ଦୀପାବଳିକୁ ଫିକା କରିବ ସୁପ୍ରିମକୋର୍ଟଙ୍କ କଟକଣା ! ରାତି ୮ରୁ ୧୦, ମାତ୍ର ଦୁଇ ଘଂଟା ବାଣ ଫୁଟାଇବାକୁ କୋର୍ଟଙ୍କ ଅନୁମତି

47

କନକ ବ୍ୟୁରୋ : ଦୀପାବଳୀ ପୂର୍ବରୁ ଦେଶବ୍ୟାପୀ ବାଣ ବିକ୍ରି ନେଇ ସୁପ୍ରିମକୋର୍ଟ ଆଜି ବଡ ରାୟ ଶୁଣାଇଛନ୍ତି । ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ନଲଗାଇ ସର୍ତ୍ତମୂଳକ ଭାବେ ବାଣ ବିକ୍ରି ପାଇଁ ଅନୁମତି ଦେଇଛନ୍ତି ର୍ସବୋଚ୍ଚ ନ୍ୟାୟାଳୟ । ଦୀପାବଳୀରେ ମାତ୍ର ଦୁଇଘଂଟା ପାଇଁ ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଟାଯାଇପାରିବ ।

 

ଦେଶରେ ବାୟୁ ପ୍ରଦୂଷଣ ବଢୁଥିବାରୁ ଆଗାମୀ ଦୀପାବଳିରେ ବାଣ ଫୁଟାଇବା ଉପରେ କଡା କଟକଣା ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଆଶ୍ୱସ୍ତିର ବିଷୟ ହେଉଛି ଯେ, ବାଣକୁ ସଂପୂର୍ଣ୍ଣ ବ୍ୟାନ କରିନାହାନ୍ତି ସୁପ୍ରିମକୋର୍ଟ ।


ସୁପ୍ରିମକୋର୍ଟଙ୍କ କଟକଣା
– ଦୀପାବଳିରେ କେବଳ ୨ ଘଂଟା ବାଣ ଫୁଟାଇ ପାରିବେ
– ରାତି ୮ଟାରୁ ୧୦ ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି
– ନୂଆବର୍ଷ ଓ ଖ୍ରୀଷ୍ଟମାସରେ ମାତ୍ର ଘଂଟାଏ ଫୁଟାଇବେ ବାଣ
– ରାତି ୧୧ଟା ୪୫ରୁ ୧୨ଟା ୪୫ ଯାଏଁ ବାଣ ଫୁଟାଇବାକୁ ଅନୁମତି

ଦିଲ୍ଲୀ ଭଳି ଦେଶର ଅନେକ ପ୍ରମୁଖ ସହରରେ ପ୍ରଦୂଷଣର ମାତ୍ରା ଅଧିକ ରହୁଥିବାରୁ ବାଣକୁ ସଂପୂର୍ଣ୍ଣ ବ୍ୟାନ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ହେଲେ ବାଣ ବ୍ୟବସାୟୀ ଓ କାରିଗରଙ୍କ ଜୀବନ ଜୀବିକାର ଅଧିକାରକୁ ଆଖିରେ ରଖି ସୁପ୍ରିମକୋର୍ଟ ଏହିସବୁ କଡା ସର୍ତ୍ତ ସହ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି । ଏଥିସହ କୋର୍ଟ କହିଛନ୍ତି

 

– ଅନଲାଇନରେ ବିକ୍ରି ହୋଇପାରିବନି ବାଣ

– ବାଣ ବିକି ପାରିବେନି ଫ୍ଲିପକାର୍ଟ ଓ ଆମାଜନ୍ ଭଳି ଇ-କମର୍ସ ସଂସ୍ଥା

ପ୍ରଦୂଷଣର ମାତ୍ରାକୁ ଦେଖି ଗତବର୍ଷ ଅକ୍ଟୋବରରେ ଦିଲ୍ଲୀ-ଏନସିଆରରେ ବାଣ ବିକ୍ରିକୁ ସଂପୂର୍ଣ୍ଣ ବନ୍ଦ କରିଦେଇଥିଲେ ସୁପ୍ରିମକୋର୍ଟ । ଅବଶ୍ୟ ନଭେମ୍ବରରେ ଏହି କଟକଣା ହଟାଇ ଦିଆଯାଇଥିଲା । ହେଲେ ଚଳିତବର୍ଷ ଦୀପାବଳିରେ ବାଣ ଫୁଟାଇବାକୁ ସଂପୂର୍ଣ୍ଣ ବନ୍ଦ କରିଦେବା ଲାଗି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ୍ ହୋଇଥିଲା । ତେବେ ବାଣ ପ୍ରସ୍ତୁତକାରୀ ଓ ଦେଶର ପ୍ରାୟ ୧୩୦ କୋଟି ଲୋକଙ୍କ ସ୍ୱସ୍ଥ୍ୟକୁ ବିଚାରକୁ ନେଇ ଏଭଳି କଟକଣା ସହ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏକେ ସିକ୍ରି ଓ ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ।