ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପିଟିସନ ପ୍ରତ୍ୟାହୃତ : ୨ କଂଗ୍ରେସ ସାଂସଦ ଦାୟର କରିଥିଲେ ପିଟିସନ, ଉପରାଷ୍ଟ୍ରପତିଙ୍କ ଅଗ୍ରାହ୍ୟ ପରେ ଯାଇଥିଲେ ସୁପ୍ରିମକୋର୍ଟ

27

କନକ ବ୍ୟୁରୋ : ପ୍ରଧାନବିଚାରପତିଙ୍କ ବିରୋଧରେ ମହାଅଭିଯୋଗ ନେଇ କଂଗ୍ରେସକୁ ଆଜି ସୁପ୍ରିମ ଝଟକା ଲାଗିଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପିଟିସନ ପ୍ରତ୍ୟାହୃତ କରିନେଇଛନ୍ତି କଗ୍ରେସ ସାଂସଦ । ଏହା ପରେ ୫ ଜଣିଆ ବେଂଚ ମାମାଲ ଖାରଜ ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟରେ ଏହି ମାମଲାକୁ ନେଇ ଆଜି ନାଟକୀୟ ଘଟଣାକ୍ରମ ଦେଖିବାକୁ ମିଳିଥିଲା । ପାଂଚଜଣିଆ ବେଂଚ ପ୍ରଶାସନିକ ଅର୍ଡରର କପି ସେୟାର କରିବାକୁ ମନାକରିଦେଇଥିଲେ ।

ଜଷ୍ଟିସ ଏ.କେ.ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ ଯେ, ସେମାନଙ୍କ ପାଖରେ ପ୍ରଶାସନିକ ଅର୍ଡରର କପି ନାହିଁ । ମାମଲାର ଶୁଣାଣି ମେରିଟ ବେସିସରେ ଶୁଣାଣି କରିବାକୁ ବେଂଚ କହିଥିଲେ । ପୂର୍ବରୁ କପିଲ ଶିବଲ ସାମ୍ବିଧାନିର ପୀଠ ଗଠନ ସମ୍ପର୍କିତ ପ୍ରଶାସନିକ ଅର୍ଡରର କପି ଦେଖାଇବାକୁ କହିଥିଲେ । ଏହା ଉପରେ ଆଟର୍ଣ୍ଣିଂ ଜେନେରାଲଙ୍କ ଦଲିଲ ଥିଲା, ପୀଠ ପ୍ରଶାସନିକ ଅର୍ଡରର କପି ଦେଖାଇପାରିବ ନାହିଁ । ଏହାପରେ ପୀଠ କହିଥିଲେ, ପିଟିସନକୁ ପ୍ରତ୍ୟାହାର କରିନିଆଯାଉ ନ ହେଲେ ଖାରଜ କରିଦିଆଯିବ । ଏହା ପରେ କପିଲ ଶିବଲ ପିଟିସନକୁ ପ୍ରତ୍ୟାହାର କରିନେଇଥିଲେ । ପୂର୍ବରୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦିପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ନୋଟିସକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଖାରଜ କରିଦେଇଥିଲେ । ଏହା ବିରୋଧରେ କଂଗ୍ରେସର ଦୁଇଜଣ ସାଂସଦ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ । ପିଟିସନ ଦାଖଲ ହେବା ପରେ ସନ୍ଧ୍ୟାରେ ଜଣିଆ ବେଂଚ ଗଠନ କରିଥିଲେ ପ୍ରଧାନ ବିଚାରପତି ।

ସେପଟେ ୫ ଜଣିଆ ବେଂଚ ଗଠନ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଆଇନଜୀବି କପିଲ ଶିବଲ । ସେ ଅଭିଯୋଗ କରିଛନ୍ତି । ପିଟିସନ ଗ୍ରହଣ ନ ହେବା ପୂର୍ବରୁ ବେଂଚ କିଭଳି ଗଠନ ହେଲା ଓ ଏହାକୁ କିଏ ଗଠନ କଲା । ପ୍ରଧାନ ବିଚାରପତି ପ୍ରଶାସନିକ କିମ୍ବା ନ୍ୟାୟିକ ସ୍ତରରେ କୌଣସି ଆଦେଶ ଜାରି କରିପାରିବେ ନାହିଁ ବୋଲି କହିଛନ୍ତି କପିଲ ଶିବଲ ।