ସୁପ୍ରିମକୋର୍ଟ ଦେଲେ ଐତିହାସିକ ରାୟ ! ଜାଣନ୍ତୁ କେଉଁ କ୍ଷେତ୍ରରେ ଆଧାର ଲିଙ୍କ୍ ଆବଶ୍ୟକ ଓ କେଉଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ

39

କନକ ବ୍ୟୁରୋ : ସରକାରୀ ଯୋଜନା, ବ୍ୟାଙ୍କ କିମ୍ବା ମୋବାଇଲ ଫୋନ, ପ୍ରତ୍ୟେକ କ୍ଷେତ୍ରରେ ଦରକାର ପଡୁଥିବା ଆଧାରକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଉପୁଜିଥିଲା, ତାର ଅବସାନ ହୋଇଛି । ଆଧାରକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ମୋବାଇଲ୍, ବ୍ୟାଙ୍କଖାତା ଓ ସ୍କୁଲ ଆଡମିଶନରେ ଆଧାର ବାଧ୍ୟତାମୂଳକ ନୁହେଁ । ଏହା ଆସାମ୍ବିଧାନିକ । ତେବେ ପାନକାର୍ଡ ପାଇଁ ଆଧାର ଜରୁରୀ । ଏଥିସହ ଆଧାରରେ ଦିଆଯାଉଥିବା ତଥ୍ୟକୁ ଅଧିକ ସୁରକ୍ଷିତ ରଖିବାକୁ କଡା ଆଇନ ଆଣିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଆଧାର କାର୍ଡର ସାମ୍ବିଧାନିକ ବୈଧ୍ୟତା ନେଇ ସୁପ୍ରିମକୋର୍ଟଙ୍କ ବଡ ଫୈସଲା । କେତେକ ସର୍ତ ସହ ଆଧାରର ସାମ୍ବିଧାନିକ ବୈଧ୍ୟତାକୁ କାଏମ ରଖିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ୧୨ ଟିକିଆ ୟୁନିକ୍ ଆଇଡେଏନଟିଟି ନମ୍ବର ଥିବା ଆଧାର କାର୍ଡର ବୈଦ୍ଧତାକୁ କାଏମ ରଖିବା ସହ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ,
– ମୋବାଇଲରେ ଆଧାର ଲିଙ୍କ୍ ଅସାମ୍ବିଧାନିକ
– ବ୍ୟାଙ୍କ୍ ଖାତାରେ ବି ଆଧାର ଆବଶ୍ୟକ ନୁହେଁ
– ସ୍କୁଲରେ ଆଡମିଶନ୍ ପାଇଁ ଆଧାର ଦରକାର ନାହିଁ
– ୟୁଜିସି, ନିଟ୍, ସିବିଏସଇ ପାଇଁ ଆଧାର ଅନାବଶ୍ୟକ
– ଆଧାର ଦାବି କରିପାରିବେନି ଘରୋଇ କମ୍ପାନି

ଆଧାରକୁ ବିରୋଧ କରୁଥିବା ପକ୍ଷ ଯୁକ୍ତି କରିଆସୁଛନ୍ତି ଯେ, ବ୍ୟକ୍ତିର ଗୋପନୀୟତା ଅଧିକାରକୁ କ୍ଷୁର୍ଣ୍ଣ କରୁଛି ଆଧାର କାର୍ଡ । ହେଲେ କୋର୍ଟ କହିଛନ୍ତି, ଆଧାର କାର୍ଡ ବାବଦରେ ଯେତିକି ତଥ୍ୟ ନିଆଯାଉଛି, ତାଠାରୁ ଅଧିକ ଲାଭ ଗରିବ ଲୋକଙ୍କୁ ମିଳୁଛି । ତଥାପି ଆଧାରରେ ଦିଆଯାଉଥିବା ତଥ୍ୟକୁ ଅଧିକ ସୁରକ୍ଷିତ କରିବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏପରିକି ଡାଟା ଷ୍ଟୋର କରିବାର ଅବଧିକୁ କମ୍ କରିବାକୁ କହିଛନ୍ତି । ସୁପ୍ରିମକୋର୍ଟଙ୍କ ବିଚାରରେ
– ପାନକାର୍ଡ ପାଇଁ ଆଧାର ଜରୁରୀ
– ଆୟକର ଦାଖଲ ପାଇଁ ଜରୁରୀ
– ସରକାରୀ ଯୋଜନାରେ ସବସିଡ୍ ପାଇଁ ଜରୁରୀ

ଆଧାରରେ ସର୍ବନିମ୍ନ ତଥ୍ୟ ସଂଗ୍ରହ କରିବାକୁ କେନ୍ଦ୍ରକୁ ନର୍ଦ୍ଦେଶ ଦେବା ସହ ତଥ୍ୟର ସୁରକ୍ଷା ପାଇଁ ତୁରନ୍ତ କଡା ଆଇନ ଆଣିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅନୁପ୍ରବେଶକାରୀଙ୍କୁ ଯେପରି ଆଧାର କାର୍ଡ ନମିଳେ ସେନେଇ ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି । ବ୍ୟକ୍ତିର ଗୋପନୀୟତା ଅଧିକାର ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଆଧାରକୁ ଜୋରଦାର ବିରୋଧ ହୋଇଥିଲା । ପ୍ରାୟ ୩୧ଟି ମାମଲାର ଗତ ଜାନୁଆରୀ ୧୭ ତାରିଖରୁ ଏକକାଳୀନ ଶୁଣାଣି ଆରମ୍ଭ କରିଥିଲେ ସୁପ୍ରିମକୋର୍ଟଙ୍କ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ୩୮ ଦିନର ଶୁଣାଣି ପରେ ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ ।