ଅପରାଧୀଙ୍କୁ ନିର୍ବାଚନରୁ ଦୂରେଇ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ମତକୁ ନେଇ ବିବାଦୀୟ ସ୍ଥିତି: କେନ୍ଦ୍ରର ଚେତାବନୀ, କୋର୍ଟ ନିଜ ସୀମାରେ ରୁହନ୍ତୁ

38

କନକ ବ୍ୟୁରୋ : ନେତାଙ୍କ ଅପରାଧିକ ମାମଲାକୁ ଅନୁଧ୍ୟାନ କରି ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ଶୁଣାଇଛନ୍ତି ତାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ନେତା । ତେବେ ଅପରାଧୀମାନଙ୍କୁ ନିର୍ବାଚନରୁ ଦୂରେଇ ରଖିବା ଲାଗି ସୁପ୍ରିମ କୋର୍ଟଙ୍କ ମତକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସର୍ବୋଚ୍ଚ ଅଦାଲତଙ୍କ ଏହି ମତକୁ କେନ୍ଦ୍ର ସରକାର ଦୃଢ଼ ଭାବେ ବିରୋଧ କରିବା ସହିତ ଚେତାଇ ଦେଇଛନ୍ତି, ଅଦାଲତ ନିଜ ସୀମା ଭିତରେ ରହୁ। ଏହାକୁ ଅତିକ୍ରମ କରିବା ଉଚିତ ନୁହେଁ। ସମ୍ବିଧାନ ଦ୍ୱାରା ନିଷିଦ୍ଧ ଅଞ୍ଚଳରେ ଅଦାଲତ ପଶିଲେ ଏହାର ପରିଣାମ ଭୟଙ୍କର ହେବ।

ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ଖଣ୍ଡପୀଠରେ ମାମଲାର ଶୁଣାଣି ଚାଲିଥିବା ବେଳେ ବିଚାରପତି ଏବଂ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଲ ମୁହାଁମୁହିଁ ହୋଇଥିଲେ। ‘ଅପରାଧୀମାନଙ୍କୁ ପ୍ରାର୍ଥୀ କରୁଥିବା ରାଜନୈତିକ ଦଳଙ୍କ ଚିହ୍ନ ପ୍ରତ୍ୟାହାର କରିବା ଲାଗି ଆମେ ନିର୍ବାଚନ କମିସନଙ୍କୁ କ୍ଷମତା ଦେଇ ପାରିବା କି?’ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ରଙ୍କ ଏହି ପ୍ରଶ୍ନରେ ବିରକ୍ତି ପ୍ରକାଶ କରିଥିଲେ ବେଣୁଗୋପାଳ। ସେ କହିଥିଲେ ଏଭଳି ନିଷ୍ପତ୍ତି କେବଳ ନିର୍ବାଚିତ ପ୍ରତିନିଧି ନେଇପାରିବେ। କ୍ଷମତା କୋର୍ଟର ନାହିଁ। କୋର୍ଟ ଏଭଳି ନିଷ୍ପତ୍ତି ନେଇପାରିବେ ନାହିଁ। ଏହା ଅସାମ୍ବିଧାନିକ ଏବଂ ଏହାର ପରିଣାମ ଭୟଙ୍କର ହେବ। ପ୍ରଧାନ ବିଚାରପତି କହିଲେ ଯେ ନିର୍ବାଚନ କମିସନଙ୍କ ଚିହ୍ନ ନିୟମରେ କେବଳ ଏଭଳି କଟକଣାକୁ ଯୋଡ଼ାଯିବ। ଅପରାଧୀମାନେ ପ୍ରାର୍ଥୀ ହେଲେ ସେମାନଙ୍କୁ ଦଳୀୟ ଚିହ୍ନ ମିଳିବ ନାହିଁ। ସେ ପ୍ରଶ୍ନ କରିଥିଲେ, ‘ଏହି ନିଷ୍ପତ୍ତି କିଏ ନେବ? ଲୋକମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ନା ଏହି କୋର୍ଟର ୫ ଜଣିଆ ବେଞ୍ଚ?‘ ସମ୍ବିଧାନ ଦ୍ୱାରା ନିଷିଦ୍ଧ ଅଞ୍ଚଳରେ କୋର୍ଟ ପଶୁଛନ୍ତି ଏବଂ ଏହା ଠିକ୍ ନୁହେଁ ବୋଲି ସେ କହିଥିଲେ।

କୋର୍ଟଙ୍କ ଏଭଳି ପ୍ରସ୍ତାବକୁ ନାପସନ୍ଦ କରି ସେ କହିଥିଲେ ଯେ ରାଜନୈତିକ ଦଳର ସଭ୍ୟମାନଙ୍କ ଉପରେ ଏହା କଟକଣା ସଦୃଶ ହେବ। ଏହାଛଡ଼ା ବିରୋଧୀଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ରୁଜ୍ଜୁ କରିବା ଲାଗି ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯିବ। ସେ ଆହୁରି କହିଥିଲେ ଯେ ବାସ୍ତବତାକୁ କୋର୍ଟ ହୃଦୟଙ୍ଗମ କରିବା ଆବଶ୍ୟକ। ଅନ୍ୟପକ୍ଷରେ ବେଞ୍ଚର ଅନ୍ୟତମ ସଭ୍ୟା ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଏହି ପ୍ରସଙ୍ଗେରେ ପ୍ରଧାନ ବିଚାରପତି ଓ ଅନ୍ୟ ସହଯୋଗୀ ବିଚାରପତିଙ୍କ ସହ ଏକମତ ହୋଇ ନଥିଲେ। ସେ କହିଥିଲେ ଏମିତି କଟକଣା ଲାଗିଲେ ରାଜନୈତିକ ଉଦ୍ଦେଶ୍ୟ ରଖି ମକଦ୍ଦମାର ଧାଡ଼ି ଲାଗିଯିବ। କେବଳ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ପ୍ରତି ଏହି କଟକଣା ଲାଗୁ କରାଯାଉ ବୋଲି ସେ ମତ ଦେଇଥିଲେ। କିନ୍ତୁ ବେଞ୍ଚର ଅନ୍ୟତମ ବିଚାରପତି ଜଷ୍ଟିସ ଆରଏଫ୍ ନାରିମନ କହିଥିଲେ ଯେ ‘ସୁପ୍ରିମ କୋର୍ଟ ତାଙ୍କର ସୀମା ଲଂଘୁ ନାହାନ୍ତି କି ସଂସଦୀୟ ସୀମାରେ ପ୍ରବେଶ କରୁନାହାନ୍ତି। ଯେଉଁ ପର୍ଯ୍ୟନ୍ତ ସଂସଦ ନିଷ୍ପତ୍ତି ନ ନେଇଛି ସେ ପର୍ଯ୍ୟନ୍ତ ଅପରାଧୀମାନଙ୍କୁ ଦଳୀୟ ଚିହ୍ନ ନଦେବା ଲାଗି ଆମେ ନିର୍ବାଚନ କମିସନଙ୍କୁ ନିର୍ଦେଶ ଦେଇପାରିବୁ।’ ତେବେ ଯୁକ୍ତିତର୍କ ବେଳେ ଆଟର୍ଣ୍ଣି ନେଜେରାଲ କହିଥିଲେ ଯେ କେବଳ ଅଭିଯୋଗ ଆଧାରରେ ଜଣେ ବ୍ୟକ୍ତିଙ୍କୁ ନିର୍ବାଚନରୁ ବଞ୍ଚିତ କରାଯାଇ ପାରିବ ନାହିଁ କି ଦଳୀୟ ଚିହ୍ନରୁ ମଧ୍ୟ ବଞ୍ଚିତ କରାଯାଇ ପାରିବ ନାହିଁ । ଏସଂପର୍କରେ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ଆଲୋଚନା ହୋଇଛି ଏବଂ ଏଭଳି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ ମଧ୍ୟ କରାଯାଇଛି । ରାଜନୀତିରୁ ଅପରାଧୀମାନଙ୍କୁ ଦୂରେଇ ରଖିବା ଲାଗି ଆଗତ କେତେକ ପିଟିସନ ଉପରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଶୁଣାଣି କରୁଛନ୍ତି। ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୮ ତାରିଖରେ ହେବ।