ଆଜି ରାଜନୀତିରେ ପାଦ ଥାପିବେ କମଲ ହାସନ୍ ! ନୂଆଦଳର ଘୋଷଣା କରିବେ ଦକ୍ଷିଣ ସୁପରଷ୍ଟାର

27

ରାଜନୀତିରେ କମଲ୍ ହାସନ୍ । ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଦକ୍ଷିଣୀ ସିନେ ଜଗତର ଜଣାଶୁଣା ଅଭିନେତା କମଲ ହାସନ୍ । ଆଜି ସେ ନିଜର ନୂଆ ରାଜନୈତିକ ଦଳର ନାଁ ଘୋଷଣା କରିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜରିୱାଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । କମଲ ହାସନଙ୍କ ଦଳ ଘୋଷଣା ପରେ ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବା ନେଇ ସମ୍ଭାବନା ଦେଖା ଦେଇଛି । ତେବେ ବିଧିବଦ୍ଧ ଭାବେ ରାଜନୀତିକୁ ଆସିବା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଘରକୁ ଯାଇଥିଲେ କମଲ ହାସନ୍ । ଗତକାଲି ରାମେଶ୍ୱରମରେ ପହଂଚିବା ପରେ କଲାମଙ୍କ ଘରକୁ ଯାଇ ତାଙ୍କ ଭାଇ, ଭାଉଜଙ୍କୁ ସାକ୍ଷାତ କରିଥିଲେ । ଏହା ସହ ଆଜି ରାମେଶ୍ୱରମ୍ ଗଣେଶ ମହଲରେ ମତ୍ସ୍ୟଜୀବୀ ସମୁଦାୟଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ନିଜ ସମର୍ଥକମାନଙ୍କୁ ସାକ୍ଷାତ କରିବା ପରେ ନୂଆ ପାର୍ଟିର ନାଁ ଘୋଷଣା କରିବେ କମଲ୍ ହାସନ୍ ।

ସୁପରଷ୍ଟାର କମଲ ହାସନ୍ ରାଜନୀତିରେ ପ୍ରବେଶ କରିବେ ଜାଣିବା ପରେ ସାରା ଦେଶରେ ହଲଚଲ ସୃ୍ଷ୍ଟି ହୋଇଛି । କମଲ ହାସନ କୃଷକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଅନେକ ସରକାର ମତ୍ସ୍ୟଜୀବୀ ମାନଙ୍କ ପାଇଁ ବଡ଼ ବଡ଼ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ପୁରଣ କିରବା ସମୟ ଆସିଲେ ସବୁ କିଛି ଭୁଲି ଯାହାନ୍ତି । ସେ କହିଛନ୍ତି ମୁଁ ଖୁବଶୀଘ୍ର ଆପଣଙ୍କୁ ସାକ୍ଷାତ କରିବା ପାଇଁ ଆସିବି । କମଲ ହାସନ ରାଜନୀତିକୁ ଆସିବା ପାଇଁ ବିଧିବଦ୍ଧ ଭାବେ ଘୋଷଣା କରିବା ପରେ ରାଜ୍ୟ ରାଜନୀତିରେ ହଇଚୟ ସୃଷ୍ଟି ହୋଇଯାଇଥିଲା । ତେବେ ଆଗକୁ ଦେଖାଯିବ କମଲ ହାସଲଙ୍କ ଦଳ ଲୋକଙ୍କ ପାଇଁ କ’ଣ କରୁଛନ୍ତି ।