ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମନ୍ଦିର ଭିତରେ ଭକ୍ତଙ୍କ ଠାରୁ ଦକ୍ଷିଣା ନେଇପାରିବେନି ସେବାୟତ, ମନ୍ଦିର ଗୋଟିଏ ମିନିଟ୍ ବିଳମ୍ବରେ ଖୋଲିବାର କାହାର ନାହିଁ ଅଧିକାର ।

397

କନକ ବ୍ୟୁରୋ : ଶ୍ରୀମନ୍ଦିର ସଂସ୍କାର କ୍ଷେତ୍ରରେ ବଡ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ଏବଂ ଲଗାଇଛନ୍ତି କଟକଣା । ଏଣିକି ମନ୍ଦିର ଭିତରେ ସେବାୟତ ଭକ୍ତଙ୍କ ଠାରୁ ଦକ୍ଷିଣା ନେଇପାରିବେ ନାହିଁ । ଭକ୍ତଙ୍କୁ ହଇରାଣ କରି ସେବାୟତ, ଦକ୍ଷିଣା ଦାବି କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଭକ୍ତ ଦେଇଥିବା ଦାନର ଠିକ୍ ହିସାବ ରହିବ । ସେହିପରି ନୀତିକାନ୍ତି ବିଭ୍ରାଟ ଉପରେ କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ ।

ମନ୍ଦିର ଖୋଲିବାରେ ଗୋଟିଏ ମିନିଟ ମଧ୍ୟ ବିଳମ୍ବ କରିବାର କାହାର ଅଧିକାର ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ସେବାପୂଜା ନୀତିକାନ୍ତି ବିଳମ୍ବ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ କହିଛନ୍ତି । ଏନେଇ ମନ୍ଦିର ପ୍ରଶାସକଙ୍କୁ ଅଧିକାର ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳନୀ ପ୍ରଶାସକ ନିଯୁକ୍ତି ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସେବାୟତ ପିଲାଙ୍କ ପଢିବା ପାଇଁ ସ୍କୁଲ ପ୍ରତିଷ୍ଠା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ସହ କିମ୍ସଠାରୁ ଆଦାୟ ହେବାକୁ ଥିବା ଜରିମାନା ଅର୍ଥକୁ ଏଥିରେ ବ୍ୟବହାର କରିବାକୁ କୋର୍ଟ କହିଛନ୍ତି । ଏଥିସହ ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ଲାଗି ରହଣି ବ୍ୟବସ୍ଥା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ୬୦ ହଜାର ଭକ୍ତଙ୍କ ପାଇଁ ରହିବା ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ସହରର ନାଳ ନର୍ଦ୍ଦମା ପାଣି ପାଇଁ ଟ୍ରିଟମେଂଟ୍ ପ୍ଲାଂଟ ବସାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ସ୍କୁଲ ଓ କଲେଜ ପ୍ରତିଷ୍ଠା କରିବାକୁ କହିଛନ୍ତି କୋର୍ଟ ।

ଶ୍ରୀମନ୍ଦିରରେ ଯେଭଳି ସମସ୍ତ ନୀତିକାନ୍ତି ପରମ୍ପରା ଅନୁସାରେ କାର୍ଯ୍ୟକାରୀ ହେବ ସେନେଇ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଏଥିରେ ଅଦାଲତ କିମ୍ବା ରାଜ୍ୟ ସରକାର ହସ୍ତକ୍ଷେପ କରିବେ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଖଣ୍ଡପୀଠ ଶ୍ରୀମନ୍ଦିର ପରିସରରେ ଯେଭଳି ମହିଳାଙ୍କୁ ଅସଦାଚରଣ, ପକେଟମାର ଓ ଛିନ୍ତାଇ ଭଳି ଘଟଣା ନଘଟେ ସେଥିପ୍ରତି କଡା ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ସଂସ୍କାର ମାମଲାରେ ମଧ୍ୟବର୍ତୀକାଳିନ ରାୟ ଦେଇ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ । ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ୨୨ ଟି ପ୍ରସଙ୍ଗ ଉପରେ ନିର୍ଦ୍ଦେଶନାମା ଜାରି କରାଯାଇଛି । ସୁପ୍ରିମକୋର୍ଟଙ୍କ ଏହି ମଧ୍ୟବର୍ତୀକାଳୀନ ରାୟକୁ ସେବାୟତ ସ୍ୱାଗତ କରିବା ସହ ଏହାର ଉଚିତ କାର୍ଯ୍ୟକାରୀ ହେବା ଜରୁରୀ ବୋଲି କହିଛନ୍ତି ।