ଆସ୍ଥା ନାଁରେ ଆତଙ୍କ ସୃଷ୍ଟି କରୁଛନ୍ତି କି ଶିବଭକ୍ତ ? ସୁପ୍ରିମକୋର୍ଟ ଦେଖାଇଲେ କଡା ଆଭିମୁଖ୍ୟ

56

କନକ ବ୍ୟୁରୋ: ଦେଶର ବିଭିନ୍ନ ସହରରେ କାଉଡିଆଙ୍କ ଭଙ୍ଗାରୁଜା ଘଟଣାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଯେଉଁ କାଉଡିଆ ଭଙ୍ଗାରୁଜା ଘଟଣାରେ ସଂପୃôକ୍ତ କିମ୍ବା ଆଇନକୁ ନିଜ ହାତକୁ ନେଇଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଭିଡତନ୍ତ୍ର ଦ୍ୱାରା ବ୍ୟକ୍ତିଗତ ସଂପତି ନଷ୍ଟ ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କାଉଡିଆଙ୍କ ଉତ୍ପାତକୁ ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ପ୍ରଧାନ ବିଚାରପତି ଦିପକ ମିଶ୍ରଙ୍କ ଖଣ୍ଡପୀଠ ଆଗରେ ଏଜି କହିଥିଲେ ମହାରାଷ୍ଟ୍ର, ରାଜସ୍ଥାନ, ୟୁପିରେ କାଉଡିଆ ଗାଡି ଭାଙ୍ଗୁଥିବା ଭିଡିଓ ଭାଇରାଲ ହୋଇଛି । ହେଲେ ବେକାବୁ କାଉଡିଆ ଓ ଶ୍ରଦ୍ଧାଳୁଙ୍କୁ ଠିକ ଭାବେ ପୁଲିସର ନିୟନ୍ତ୍ରଣ କରିପାରି ନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ଏଜି । ଏଥିସହ ଦେଶରେ ବଢୁଥିବା ଭିଡତନ୍ତ୍ରକୁ ନେଇ ବେଣୁଗୋପାଳ କହିଥିଲେ ଶିକ୍ଷିତ ଯୁବକ ଦଙ୍ଗା କରୁଥିବା ଜଣାଯାଇଛି, ଯାହା ଏକ ସଭ୍ୟ ଦେଶରେ କେବେ ବି ବରଦାସ୍ତ କରାଯାଇ ପାରିବ ନାହିଁ ।

ଅନ୍ୟପଟେ ଭିଡତନ୍ତ୍ର ଦ୍ୱାରା ପୀଡିତ ବ୍ୟକ୍ତି ଏତଲା ନ ଦେଲେ ବି ପୁଲିସ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।