ସରକାରଙ୍କ ମାଳ ମାଳ ଯୋଜନାରେ ଚେପା ରାଜ୍ୟ ରାଜକୋଷ : ଷ୍ଟକ ବିକି ଖୋଲାବଜାରରୁ ୫୦୦ କୋଟି ଟଙ୍କାର ଋଣ ଉଠାଉଛନ୍ତି ରାଜ୍ୟ ସରକାର, ବିରୋଧୀଙ୍କ ସମାଲୋଚନା 

738

କନକ ବ୍ୟୁରୋ : ପୁଳା ପୁଳା ଯୋଜନା କରୁଛନ୍ତି ରାଜ୍ୟ ସରକାର । ହେଲେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ସରକାର ଆବଶ୍ୟକ ହେଉଥିବା ଆୟର ଉତ୍ସ ସୃଷ୍ଟି କରୁନାହାଁନ୍ତି  । ଫଳରେ ଏହାକୁ ପୂରଣ କରିବା ପାଇଁ ଘାରିଛି ଅର୍ଥ ଚିନ୍ତା । ଏହାକୁ ମୁକାବିଲା କରିବା ପାଇଁ ସରକାରୀ ଷ୍ଟକ୍ ବିକ୍ରି କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ସରକାର । ଅନ୍ୟପଟେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜକୋଷ ଦୁର୍ବଳ ହେବା ସହ ଆଗକୁ ରାଜ୍ୟରେ ଆର୍ଥିକ ପରିସ୍ଥିିତି ବିଗିଡିଯିବାର ଆଶଙ୍କା କରିଛନ୍ତି ଅର୍ଥନୀତିଜ୍ଞ ।

ସରକାରଙ୍କ ମାଳ ମାଳ ଯୋଜନାରେ ଚେପା ହୋଇଗଲାଣି ରାଜ୍ୟ ରାଜକୋଷ । ଟଙ୍କା ଚିନ୍ତା ଏତେ ଉତ୍କଟ ହୋଇଛି ଯେ ରାଜ୍ୟ ସରକାର ନିଜ ଷ୍ଟକ ବିକି ଖୋଲା ବଜାରରୁ ୫୦୦ କୋଟି ଟଙ୍କା ଋଣ ଉଠାଉଛନ୍ତି । ସରକାରୀ ଷ୍ଟକ ବିକ୍ରି ପାଇଁ ଅର୍ଥବିଭାଗ ନିଲାମୀ ବିଜ୍ଞପ୍ତି ପ୍ରକାଶ କରିଛି । ୧୧ ତାରିଖରେ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତିରେ ୧୬ ତାରିଖରେ ନିଲାମୀ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଖୋଲା ବଜାରରେ ଷ୍ଟକ ନିଲାମୀ କରି ୫ ବର୍ଷ ପାଇଁ ୫୦୦ କୋଟି ଟଙ୍କା ଋଣ ଆଣିବେ ସରକାର । ୨୦୨୪ରେ ଏହି ଋଣ ପରିଶୋଧ କରାଯିବ ।

୨୦୧୯-୨୦ ବଜେଟ୍ ରେ କୁହାଯାଇଥିଲା,

ବିଭିନ୍ନ କ୍ଷେତ୍ରରୁ ୨୩ ହଜାର ୭୮୪ କୋଟି ଟଙ୍କା ଋଣ କରାଯିବ

ଫଳରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋଟ ଋଣ ପରିମାଣ ୧ ଲକ୍ଷ ୬ ହଜାର ଟଙ୍କା ଛୁଇଁବ

ଏହା ସତ୍ତେ୍ୱ ରାଜ୍ୟର ଋଣ ପରିମାଣ ମୋଟ ଘରୋଇ ଉତ୍ପାଦର ୧୯.୭ ପ୍ରତିଶତ ହେବ

ସରକାରଙ୍କ ଯୁକ୍ତି ହେଉଛି, ନିୟମ ଅନୁଯାୟୀ ବକେୟା ଋଣ ଓ ସାମଗ୍ରିକ ଘରୋଇ ଉତ୍ପାଦ ଅନୁପାତ ୨୫ ପ୍ରତିଶତରୁ କମ ହେବା ଆବଶ୍ୟକ

ଜିଏସଟି ନେଇ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ ହୋଇପାରୁନାହିଁ । ପରିବହନ ଓ ଖଣି କ୍ଷେତ୍ରରୁ ଟିକସ କମିବାର ସଂକେତ ମିଳୁଛି । ଯେଉଁ ପରିମାଣର ଖର୍ଚ୍ଚ ବଢ଼ୁଛି, ଆୟ ସେହି ଅନୁରୂପ ବୃଦ୍ଧି ପାଇବାର ସମ୍ଭାବନା ଦେଖାଯାଉନାହିଁ ।