ୍ଖଳାକୁ ରୋକିବା ଅସମ୍ଭବ ମନେହେଉଥିଲା । ହେଲେ ଶ୍ରୀମନ୍ଦିରରେ ସଂସ୍କାର ଆଣିବା ଲାଗି ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଏଥିପାଇଁ ବାଟ ଫିଟିଛି । ହେଲେ ବଂଶାନୁକ୍ରମିକ ସେବାୟତ ନିଯୁକ୍ତିକୁ ବନ୍ଦ କରିବା ଓ ଜଗନ୍ନାଥ ମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶ ଭଳି ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ବଡଧରଣର ହଲଚଲ ବି ସୃଷ୍ଟି କରିଛି ।

୨୦୧୬ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରିବିଜେ ସମୟରେ ସେବାୟତଙ୍କ ବିଶୃଙ୍ଖଳା ନେଇ ଯେଉଁ ଅଭିଯୋଗ ସାମ୍ନାକୁ ଆସିଥିଲା ତାହା ଧିରେଧିରେ ଗୁରୁତର ହୋଇଛି ସିନା କମିବାର ନାଁ ନେଉନାହିଁ । ଆଉ ଏଥିରେ ଯୋଡି ହୋଇଯାଇଛି ଦାନ ଟଙ୍କା ପାଇଁ ଭକ୍ତଙ୍କୁ ମାଡ ମାରିବା, ଠାକୁର ଉପାସରେ ରହିବା ଓ ୬୦ ପଉଠି ମଣୋହି ପାତାଳି ହେବା ଆଦି ଅନେକ ପ୍ରସଙ୍ଗ । ସାଧାରଣ ଭକ୍ତଙ୍କ ସହ ଅନେକ ପ୍ରତିଷ୍ଠିତ ବ୍ୟକ୍ତି, ଶ୍ରୀମନ୍ଦିରରେ ବିଶୃଙ୍ଖଳାକୁ ନେଇ ଖୋଲାଖୋଲି ମନ୍ତବ୍ୟ ଦେବା ପରେ ଏସବୁ ରୋକିବା ଯେମିତି ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ କ୍ଷେତ୍ରରେ ଅସମ୍ଭବ ମନେ ହେଉଥିଲା । ହେଲେ ଶ୍ରୀମନ୍ଦିରରେ ସଂପୂର୍ଣ୍ଣ ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏଦିଗରେ ସମ୍ଭାବନା ସୃଷ୍ଟି କରିଛି ।

ବଂଶାନୁକ୍ରମିକ ସେବାୟତ ନିଯୁକ୍ତିକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ଜିଲ୍ଲା ଜଜ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ସେଥିରେ ପ୍ରଥମେ ରହିଛି ଏହି ପ୍ରସ୍ତାବ । ଆଉ ଏହାକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକାରୀ କରିବାରେ ବିଶେଷ ଅସୁବିଧା ନଥିବା ସୁପ୍ରିମକୋର୍ଟ କହିଛନ୍ତି । ଏହାବାଦ
– ଆନନ୍ଦ ଆଟିକାରୁ ସେବାୟତ ଟଙ୍କା ନେବା ବନ୍ଦ
– ସେବକମାନେ ଥାଳି ରଖି ଭକ୍ତଙ୍କଠାରୁ ଦାନ ନେବା ବନ୍ଦ
– ହୁଣ୍ଡିରୁ ଦାନ ସଂଗ୍ରହ ବେଳେ ନିରିକ୍ଷଣ
– ଆକାଉଂଟ୍ସ ଜେନେରାଲଙ୍କ ଦ୍ୱାରା ମନ୍ଦିର ପାଣ୍ଠିର ଅଡିଟ
– ସେବାୟତ ଓ ମନ୍ଦିର କର୍ମଚାରୀଙ୍କ ପରିଚୟ ପତ୍ର
– ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ୧୯୫୪ରେ ସଂଶୋଧନ
ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି ପୁରୀ ଜିଲ୍ଲା ଜଜ । ମୋଟାମୋଟି କହିବାକୁ ଗଲେ ଶ୍ରୀମନ୍ଦିର ପରିଚାଳନାରେ ସଂପୂର୍ଣ୍ଣ ସଂସ୍କାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ପୂଜା ବର୍ଷବର୍ଷ ଧରି ହୋଇ ଆସୁଥିବା ବେଳେ ଏହା ବିଶ୍ୱର ଅନ୍ୟ ମନ୍ଦିର ପରମ୍ପରାଠାରୁ ଭିନ୍ନ ଓ ସ୍ୱତନ୍ତ୍ର । ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବାରେ ପ୍ରଶାସନ ଓ ସରକାରଙ୍କ ଆଗରେ ବଡ ଚ୍ୟାଲେଞ୍ଜ ରହିଛି । ଯେଉଁକଥାକୁ ଉପଲବ୍ଧି କରି ଜିଲ୍ଲା ଜଜଙ୍କ ପ୍ରସ୍ତାବକୁ ସର୍ବସାଧାରଣଙ୍କ ଆଗରେ ୨ ସପ୍ତାହ ଯାଏଁ ରଖାଯିବ ଓ କାହାରି କିଛି ଆପତି ଅଭିଯୋଗ ଥିଲେ ସେନେଇ ଜଣାଇ ପାରିବେ ବୋଲି ମଧ୍ୟ ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି ।