ଆଜି ବି ଅନ୍ଧବିଶ୍ୱାସର କବଳିତ ମଣିଷ ସମାଜ : ଜ୍ୱର ଭଲ କରିବା ପାଇଁ ନାବାଳକ ପାଟିରେ କୁଲା ଧରାଇ ବିଲରେ ଚଲାଇଲା ଗୁଣିଆ

50

କନକ ବ୍ୟୁରୋ : ମଣିଷ ଯେତିକି ଆଧୁନିକ ହେଉଛି ସେତିକି ଅନ୍ଧବିଶ୍ୱାସକୁ ଜାବୁଡି ଧରୁଛି । ଆଜି ବି ଆମ ସମାଜର ଅନେକ ଲୋକ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି । ମୁଖ୍ୟତଃ ଉପାନ୍ତ ଜିଲ୍ଲାରେ ରୋଗ ଭଲ ପାଇଁ ଚେଙ୍କ ଚିକିତ୍ସା ହେଉ ବା ଗୁଣିଗାରେଡି ଉପରେ ବିଶ୍ୱାସ କରନ୍ତି ଲୋକେ । ଏବେ ଏମିତି ଏକ ଘଟଣା ଉପକୂଳ ଓଡିଶାର ଆଗୁଆ ଜିଲ୍ଲା ଯାଜପୁରରୁ ସାମ୍ନାକୁ ଆସିଛି ।

ଜ୍ୱର ଭଲ କରିବା ପାଇଁ ନାବାଳକ ପାଟିରେ କୁଲା ଧରାଇ ଗହୀର ବିଲରେ ଚଲାଇଲା ଗୁଣିଆ । ଅସୁସ୍ଥ ନାବାଳକ ଜଣଙ୍କ ପାଟିରେ କୁଲା ଧରି ଚାଲି ନପାରିବାରୁ ତାକୁ ଗୁଣିଆ ମାଡ ମାରୁଥିବା ଭିଡିଓ ଭାଇରାଲ ହୋଇଛି । ବିଂଝାରପୁର ଥାନା ଅନ୍ତର୍ଗତ ବାଙ୍କିପାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଭିଡିଓ ଭାଇରାଲ ହେବା ପରେ ଶିଶୁ ସୁରକ୍ଷା ସମିତି ଘଟଣାର ତଦନ୍ତ ଆରମ୍ଭ କରିିଥିଲେ ହେଁ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।

ସେପଟେ ନାବାଳକର ପରିବାର ଲୋକେ ଏନେଇ ମୁହଁ ଖୋଲିବାକୁ ନାରାଜ । ତଦନ୍ତରୁ ଘଟଣାଟି ସଂପୂର୍ଣ୍ଣ ସତ୍ୟ ହୋଇଥିବା ସ୍ୱୀକାର କରିଛନ୍ତି ତଦନ୍ତକାରୀ ଦଳ । ଏନେଇ ଶିଶୁ ସୁରକ୍ଷା ସମିତି ପକ୍ଷରୁ ବିଂଝାରପୁର ଥାନାରେ ଏତଲା ଦିଆଯାଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସର ଶିଥିଳ ମନୋଭାବକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଶିଶୁ ସୁରକ୍ଷା ନେଇ ରହିଛି ଏକାଧିକ ଆଇନ୍ । ଶିଶୁଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ରହିଛନ୍ତି ମାଳ ମାଳ ଅଧିକାରୀ । ପ୍ରତ୍ୟେକ ଥାନାରେ ରହିଛି ମହିଳା ଓ ଶିଶୁ ସୁରକ୍ଷା ଡେସ୍କ । କିନ୍ତୁ ଏତେ ସବୁ ପ୍ରମାଣ ଥାଇ ବି ପୋଲିସ କାହିଁକି ହାତ ବାନ୍ଧି ବସିଛି ତାକୁ ନେଇ ଉଠିଛି ପ୍ରଶ୍ନ ।