ବିବାଦୀୟ ଜମିରେ ରାମ ମନ୍ଦିର : ମନ୍ଦିର ନିର୍ମାଣ ପାଇଁ ୩ ମାସ ଭିତରେ ଏକ ଟ୍ରଷ୍ଟ ବୋର୍ଡ଼ ଗଠନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

243

କନକ ବ୍ୟୁରୋ : ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ବିବାଦର ଅବସାନ କରି ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ଭାରତର ନ୍ୟାୟିକ ଇତିହାସରେ ସବୁଠୁ ଦୀର୍ଘ ସମୟ ଧରି ଚାଲିଥିବା ମାମଲାର ସମାଧାନ ପାଇଁ ନିର୍ଣ୍ଣାୟକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଆଧ୍ୟାତ୍ମିକ ସ୍ଥଳ ଅଯୋଧ୍ୟାର ରାମ ଜନ୍ମଭୂମିରେ ନିର୍ମାଣ ହେବ ରାମମନ୍ଦିର । ରାମ ଜନ୍ମଭୂମୀ ନ୍ୟାସକୁ ବିବାଦୀୟ ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଆଜି ଐତିହାସିକ ରାୟ ଶୁଣାଇଛନ୍ତି । ମୁସଲିମ୍ ପକ୍ଷକୁ ବିକଳ୍ପ ସ୍ଥାନରେ ଜମି ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।  ସୁନୀ ୱାକଫ ବୋର୍ଡକୁ ୫ ଏକର ଜମି ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ମନ୍ଦିର ତିଆରି ପାଇଁ ଗଠନ ହେବ ଟ୍ରଷ୍ଟ । ମନ୍ଦିର ନିର୍ମାଣ ଲାଗି  ୩ ମାସ ମଧ୍ୟରେ ଟ୍ରଷ୍ଟ ବୋର୍ଡ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଟ୍ରଷ୍ଟ ବୋର୍ଡରେ ନିର୍ମୋହୀ ଆଖଡାର ପ୍ରତିନିଧି ରହିବେ ।  ୟୁପି ସରକାର ସହ ମିଶି ଟ୍ରଷ୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟ କହିଛନ୍ତି ସରକାରଙ୍କୁ ଟ୍ରଷ୍ଟ ତିଆରି କରି ମନ୍ଦିର ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ ।