ବିଧବା ଓ ନିରାଶ୍ରୟ ମହିଳାଙ୍କ ମଙ୍ଗଳ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବାରୁ ସୁପ୍ରିମକୋର୍ଟ ବିରକ୍ତ ! ଓଡ଼ିଶା ସମେତ ୮ଟି ରାଜ୍ୟ ଉପରେ ଜରିମାନା ଲଗାଇଲେ ସବୋର୍ଚ୍ଚ ନ୍ୟାୟାଳୟ

23

କନକ ବ୍ୟୁରୋ : ବିଧବା ଓ ନିରାଶ୍ରୟ ମହିଳାଙ୍କ ମଙ୍ଗଳ ପାଇଁ ଆବଶ୍ୟକ ପଦକ୍ଷେପ ନେଉନଥିବାରୁ ବିରକ୍ତି ପ୍ରକାଶ କଲେ ସୁପ୍ରିମକୋର୍ଟ । ଏପରିକି ଓଡିଶା ସମେତ ୮ଟି ରାଜ୍ୟକୁ ଜୋରିମାନା କରିଛନ୍ତି ସର୍ବେଚ୍ଚ ନ୍ୟାୟାଳୟଙ୍କ ଦୁଇ ଜଣିଆ ଖଣ୍ଡପୀଠ । ବିଧବା ଓ ନିରାଶ୍ରୟ ମହିଳାଙ୍କ ସମସ୍ୟାର ସମାଧାନ ପାଇଁ ବିଶେଷଜ୍ଞ କମିଟି ଗଠନ କରିବାକୁ କେନ୍ଦ୍ରର ପ୍ରସ୍ତାବ କାର୍ଯ୍ୟକାରୀ କରିନଥିବାରୁ ଆନ୍ଧ୍ରପ୍ରଦେଶ, ଜାମ୍ମୁ-କାଶ୍ମୀର, କର୍ଣ୍ଣାଟକ ଏବଂ ଓଡିଶାକୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି ।

ସେହିପରି ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ପଞ୍ଜାବ ଓ ଉତରାଖଣ୍ଡକୁ ୨୫ ହଜାର ଟଙ୍କା ଲେଖାଏଁ ଫାଇନ ଭରିବାକୁ କୁହାଯାଇଛି । ୪ ସପ୍ତାହ ମଧ୍ୟରେ ଜୋରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ କୋର୍ଟ କହିଛନ୍ତି ବିଧବା ଓ ନିରାଶ୍ରୟ ମହିଳାଙ୍କ ଥଇଥାନ ପାଇଁ ବିଭିନ୍ନ ରାଜ୍ୟରେ ଥିବା ଅନେକ ଗୁଡିଏ ଯୋଜନାକୁ ଏକାଠି କରି ଗୋଟିଏ ଯୋଜନା ପ୍ରସ୍ତୁତ କରନ୍ତୁ କେନ୍ଦ୍ର ସରକାର । ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ପାଇଁ ବନ୍ଦୋବସ୍ତ କରନ୍ତୁ ।