ଯେଉଁ ନିୟମ ବଳରେ ଇଂଲଣ୍ଡ ବିଶ୍ୱକପ ବିଜେତା ହୋଇଥିଲା, ସେହି ନିୟମକୁ ବଦଳାଇଲା ଆଇସିସି । ଜାଣନ୍ତୁ ନୂଆ ନିୟମରେ କେମିତି ବଛାଯିବ ବିଜେତା ।

15,433

ଇଂଲଣ୍ଡ ଯେଉଁ ନିୟମ ପାଇଁ ବିଶ୍ୱକପ ଟ୍ରଫି ହାତେଇଥିଲା ସେହି ନିୟମକୁ ରଦ୍ଦ କରିଲା ଆଇସିସି । ଆଉ ଏହାସହ ବଦଳିଲା ସୁପର ଓଭରର ନିୟମ । ଏଣିକି ସୁପର ଓଭରରେ ମ୍ୟାଚ୍ ଟାଇ ରହିଲେ ବାଉଣ୍ଡରୀ ଆଧାରରେ ବିଜେତା ବଛା ଯିବ ନାହିଁ । ବରଂ ଯେତେ ଯାଏଁ ଗୋଟିଏ ଦଳ ଅନ୍ୟ ଦଳ ଠାରୁ ଅଧିକ ରନ୍ ସଂଗ୍ରହ ନ କରିଛି ସେତେବେଳ ଯାଏଁ ସୁପର ଓଭର ଖେଳାଯିବ ବୋଲି ସ୍ପଷ୍ଟ କରିଛି ଆଇସିସି । ତେବେ ଏହି ନିୟମ କେବଳ ସେମିଫାଇନାଲ ଓ ଫାଇନାଲ ମ୍ୟାଚରେ ଲାଗୁହେବ । ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ସୁପର ଓଭରରେ ମ୍ୟାଚ୍ ଟାଇ ରହିଲେ ଦୁଇ ଦଳକୁ ସମାନ ପଏଣ୍ଟ ମିଳିବ ।

ଉଦାହରଣ ଅନୁଯାୟୀ, ଯଦି ଗ୍ରୁପ ପର୍ଯ୍ୟାୟରେ ଉଭୟ ଦଳ ୫୦ ଓଭରରେ ସମାନ ସ୍କୋର କରନ୍ତି ତେବେ ମ୍ୟାଚର ଫଳାଫଳ ପାଇଁ ଥରେ ମାତ୍ର ସୁପର ଓଭର ଖେଳାଯିବ । ଆଉ ଏହି ସୁପର ଓଭର ମ୍ୟାଚ୍ ଟାଇ ରହିଲେ ଦୁଇ ଦଳ ମଧ୍ୟରେ ସମାନ ପଏଣ୍ଟ ବାଣ୍ଟି ଦିଆଯିବ । କିନ୍ତୁ ସେମିଫାଇନାଲ ଓ ଫାଇନାଲ ମୁକାବିଲାରେ ଫଳାଫଳ ନ ଆସିବା ଯାଏଁ ସୁପର ଓଭର ଖେଳାଯିବ । ଦିନିକିଆ ଓ ଟି-୨୦ ବିଶ୍ୱକପର ପ୍ରତିଟି ମ୍ୟାଚରେ ଏହି ନୂଆ ସୁପର ଓଭର ନିୟମ ଲାଗୁ କରାଯିବ ।

ଏହାପୂର୍ବରୁ ଚଳିତ ବିଶ୍ୱକପ ଫାଇନାଲ ମ୍ୟାଚରେ ମଧ୍ୟ ସୁପର ଓଭରରେ ବିଜେତା ବଛା ଯାଇଥିଲା । ଏହି ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୪୧ ରନ୍ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ନିର୍ଦ୍ଧାରିତ ଓଭରରେ ୨୪୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଫଳରେ ମ୍ୟାଚଟି ଟାଇ ହୋଇଥିଲା । ଫଳରେ ବିଶ୍ୱବିଜେତା ବାଛିବାକୁ ସୁପର ଓଭର ଖେଳାଯାଇଥିଲା । ସୁପର ଓଭରରେ ମଧ୍ୟ ଉଭୟ ଟିମ୍ ୧୫ ରନ୍ କରିଥିବା ବେଳେ ଅଧିକ ବାଉଣ୍ଡରୀ ଆଧାରରେ ଇଂଲଣ୍ଡକୁ ବିଶ୍ୱବିଜେତା ଘୋଷଣା କରାଯାଇଥିଲା । ସେତେବେଳେ ଆଇସିସିର ଏହି ନିୟମକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।