ନ୍ୟାୟପାଳିକା ଇତିହାସରେ ପ୍ରଥମ ! ପ୍ରଧାନ ବିଚାରପତିଙ୍କ ବିରୋଧରେ ମୁହଁ ଖୋଲିଲେ ସୁପ୍ରିମକୋର୍ଟର ୪ ବିଚାରପତି, କହିଲେ, ବିପଦରେ ଗଣତନ୍ତ୍ର

49

କନକ ବ୍ୟୁରୋ : ଦେଶର ସବୋର୍ଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଟାର୍ଗେଟରେ ମୁଖ୍ୟ ବିଚାରପତି । ଆଜି ଦିଲ୍ଲୀରେ ଘଟିଥିବା ଏହି ଘଟଣା ସାରାଦେଶରେ ଆଲୋଡନ ସୃଷ୍ଟି କରିଛି । କାରଣ ଭାରତ ଇତିହାସରେ ପ୍ରଥମଥର ପାଇଁ ୪ ଜଣ ସୁପ୍ରିମକୋର୍ଟ ବିଚାରପତି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପରିସ୍ଥିତି ଆହୁରି ସଂଗୀନ ହେବାକୁ ଲାଗିଲା ଯେତେବେଳେ ଏହି ବରିଷ୍ଠ ବିଚାରପତିମାନେ ଏକ ସ୍ୱରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଟାର୍ଗେଟ କଲେ ।

thସାମ୍ବାଦିକ ସମ୍ମିଳନୀରେ ବିଚାପତିମାନେ ଅଭିଯୋଗ କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକୁ କନିଷ୍ଠ ବିଚାରପତିଙ୍କ କୋର୍ଟକୁ ହସ୍ତାନ୍ତର କରାଯାଉଛି । ଏନେଇ ପ୍ରଧାନ ବିଚାରପତିଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଦେଶର ନ୍ୟାୟପାଳିକା ନିରପେକ୍ଷ ନହେଲେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବ ବୋଲି ସାଂଘାତିକ ଅଭିଯୋଗ ବାଢିଛନ୍ତି ଜଷ୍ଟିସ ଚେଲେମେଶ୍ୱର, ଜଷ୍ଟିସ ଗୋଗୋଇ, ଜଷ୍ଟିସ ଲୋକୁର ଓ ଜଷ୍ଟିସ କୁରିଏନ ଜୋସେଫ ।

ମେଡିକାଲ କଲେଜ ନାମଲେଖା ଦୁର୍ନୀତିର ତଦନ୍ତ କରିବା ପାଇଁ ଜଷ୍ଟିସ ଚେଲେମେଶ୍ୱରଙ୍କ କୋର୍ଟ ଏକ ୫ଜଣିଆ ଖଣ୍ଡପୀଠକୁ ପଠାଇଦେବା ପରେ ଏହାକୁ ପ୍ରଧାନ ବିଚାରପତି ପୁଣି ୭ ନମ୍ବର କୋର୍ଟକୁ ପଠାଇଥିଲେ । ସେହିପରି ସୋରାବୁଦ୍ଦିନ ଶେଖ ଏନକାଉଁଟର ମାମଲାର ତଦନ୍ତ କରୁଥିବା ସିବିଆଇ ଜଜ ଜଷ୍ଟିସ ବିଏଚ ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ତଦନ୍ତ ଭାର କୋର୍ଟ ନମ୍ବର ୧୦କୁ ଦିଆଯିବା ନେଇ ମଧ୍ୟ ସେମାନେ ଆପତି ଉଠାଇଛନ୍ତି ।

ସୋରାବୁଦ୍ଦିନ ଶେଖ ଏନକାଉଁଟର ମାମଲାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଅନେକ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏହି ମାମଲାର ଶୁଣାଣି ସିବିଆଇ ଜଜ ଜଷ୍ଟିସ ବିଏଚ ଲୋୟାଙ୍କ କୋର୍ଟରେ ଚାଲିଥିବାବେଳେ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ୨୦୧୪ ଡିସେମ୍ବର ୧ ତାରିଖରେ ଜଣେ ସହକର୍ମୀଙ୍କ ଝିଅ ବାହାଘରକୁ ଯାଇଥିବାବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ତାଙ୍କ ଭଉଣୀ । ସୋରାବୁଦ୍ଦିନ ହତ୍ୟାକାଣ୍ଡ ସହ ବିଚାରପତିଙ୍କ ମୃତ୍ୟୁର ସଂପର୍କ ଥିବା ସନ୍ଦେହ ପ୍ରକାଶ ପାଇଥିଲା । ଯାହାର ନିରପେକ୍ଷ ତଦନ୍ତ ପାଇଁ ହୋଇଥିବା ଆବେଦନର ଶୁଣାଣି କରୁଛନ୍ତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ।

ଏହି ବରିଷ୍ଠ ବିଚାରପତିମାନଙ୍କ ଅଭିଯୋଗ ହେଲା ..
– ସମସ୍ତ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର ମୁଖ୍ୟ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ହେଉଛି
– ଅନ୍ୟ ବରିଷ୍ଠ ବିଚାରପତିଙ୍କ ବେଂଚକୁ ମାମଲାଗୁଡିକର ସମାନ ଭାବେ ବଂଟନ ହେଉନାହିଁ
– ଦେଶର ସ୍ୱାର୍ଥ ସହ ଜଡିତ ମାମଲା ମୁଖ୍ୟ ବିଚାରପତି ନିଜ ପସନ୍ଦର ବିଚାରପତିଙ୍କୁ ଦେଉଛନ୍ତି
– ୫ଜଣିଆ ବେଂଚ ଗୋଟିଏ ମାମଲାର ଶୁଣାଣି କରୁଥିବାବେଳେ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱାଧୀନ ଛୋଟିଆ ବେଂଚକୁ ହସ୍ତାନ୍ତର ଭୁଲ ନିଷ୍ପତି

ଦେଶର ନ୍ୟାୟପାଳିକା ଇତିହାସରେ ଏଭଳି ଘଟଣା ପ୍ରଥମଥର ସାମ୍ନାକୁ ଆସିଛି ଯେତେବେଳେ ମୁଖ୍ୟବିଚାରପତିଙ୍କ ଉପରେ ଅସନ୍ତୁଷ୍ଟ ବରିଷ୍ଠ ବିଚାରପତିମାନେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି । ଏବଂ ଦେଶର ସର୍ବୋଚ୍ଚ କୋର୍ଟରେ ସବୁକିଛି ଠିକ ଚାଲିନାହିଁ ବୋଲି ଇସାରା କରୁଛି । ଏହି ଘଟଣା ପରେ ନ୍ୟାୟପାଳିକାକୁ ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।