ନାଗବଂଶ ରହସ୍ୟରୁ ଉଠିଲା ପରଦା ! ଅନ୍ଧ ବିଶ୍ୱାସରୁ ବଂଶ ବଢାଉଥିଲା ନାଗ ସାପ । ଧାମନଗର ପରେ ପିପିଲିରୁ ୧୨ଟି ନାଗ ସାପ ଛୁଆ ଉଦ୍ଧାର ।

110

କନକ ବ୍ୟୁରୋ : ଭଦ୍ରକ ଧାମନଗରରେ ନାଗବଂଶର ଖବରକୁ ନେଇ ଯେଉଁ ତିନି ଦିନ ହେଲା ଚର୍ଚ୍ଚା ଆଲୋଚନା ଲାଗି ରହିଛି ତା’ ଉପରୁ ଏକ ବଡ ରହସ୍ୟ ଉନ୍ମୋଚିତ ହୋଇଛି । କେଉଁଠୁ ଆସିଲେ ଶହଶହ ନାଗ, ଗୋଟିଏ ଘରୁ ଏତେ ସାପ ବାହାରିବା ସଂଭବ କି ? ଏଭଳି ଯେଉଁ ପ୍ରଶ୍ନ ଉଠୁଥିଲା, ତା ଉପରୁ ପରଦା ଉଠିଛି । ଆଉ ସାପ ବଂଶବୃଦ୍ଧି ପାଇବାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ମାଟି ଘରର ଏହି ସବୁ ଗାତରେ ହିଁ ବର୍ଷ ବର୍ଷ ଧରି ରହି ଆସୁଥିଲେ ସେହି ବିଶଧର ସାପ । ଦୁଇ-ଚାରିଟି ନୁହେଁ ଗୋଟିଏ ଘରୁ ଉଦ୍ଧାର ହୋଇଥିଲେ ପ୍ରାୟ ଦେଢ଼ ଶହ ନାଗସାପ । ଘରର ବିଭିନ୍ନ କୋଣରେ ଲୁଚି ରହିଥିବା ଏହି ସାପ ସବୁ ଗୋଟିଏ ସ୍ଥାନରୁ ବାହାରିବା ପରେ ଘଟଣାର ଗୁରୁତ୍ୱ ବଢ଼ିଯାଇଥିଲା । ସାପ ସବୁ ବିଭିନ୍ନ ଗାତରେ ରହି ଆସୁଥିଲେ ।

ତେବେ ସବୁଠାରୁ ବଡ କଥା ହେଉଛି ସାପ ବଂଶବୃଦ୍ଧି ପଛରେ ରହିଛି ଏମିତି ଏକ କାରଣ, ଯାହା ଅନ୍ଧବିଶ୍ୱାସ ଉପରେ ପର୍ଯ୍ୟବେସିତ । ଘରେ ଭିତରେ ଥିବା ଉଈ ହୁଙ୍କା ଏବଂ ଏହାକୁ ନେଇ ଜଣେ ମଙ୍ଗଳା ସାଧକ ପରାମର୍ଶ ହିଁ ସାପବଂଶ ବୃଦ୍ଧିର କାରଣ । ଘରର ମୁରବୀ ବିଜୟ ଭୁୟାଁ ଘରେ ସାପ ରହିଥିବା ଜାଣିଥିଲେ ସୁଦ୍ଧା ସାଧକଙ୍କ ପରାମର୍ଶ ଅନୁସାରେ କ୍ଷୀର, ଧୂପ ଏବଂ ଫୁଲ ଦେଇ ପୂଜା କରୁଥିଲେ । ଯାହା ଫଳରେ ଘରେ ସାପସବୁ ଅନାୟାସରେ ବଢ଼ିବାରେ ଲାଗିଥିଲେ । ଧାମନଗର ପାଇକସାହିର ବିଜୟଙ୍କ ଘରୁ ୧୩୦ଟି ନାଗ ସାପ ବାହାରି ଥିବା ବେଳେ ପାଖ ଗାଁ କଂଟାବାରେଣୀରୁ ବାହାରିଥିଲା ୨୦ଟି ସାପ । ଯାହାକୁ ଏବେ ସାରା ଅଂଚଳରେ ଏକ ଆତଙ୍କର ବାତାବରଣ ଖେଳି ଯାଇଛି । ଆଉ ଏସବୁ ଭିତରେ ଘର ଛାଡି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି ବିଜୟ ଭୁୟାଁ ।

ସେପଟେ ପିପିଲିରୁ ମଧ୍ୟ ଉଦ୍ଧାର ହୋଇଛି ନାଗ ସାପ ଛୁଆ । ପିପିଲି ସୁହାଗପୁରରୁ ଆଜି ୧୨ଟି ନାଗ ସାପ ଉଦ୍ଧାର କରାଯାଇଛି । ସ୍ଥାନୀୟ ବାସିନ୍ଦା ଅନାଦି ସାହୁଙ୍କ ଘରୁ ଏ ସବୁ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପଲାଇନ୍ ସଦସ୍ୟ । ତେବେ ଏବେ ବି ତାଙ୍କ ଘରେ ଆହୁରି ନାଗ ଥିବା ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।