ପଦୋନ୍ନତିରେ SC/ST କର୍ମଚାରୀଙ୍କ ପାଇଁ ସଂରକ୍ଷଣ ରହିବ ନା ନାହିଁ, ନିଷ୍ପତି ନେବେ ସମସ୍ତ ରାଜ୍ୟ ସରକାର । ସୁପ୍ରିମକୋର୍ଟ କହିଲେ, ପଦୋନ୍ନତିରେ ସଂରକ୍ଷଣ ଜରୁରୀ ନୁହେଁ

47

କନକ ବ୍ୟୁରୋ : ପଦୋନ୍ନତିରେ ସଂରକ୍ଷଣ ଦେବା ଜରୁରି ନୁହେଁ, ତେବେ ରାଜ୍ୟ ସରକାର ଚାହିଁଲେ, ଏ ନେଇ ନିଷ୍ପତି ନେଇପାରିବେ । ଐତିହାସିକ ରାୟ ଦେଇ ସୁପ୍ରିମକୋର୍ଟ କହିଛନ୍ତି, ୨୦୦୬ର ନିର୍ଦ୍ଦେଶକୁ ପୁଣି ଥରେ ତର୍ଜମା କରିବାର ଆବଶ୍ୟକତା ନାହିଁ । ତେବେ ସରକାର ଚାକିରିରେ ପଦୋନ୍ନତିରେ ସଂରକ୍ଷଣ ଦେବାକୁ ହେଲେ, କେତେ ଏସସି-ଏସଟି କର୍ମଚାରୀ ପ୍ରତିନିଧିତ୍ୱ କରୁଛନ୍ତି, ଏହାର ତଥ୍ୟ ଦେବା ଆବଶ୍ୟକତା ନାହିଁ ବୋଲି ମଧ୍ୟ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ପଦୋନ୍ନତିରେ ସଂରକ୍ଷଣ ଦେବା ଜରୁରୀ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ହେଲେ ପଦୋନ୍ନତିରେ ସଂରକ୍ଷଣ ଦିଆଯିବ କି ନାହିଁ ଏ ନେଇ ନିଷ୍ପତି ନେଇପାରିବେ ରାଜ୍ୟ ସରକାର । ତେବେ ୨୦୦୬ରେ ନାଗରାଜ ମାମଲାରେ ଦେଇଥିବା ରାୟକୁ ୭ ଜଣିଆ ଖଣ୍ଡପୀଠରେ ପୁଣି ଥରେ ତର୍ଜମା କରିବାର ଆବଶ୍ୟକତା ନଥିବା ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ।

ନଜର ପକାନ୍ତୁ ୨୦୦୬ର ମାମଲା ଉପରେ –
– ପଦୋନ୍ନତିରେ ସଂରକ୍ଷଣ ନେଇ ନାଗରାଜ ବନାମ ଭାରତ ସରକାରଙ୍କ ମଧ୍ୟରେ ମାମଲାର ଶୁଣାଣି କରିଥିଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ
– ସରକାରୀ ଚାକିରିରେ ଏସ୍ସି-ଏସ୍ଟି କର୍ମଚାରୀଙ୍କୁ ପଦୋନ୍ନତିରେ ସଂରକ୍ଷଣ ଦେବାକୁ ସରକାର ବାଧ୍ୟ ନୁହଁନ୍ତି ବୋଲି ରାୟ ଦେଇଥିଲେ ଖଣ୍ଡପୀଠ
– ଯଦି ସରକାର ସଂରକ୍ଷଣ ଦେବାକୁ ଚାହାଁନ୍ତି, ତେବେ ଚାକିରିରେ ସେମାନଙ୍କର କେତେ ପ୍ରତିନିଧିତ୍ୱ ରହିଛି, ସଂପୂର୍ଣ୍ଣ ତଥ୍ୟ ଦେବାକୁ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ
ତେବେ ଏହିସବୁ ତଥ୍ୟ ଦେଇ ପଦୋନ୍ନତିରେ ସଂରକ୍ଷଣ ଦେବା ସହଜ ନଥିଲା । ସୁପ୍ରିମକୋର୍ଟଙ୍କ ୭ ଜଣିଆ ଖଣ୍ଡପୀଠରେ ଏହି ରାୟକୁ ପୁନର୍ବିଚାର କରିବା ପାଇଁ ଆବେଦନ କରିଥିଲେ କେନ୍ଦ୍ର ସରକାର । ୨୦୦୬ରେ ଲଗାଯାଇଥିବା ସର୍ତ୍ତ ବ୍ୟବହାରିକ ନୁହେଁ, ଏହା ସଂରକ୍ଷଣରେ ବାଧା ସୃଷ୍ଟି କରୁଛି । ବର୍ଷ ବର୍ଷ ଧରି ଅନୁସୂଚିତ ଜାତି ଜନଜାତିର ଲୋକ ସାମାଜିକ ଅସମାନତାର ଶିକାର ହେଉଥିବା ଯୁକ୍ତି ବାଢିଥିଲା କେନ୍ଦ୍ର ।

ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଅଗଷ୍ଟ ୩୦ ରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ଏ ନେଇ ଚୂଡ଼ାନ୍ତ ରାୟ ଦେଇ ଖଣ୍ଡପୀଠ କହିଛନ୍ତି, ସରକାରୀ ଚାକିରିରେ କେତେ ଏସସି-ଏସଟି ପ୍ରତିନିଧିତ୍ୱ କରୁଛନ୍ତି, ଏହାର ତଥ୍ୟ ଦେବା ଆବଶ୍ୟକତା ନାହିଁ । ୨୦୦୬ ରାୟକୁ ସାମାନ୍ୟ ସଂଶୋଧନ କରି କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପଦୋନ୍ନତିରେ ସଂରକ୍ଷଣ ବାଧ୍ୟତାମୂଳକ ନୁହେଁ. ତେବେ ସଂରକ୍ଷଣ ଦିଆଯିବ କି ନାହିଁ, ସଂପୃକ୍ତ ରାଜ୍ୟ ସରକାର ନିଷ୍ପତି ନେଇ ପାରିବେ ବୋଲି କହିଛନ୍ତି ଖଣ୍ଡପୀଠ ।