ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ! ଇ-ଟିକେଟର ୱେଟିଂ ଲିଷ୍ଟରେ ନାଁ ଥିଲେ ମଧ୍ୟ ଯାତ୍ରୀ ମାନେ ଟ୍ରେନରେ ଯାତ୍ରା କରିପାରିବେ

30

ରେଳ ଯାତ୍ରୀଙ୍କ ପାଇଁ ଖୁସିଖବର । ଏଣିକି ରେଲୱେର ଇ-ଟିକେଟରେ ଯାତ୍ରୀଙ୍କ ନାମ ୱେଟିଂ ଲିଷ୍ଟରେ ଥିଲେ ମଧ୍ୟ ଟ୍ରେନରେ ଯାତ୍ରା କରିବାର ସୁବିଧା ପାଇପାରିବେ । ଏନେଇ ସୁପ୍ରିମକୋର୍ଟ ରେଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ରେଳବିଭାଗର ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ୱାରା କୌଣସି ଯାତ୍ରୀଙ୍କ ପାଖରେ ଇ-ଟିକେଟ ଥିବ କିନ୍ତୁ ନାମ ୱେଟିଂ ଲିଷ୍ଟରେ ଥିବ ତେବେ ତାଙ୍କୁ ଟ୍ରେନରେ ଯାତ୍ରା କରିବାକୁ ସୁଯୋଗ ମିଳିବ ।

ସୂଚନା ଅନୁସାରେ, ୨୦୧୪ରେ ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଥିଲେ, କାଉଣ୍ଟର ଟିକେଟ ଧାରୀଙ୍କ ଭଳି ଇ-ଟିକେଟରେ ୱେଟିଂ ଲିଷ୍ଟରେ ଥିବା ଯାତ୍ରୀଙ୍କ ଟିକେଟକୁ ରଦ୍ଦ କରାଯାଇପାରିବ ନାହିଁ । କିନ୍ତୁ ରେଳ ବିଭାଗ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଯାହାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟ ନିଜ ରାୟରେ ରେଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଖୁବଶୀଘ୍ର ରେଳବିଭାଗ ଏଭଳି ଏକ ସ୍କିମ ଲାଗୁ କରୁ ଯାହାଦ୍ୱାରା ଅନ୍ୟ କାହା ନାଁରେ ଟିକେଟ କରୁଥିବା ଏଜେଣ୍ଟଙ୍କ ଉପରେ ରୋକ୍ ଲଗାଯାଇ ପାରିବ ।

ରେଳବିଭାଗର ନିୟମ ଅନୁଯାୟୀ, ଇ-ଟିକେଟର ୱେଟିଂ ଲିଷ୍ଟରେ ଥିବା ଯାତ୍ରୀ ମାନଙ୍କୁ ଟ୍ରେନରେ ଯାତ୍ରା କରିବାକୁ ସୁଯୋଗ ଦିଆ ଯାଇନଥାଏ । କିନ୍ତୁ କାଉଣ୍ଟରରେ ଟିକେଟ କରିଥିବା ଯାତ୍ରୀ ମାନଙ୍କର ନାମ ୱେଟିଂ ଲିଷ୍ଟରେ ଥିଲେ ମଧ୍ୟ ଏମାନେ ଟ୍ରେନରେ ଯାତ୍ରା କରିପାରିବେ ବୋଲି ନିୟମ ରହିଛି । ତେବେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ରେଳ ବିଭାଗ ପକ୍ଷରୁ କୌଣସି ଓକିଲ ଆସିନଥିଲେ ।ଯେଉଁଥି ପାଇଁ ରେଳ ବିଭାଗର ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଏଭଳି ନିଷ୍ପତି ଯୋଗୁଁ ଦୁଇ ପ୍ରକାର ଟିକେଟକୁ ନେଇ ଦେଖା ଦେଉଥିବା ଭେଦଭାବକୁ ଦୂର କରାଯାଇ ପାରିବ ।