ସୁପ୍ରିମକୋର୍ଟ ବିଚାରପତିଙ୍କ ବିବାଦର ହେବ ସମାଧାନ! ଅଣ୍ଟା ଭିଡିଲା ବାର କାଉନସିଲ ଅଫ ଇଣ୍ଡିଆ

39

କନକ ବ୍ୟୁରୋ : ସୁପ୍ରିମକୋର୍ଟ ବିଚାରପତିଙ୍କ ବିବାଦର ସମାଧାନ ପାଇଁ ଅଂଟା ଭିଡିଛି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ । ବିଚାରପତି ଜଷ୍ଟିସ ଚେଲାମେଶ୍ୱରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ବାର କାଉନସିଲର ପ୍ରତିନିଧି ମଣ୍ଡଳୀ । ବାର କାଉନସିଲ୍ ଅଫ୍ ଇଣ୍ଡିଆର ପ୍ରତିନିଧି ଜଷ୍ଟିସ ଚେଲମେଶ୍ୱରଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି । ବିସିଆଇ ଅଧ୍ୟକ୍ଷ ମନନ କୁମାର ମିଶ୍ର କହିଛନ୍ତି, କିଛି ସଂକଟ ନାହିଁ, ଏହା ସୁପ୍ରିମକୋର୍ଟଙ୍କ ଆଭ୍ୟନ୍ତରୀଣ ବ୍ୟାପାର । ଦୁଇ ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ।

ଆଜି ବାର କାଉନସିଲର ପ୍ରତିନିଧିମାନେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକ ୭ ଜଣିଆ କମିଟି ଗଠନ କରିଛି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ । ଶୁକ୍ରବାର ଦିନ ଜଷ୍ଟିସ ଜେ ଚେଲାମେଶ୍ୱର ଓ ଅନ୍ୟ ତିନି ଜଣ ବରିଷ୍ଠ ବିଚାରପତି ପ୍ରେସ କନଫରେନସ କରି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସୁପ୍ରିମକୋର୍ଟର କାର୍ଯ୍ୟଶୈଳୀ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ । ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକ ଠିକ୍ ଭାବେ ବଂଟନ ହେଉନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ । ଦେଶରେ ନ୍ୟାୟିକ ପ୍ରକ୍ରିୟାରେ ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିଲା ।

ଏସବୁ ଭିତରେ ସିବିଆଇ ବିଚାରପତି ବିଏଚ ଲୋୟାଙ୍କ ମୃତ୍ୟୁ ମାମଲାରେ ନୁଆ ମୋଡ ଆସିଛି । ବିଏଚ ଲୋୟାଙ୍କ ପୁଅ ଅନୁଜ ଲୋୟା ପ୍ରେସମିଟ କରି କହିଛନ୍ତି ତାଙ୍କ ପିତାଙ୍କ ମୃତ୍ୟୁ ସନ୍ଦିଗ୍ଧ ନୁହେଁ, ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଏଥିସହ ଅନୁଜ ଲୋୟା ଅନୁରୋଧ କହିଛନ୍ତି ପିତାଙ୍କ ମୃତ୍ୟୁ ପରେ ଆମେ ଦୁଃଖିତ ଅଛୁ, ଆଉ ତାଙ୍କ ପରିବାରକୁ ହଇରାଣ କରା ନଯାଉ । ଗତକିଛି ଦିନ ହେଲା ବିଏଚ ଲୋୟାଙ୍କ ମୃତ୍ୟୁକୁ ସନ୍ଦିଗ୍ଧ କହି ତାଙ୍କ ପରିବାରକୁ ହଇରାଣ କରାଯାଉଥିବା କହିଛନ୍ତି ଅନୁଜ । ଶୁକ୍ରବାର ସୁପ୍ରିମକୋର୍ଟର ୪ ବିଚାରପତି ମଧ୍ୟ ପ୍ରେସମିଟରେ ମଧ୍ୟ ବିଏଚ ଲୋୟାଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲେ । ସେହିପରି ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରି ଏହାର ନିରପେକ୍ଷ ତଦନ୍ତ ଦାବି କରିଥିଲେ, ହେଲେ ଅନୁଜଙ୍କ ଖଣ୍ଡନ ପରେ ଏହି ମୃତ୍ୟୁ ମାମଲା ନୂଆ ମୋଡ ନେଇଛି ।