ସୁପ୍ରିମକୋର୍ଟରେ ସିବିଆଇ ‘ସୁପ୍ରିମୋ’ଙ୍କ ଫୈସଲା । ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ, ହେଲେ ବର୍ମା ନେଇପାରିବେନି ନୀତିଗତ ନିଷ୍ପତି

124

କନକ ବ୍ୟୁରୋ : ସିବିଆଇ ବିବାଦ ମାମଲାରେ ଆଜି କେନ୍ଦ୍ର ସରକାରଙ୍କୁ ଲାଗିଛି ସୁପ୍ରିମକୋର୍ଟଙ୍କ ଝଟକା । କୋର୍ଟ, ସିଭିସିର ନିଷ୍ପତିକୁ ପ୍ରତ୍ୟାଖାନ କରିବା ସହ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତିକୁ ବି ରଦ୍ଦ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ସିବିଆଇ ନିର୍ଦ୍ଦେଶକ ପଦରେ ରହିବେ ଆଲୋକ ବର୍ମା । କିନ୍ତୁ ସେ କୌଣସି ନୀତିଗତ ନିଷ୍ପତି ନେଇପାରିବେ ନାହିଁ । ତେବେ ବର୍ମାଙ୍କ ମାମଲାକୁ ହାଇପାୱାର କମିଟିକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି କମିଟିରେ ପ୍ରଧାନ ବିଚାରପତି, ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳ ନେତା ରହିଛନ୍ତି ।

୭୬ ଦିନର ଆଇନ୍ର ଯୁଦ୍ଧ ପରେ ପୁଣି ନିଜ ପଦ ଫେରିପାଇଛନ୍ତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା । ସିଭିସିର ନିଷ୍ପତିକୁ ପ୍ରତ୍ୟାଖାନ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତିକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ ସଫା ସଫା କହିଛନ୍ତି, ଆଇନ ଅନୁଯାୟୀ ସିବିଆଇ ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଇବା ଅଧିକାର କେନ୍ଦ୍ର ପାଖରେ ନାହିଁ , କେବଳ ସିଲେକ୍ଟ କମିଟି ନିକଟରେ ଏହି ଅଧିକାର ରହିଛି ।

ନୀତିଗତ ନିଷ୍ପତ୍ତି ନେଇପାରିବେନି ଆଲୋକ ବର୍ମା । ଗଠନ ହେବ ହାଇପାୱାର କମିଟି । ସିବିଆଇ ନିର୍ଦ୍ଦେଶକ ଭାବେ ଆଲୋକ ବର୍ମାଙ୍କୁ ପୁନଃଅବସ୍ଥାପିତ କରିବାକୁ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ତେବେ କୋର୍ଟ କହିଛନ୍ତି, ଆଲୋକ ବର୍ମା କୌଣସି ନୀତିଗତ ନିଷ୍ପତି ନେଇପାରିବେ ନାହିଁ । ସୁପ୍ରିମକୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି , ଆଲୋକ ବର୍ମାଙ୍କ ବାବଦରେ ଏକ ହାଇ ପାୱାର ସିଲେକ୍ଟ କମିଟି ନିଷ୍ପତି ନେବ । ଏଥିରେ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରହିବେ । ସୁପ୍ରିମକୋର୍ଟଙ୍କ ରାୟ ପରେ କେନ୍ଦ୍ର ସରକାରଙ୍କୁ ଘେରିଛି ବିରୋଧୀ କଂଗ୍ରେସ ।

ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଭିତରେ ଲଢେଇରୁ ଆରମ୍ଭ ହୋଇଥିଲା ପୁରା ବିବାଦ । ଦୁହେଁ ପରସ୍ପର ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲେ । ଏହାପରେ ଅକ୍ଟୋବର ୨୩ତାରିଖରେ ଦୁହିଁଙ୍କୁ ଛୁଟିରେ ପଠାଇ ଦେଇଥିଲେ କେନ୍ଦ୍ର ସରକାର । ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏମ.ନାଗେଶ୍ୱର ରାଓଙ୍କୁ ମଧ୍ୟବର୍ତିକାଳୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା । ତେବେ ଆଲୋକ ବର୍ମା କେନ୍ଦ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।