ଅନୁଗୁଳ ଚିକିତ୍ସାଳୟ ପରିସରରେ ଝଡ଼ାଫୁଙ୍କା : ଯୁବତୀଙ୍କ ଚିକିତ୍ସା ପରେ ମଧ୍ୟ ଡାହାଣୀ ଝାଡିବା ଦୃଶ୍ୟ ଚର୍ଚ୍ଚାରେ ରହିଛି

228

କନକ ବ୍ୟୁରୋ : ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ଅନ୍ଧବିଶ୍ୱାସକୁ ଜାବୁଡି ଧରୁଛି । ଆଜି ବି ଆମ ସମାଜର ଅନେକ ଲୋକ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି । ମୁଖ୍ୟତଃ ଉପାନ୍ତ ଜିଲ୍ଲାରେ ରୋଗ ଭଲ ପାଇଁ ଚେଙ୍କ ଚିକିତ୍ସା ହେଉ ବା ଗୁଣିଗାରେଡି ଉପରେ ବିଶ୍ୱାସ କରନ୍ତି ଲୋକେ । ଆଧୁନିକ ଯୁଗରେ ମଧ୍ୟ ଲୋକେ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଛନ୍ତି । ତେବେ ଅଜଣା, ଅଶିକ୍ଷିତ ଲୋକ ଗୁଣିଗାରେଡ଼ି ଉପରେ ବିଶ୍ୱାସ କରିବା ଅଲାଗା କଥା । କିନ୍ତୁ ଡାକ୍ତରଖାନାରେ ଝଡାଫୁଙ୍କା କରିବା ନିହାତି ଆଶ୍ଚର୍ଯ୍ୟକର କଥା ।

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଦେଖିବାକୁ ମିଳିଛି ଗୁଣିଆର ଝଡଫୁଙ୍କା । ଏଥର ସାପ କାମୁଡା ନୁହେଁ ବରଂ ଏଥର ଭୁତ ଡାହାଣୀ ଝାଡିବା ପାଇଁ ଗୁଣିଆ ଝଡା ଫୁଙ୍କା କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବନ୍ତଳା ଥାନା ଅନ୍ତର୍ଗତ ସରଦପୁର ଗ୍ରାମର ବିଶ୍ୱନାଥ ସାହୁଙ୍କ ୧୯ ବର୍ଷିଆ ଝିଅ ମନୋରମା ସାହୁଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଅନୁଗୁଳ ଚିକିିତ୍ସାଳୟକୁ ଅଣାଯାଇଥିଲା । ତାଙ୍କୁ ଡାକ୍ତର ଦେଖି ସାରିବା ପରେ ଡାକ୍ତରଖାନାର ବାରଣ୍ଡାରେ ରେଖା ଯାଇଥିଲା । ସେହି ସମୟରେ ଜଣେ ଗୁଣିଆ ତାଙ୍କୁ ଫୁଙ୍କାଝଡ଼ା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୁଣିଆ ଜଣକ ବଡ ପାଟିରେ ମନ୍ତ୍ର ଉଚ୍ଚାରଣ କରୁଥିବାର ଜଣାପଡିଥିଲା । ତେବେ ଅନ୍ଧବିଶ୍ୱାସ ବଶର୍ତ୍ତି ହୋଇ ଚିକିତ୍ସା ପରେ ମଧ୍ୟ ଗୁଣି ଗାରେଡିରେ ବିଶ୍ୱାସ ରଖୁଥିିବା କଥା ଚର୍ଚ୍ଚାର ବିଷୟ ପାଲଟିଛି ।