ଶ୍ରୀମନ୍ଦିର ପରମ୍ପରାରେ ବଡ ଧରଣର ପରିବର୍ତ୍ତନର ସଂକେତ : ବଂଶାନୁକ୍ରମିକ ପରମ୍ପରା ବନ୍ଦ ପାଇଁ ପ୍ରସ୍ତାବ ଦେଲେ ପୁରୀ ଜିଲ୍ଲା ଜଜ୍

60

କନକ ବ୍ୟୁରୋ : ଶ୍ରୀମନ୍ଦିର ପରମ୍ପରାରେ ହୋଇପାରେ ବଡ ଧରଣର ପରିବର୍ତ୍ତନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଜଜ୍ କରିଥିବା ସୁପାରିଶରୁ ଏହି ସଂକେତ ମିଳିଛି । ବଂଶାନୁକ୍ରମିକ ପରମ୍ପରା ବନ୍ଦ ପାଇଁ ପ୍ରସ୍ତାବ ଦେଇଛନ୍ତି ପୁରୀ ଜିଲ୍ଲା ଜଜ୍ । ସେହିପରି ଅନ୍ନଦାନ ଆଟିକା ବସାଇ କିମ୍ବା ଥାଳି ବସାଇ ଭ୍କ୍ତଙ୍କ ଠାରୁ ଟଙ୍କା ଆଦାୟ ବନ୍ଦ କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ଏହାକୁ ବନ୍ଦ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିବା ସତ୍ୱେ ଏପରି ଟଙ୍କା ଆଦାୟ ଚାଲିଛି ବୋଲି ଜିଲ୍ଲା ଜଜ୍ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ରୋଷଘର ଓ ଚୁଲାକୁ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ନିୟନ୍ତ୍ରଣକୁ ନେବା ପାଇଁ ସୁପାରିଶ କରାଯାଇଛି । ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଜିଲ୍ଲା ଜଜ୍ ।

ହୁଣ୍ଡି ଓ ଭକ୍ତଙ୍କ ଅନ୍ୟାନ୍ୟ ଦାନ ଉପରେ ତୀକ୍ଷଣ ନଜର ରଖାଯାଉ ଏବଂ ମନ୍ଦିର ପାଣ୍ଠିକୁ ଆକାଉଂଟାଂଟ୍ ଜେନେରାଲଙ୍କ ଦ୍ୱାରା ଅଡିଟ୍ କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ଏହାସହ ସେବକ ଓ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ଦିଆଯାଉ । ଶ୍ରୀମନ୍ଦିରରେ ସୁରକ୍ଷା ପରିଚାଳନା ପାଇଁ ଏକକ ବ୍ୟବସ୍ଥା କରାଯାଉ ବୋଲି ପୁରୀ ଜିଲ୍ଲା ଜଜ୍ ପ୍ରସ୍ତାବ ଦେଇଛନ୍ତି । ଏହାଛଡ଼ା ଜଗନ୍ନାଥ ମନ୍ଦିର ଆକ୍ଟ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି ପୁରୀ ଜିଲ୍ଲା ଜଜ୍ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀ ଜିଲ୍ଲା ଜଜ ଗତ ମାସ ୨୬ ତାରିଖରେ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।

ସେପଟେ ଜିଲ୍ଲା ଜଜଙ୍କ ପରାମର୍ଶକୁ ନୀତିଗତ ଭାବେ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଏବଂ ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସ୍ପଷ୍ଟ ଭାବେ କହିଛନ୍ତି , ଭକ୍ତଙ୍କ ସମସ୍ତ ଦାନ ଓ ଦକ୍ଷିଣା ଯେଭଳି ଶ୍ରୀମନ୍ଦିର ହୁଣ୍ଡିକୁ ଯାଏ ତାହାକୁ ସୁନିଶ୍ଚିତ କର । ସେହିପରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଅଗଷ୍ଟ ୩୧ ସୁଦ୍ଧା ମଧ୍ୟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜିଲ୍ଲା ଜଜଙ୍କ ରିପୋର୍ଟକୁ ଶ୍ରୀମନ୍ଦିର ପ୍ରଶାସନ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏବଂ ସୁପ୍ରିମକୋର୍ଟଙ୍କ ୱେବସାଇଟ୍ରେ ପ୍ରକାଶ କରିବା ପାଇଁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ବନ୍ଦ ହୋଇନାହିଁ ସେବାୟତଙ୍କ ଦୌରାତ୍ମ୍ୟ । ପୁରୀ ଜିଲ୍ଲା ଜଜ୍ କୋର୍ଟରେ ରିପୋର୍ଟ ଦାଖଲ କରିବା ପରେ ପୁଣି ପୂର୍ବ ନିର୍ଦ୍ଦେଶକୁ ଦୋହରାଇଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ ଦାନ ଟଙ୍କା ପାଇଁ ଭକ୍ତଙ୍କୁ ବାଧ୍ୟ କରିପାରିବେନି ସେବାୟତ । ତେବେ ଜିଲ୍ଲା ଜଜ୍ ଯଦି ଚାହିଁବେ, ତେବେ ଅଗଷ୍ଟ ୩୧ ସୁଦ୍ଧା ଅତିରିକ୍ତ ରିପୋର୍ଟ ପ୍ରଦାନ କରିପାରିବେ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଏହାସହ ଆଜି ଶ୍ରୀମନ୍ଦିର ନେଇ ଚର୍ଚ୍ଚା ଭିତରେ ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବସିବ ସ୍ୱତନ୍ତ୍ର ସମନ୍ୱୟ କମିଟି ବୈଠକ । ସେବାୟତଙ୍କ ଅଭିଯୋଗ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ପୂର୍ବରୁ ସେବାୟତଙ୍କ ବିରୋଧ ଯୋଗୁଁ ବସି ପାରନଥିଲା ବୈଠକ । ତେଣୁ ଆଜିର ବୈଠକ ବେଶ୍ ଗୁରୁତ୍ୱ ବହନ କରୁଛି ।