ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ସମ୍ପତି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! ନିଜ ତଥା ପରିବାରର ସମସ୍ତଙ୍କ ଆୟର ଉତ୍ସ ଦର୍ଶାଇବାକୁ ଦେଲେ ନିର୍ଦ୍ଦେଶ

23

କନକ ବ୍ୟୁରୋ: ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ । ଏଣିକି ପ୍ରାର୍ଥୀ ନିଜର ଆୟ ସମେତ ନିଜ ପରିବାର ଅନ୍ୟ ସଦସ୍ୟଙ୍କ ଆୟର ଉତ୍ସ ମଧ୍ୟ ଘୋଷଣା କରିବେ । ପ୍ରାର୍ଥୀଙ୍କ ପତ୍ନୀ ବା ସ୍ୱାମୀ ଏବଂ ନିର୍ଭରଶୀଳ ସନ୍ତାନଙ୍କ ଆୟର ଉତ୍ସ ମଧ୍ୟ ପ୍ରାର୍ଥୀ ଘୋଷଣା କରିବା ଜରୁରୀ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।

ଏକ ବେସରକାରୀ ଅନୁଷ୍ଠାନ ଲୋକ ପ୍ରହରୀ ପକ୍ଷରୁ ରୁଜୁ ହୋଇଥିବା ମାମଲାର ବିଚାର କରି କୋର୍ଟ ଏପରି ଏକ ରାୟ ପ୍ରଦାନ କରିଛନ୍ତି । ଏହି ମାମଲାକୁ ଜଷ୍ଟିସ ଜେ ଚେଲମେଶ୍ୱରଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ବିଚାର କରିଥିଲେ । ଏନଜିଓ କେବଳ ପ୍ରାର୍ଥୀ ନିଜର ସମ୍ପତି ନୁହେଁ ବରଂ ତାଙ୍କ ସମସ୍ତ ସମ୍ପର୍କୀୟଙ୍କ ସମ୍ପତି ଘୋଷଣାକୁ ବାଧ୍ୟତାମୂଳକ କରିବାକୁ ଆବେଦନ କରିଥିଲା । ଫଳରେ ତାଙ୍କର ସମ୍ପତି ଠିକ କି ନୁହେଁ ବୋଲି ଜଣାପଡିବ ବୋଲି କୁହାଯାଇଥିଲା । ପୂର୍ବରୁ କେନ୍ଦ୍ରୀୟ ଟିକସ ବୋର୍ଡ ସୁପ୍ରିମକୋର୍ଟଙ୍କୁ ୯ ଜଣ ଲୋକସଭା ସଦସ୍ୟ ଏବଂ ୯୮ ଜଣ ବିଧାୟକଙ୍କ ସମ୍ପତି ଅହେତୁକ ମାତ୍ରାରେ ବୃଦ୍ଧି ପାଇଥିବା ଜଣାଇଥିଲା ।

ଏହା ସହ ଅନ୍ୟ ସାଂସଦ ଓ ବିଧାୟକଙ୍କ ସମ୍ପତି ନେଇ ଯାଂଚ ଚାଲିଥିବା ମଧ୍ୟ ବୋର୍ଡ ଜଣାଇଛନ୍ତି । ଲକ୍ଷ୍ନୌସ୍ଥିତ ଏନଜିଓ ଲୋକ ପ୍ରହରୀ ୨୬ ଜଣ ଲୋକସଭା ସାଂସଦ, ୧୧ ଜଣ ରାଜ୍ୟ ସଭା ସାଂସଦ ଓ ୨୫୭ ଜଣ ବିଧାୟକଙ୍କ ସତ୍ୟପାଠରେ ମାତ୍ରାଧିକ ସମ୍ପତି ବୃଦ୍ଧି ପାଇଥିବାର ସୂଚନା ମିଳିଥିବା ଅଭିଯୋଗ କରିଥିଲା ।