ଲୋକାୟୁକ୍ତ ନିଯୁକ୍ତି ମାମଲା ! ଓଡ଼ିଶାକୁ ଜବାବ୍ ମାଗିଲେ ସୁପ୍ରିମକୋର୍ଟ

28

କନକ ବ୍ୟୁରୋ: ଲୋକାୟୁକ୍ତ ନିଯୁକ୍ତି ପାଇଁ ଆଇନ ପ୍ରଣୟନ ହେବା ସତ୍ତ୍ୱେ ମଧ୍ୟ ରାଜ୍ୟମାନଙ୍କରେ କାହିଁକି ଏଯାବତ୍ ଲୋକାୟୁକ୍ତ ନିଯୁକ୍ତ ହୋଇନି ବୋଲି ଗତକାଲି ସୁପ୍ରିମକୋର୍ଟ ୧୨ ରାଜ୍ୟଙ୍କୁ ପ୍ରଶ୍ନ କରିଛନ୍ତି । ଅପରପକ୍ଷେ, ଏ ସମ୍ପର୍କରେ ଓଡ଼ିଶା ପକ୍ଷରୁ ଅଦାଲତରେ କୌଣସି ସୂଚନା ନଥିବାରୁ ଲୋକପାଳ ନିଯୁକ୍ତି ସମ୍ପର୍କିତ ସ୍ଥିତାବସ୍ଥା ଜଣାଇବାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଆର୍ ବାନୁମଥିଙ୍କ ଖଣ୍ଡପୀଠ ନିର୍ଦ୍ଦେଶ କରିଛନ୍ତି ।

ଦିଲ୍ଲୀର ବିଜେପି ନେତା ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଆବେଦନର ଶୁଣାଣି କରି ଗତକାଲି ଜମ୍ମୁ କଶ୍ମୀର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପୁଡ଼ୁଚେରୀ, ତାମିଲନାଡ଼ୁ, ତେଲେଙ୍ଗାନା, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟକୁ ଖଣ୍ଡପୀଠ କାରଣ ଦର୍ଶାଇବାକୁ କହିଛନ୍ତି । କେତେ ତାରିଖ ମଧ୍ୟରେ ସଂପୃକ୍ତ ରାଜ୍ୟଗୁଡ଼ିକ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ସାରିବେ ସେ ସମ୍ପର୍କରେ ମଧ୍ୟ ସ୍ପଷ୍ଟ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଲୋକାୟୁକ୍ତ ଆଇନ ୨୦୧୩ର ଧାରା ୬୩ ଅନୁଯାୟୀ, ପ୍ରତ୍ୟେକ ରାଜ୍ୟ ଲୋକାୟୁକ୍ତ ନିଯୁକ୍ତ କରିବା ଉଚିତ୍ । ତେବେ ଆବେଦନକାରୀ ଅଶ୍ୱିନୀ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ୨୦୧୪ ଜାନୁଆରି ୧ରେ ଲୋକପାଳ ଏବଂ ଲୋକାୟୁକ୍ତ ଆଇନ ୨୦୧୩ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କରିଥିଲା ଏବଂ ୨୦୧୪ ଜାନୁଆରି ୧୬ରେ ଏହା କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ ଦୀର୍ଘ ବର୍ଷ ପରେ ମଧ୍ୟ ଏଯାବତ୍ ରାଜ୍ୟମାନଙ୍କରେ ଲୋକପାଳ ନିଯୁକ୍ତ ହୋଇନାହିଁ ବୋଲି ଅଶ୍ୱିନୀ ପ୍ରଶ୍ନ କରିଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୨ ତାରିଖରେ ହେବ।