ମାଟି ଛୁଇଁଲା ମହାବାତ୍ୟା । ସମୁଦ୍ରରୁ ଯାଇ ସ୍ଥଳଭାଗରେ ଅମ୍ଫାନର ଶେଷ ଯାତ୍ରା । ସୁନ୍ଦରବନରେ ଲ୍ୟାଣ୍ଡଫଲ ପରେ ଭୟଙ୍କର କ୍ଷତିରୁ ଅଳ୍ପକେ ବର୍ତ୍ତିଗଲା ଓଡିଶା ?

1,167

କନକ ବ୍ୟୁରୋ: ଓଡିଶା ପ୍ରତି ଟଳିଲା ବିପଦ । ଶେଷ ହେଲା ବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା । ସମୁଦ୍ର ଭିତରୁ ସୁ ସୁ ଗର୍ଜନ କରି ଆସୁଥିବା ମହାବାତ୍ୟା ସୁନ୍ଦରବନରେ ମାଡ ହୋଇଛି । ତେବେ ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ଅମ୍ଫାନ । ବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ଆଉ ସୁନ୍ଦରବନ ଅତିକ୍ରମ କଲାବେଳେ ପବନର ବେଗ ୧୫୫ରୁ ୧୬୫ କି.ମି ଥିଲା । ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୮୫ କିମି ଛୁଇଁଥିଲା । ଦୀଘ-ହାତୀଆ ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଛି ଅମ୍ଫାନ ।

ତେବେ ଓଡିଶାରେ ଉଗ୍ର ରୂପ ଦେଖାଇ ପଶ୍ଚିମବଙ୍ଗ ଆଡକୁ ମାଡିଥିଲା ବାତ୍ୟା ଅମ୍ଫାନ । ଘଂଟାକୁ ୨୮ କିଲୋମିଟର ବେଗରେ ସୁନ୍ଦରବନ ଆଡକୁ ଗତି ଶେଷରେ ଲ୍ୟାଣ୍ଡଫଲ କରିଛି । ୨ଟା ୩୦ରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ପାଖାପାଖି ୪ ଘଣ୍ଟା ଲ୍ୟାଣ୍ଡଫଲର ପ୍ରକୋପ ରହିଥିଲା । ଆଉ ଏହାର ପ୍ରଭାବ ଉତ୍ତର ଓଡିଶାରେ ପଡିଥିଲା । ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜରେ ପ୍ରବଳ ବର୍ଷା, ପବନ ସହ ତାଣ୍ଡବ ରଚିଥିଲା ଅମ୍ଫାନ ।

ସେପଟେ ଅମ୍ଫାନ ଆଖିରୁ ବର୍ତ୍ତିଗଲା ଓଡ଼ିଶା । ବାତ୍ୟା ଜନିତ ଭୟଙ୍କର କ୍ଷୟକ୍ଷତି ସ୍ଥିତି ଟଳିଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି । ପୂର୍ବାନୁମାନ ପରି ପ୍ରଭାବିତ ୪ଟା ଜିଲ୍ଲାରେ କ୍ଷୟକ୍ଷତିର ଆକଳନ କରାଯାଉଛି । ଆସନ୍ତାକାଲି ସୁଦ୍ଧା ପୂର୍ଣ୍ଣ ରିପୋର୍ଟ ଆସିବ । ଖୁବଶୀଘ୍ର ବିଦ୍ୟୁତ୍ ସରବରାହ କାର୍ଯ୍ୟକ୍ଷମ କରାଯିବ । ଟେଲିକମ୍ ଟାୱାର ଗୁଡ଼ିକର ବିଶେଷ କ୍ଷତି ହୋଇନାହିଁ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ତେବେ ବାତ୍ୟା ପରର ପରିସ୍ଥିତି ମୁକାବିଲା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ସେଗୁଡ଼ିକ ମରାମତି କରାଯିବ । ଉପକୂଳ ଜିଲ୍ଲାଗୁଡ଼ିକରେ କ’ଣ କ୍ଷତି ହୋଇଛି ତାର ଆକଳନ କରାଯିବ । ବ୍ୟକ୍ତିଗତ ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୪୮ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବେ ଜିଲ୍ଲାପାଳ । ସଠିକ୍ ରିପୋର୍ଟ ପରେ ହିଁ ଆକଳନର ସାର୍ବଜାନୀନ କରାଯିବ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି ।

ତେବେ ମହାମାରୀ ବେଳେ ମହାବାତ୍ୟା ଖବର ଓଡିଶାବାସୀଙ୍କ ମନରେ ଛନକା ଆଣିଥିବା ବେଳେ ରାଜ୍ୟ ସରକାର ଦୁଇ ଦୁଇଟି ଚାଲେଞ୍ଜକୁ ଗ୍ରହଣ କରିଥିଲେ । ଆଉ ମହାବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲେ । ବାତ୍ୟାର ଗତିବିଧି ଉପରେ ନଜର ରଖି ପ୍ରଭାବିତ ଜିଲ୍ଲାମାନଙ୍କରେ ସମସ୍ତ ତଳିଆ ଅଞ୍ଚଳ ଲୋକଙ୍କୁ ଉପରକୁ ଅର୍ଥାତ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ସହ ଘନ ଘନ ମିଟିଂ କରି ରାଜ୍ୟବାସୀଙ୍କୁ ତାଜା ତଥ୍ୟ ଦେଉଥିଲେ । ଆଉ ୟାରି ଭିତରେ ଅଳ୍ପକେ ବର୍ତ୍ତି ଯାଇଛି ଓଡିଶା । ବାତ୍ୟା ଜନିତ କିଛିକାଂଶ କ୍ଷୟକ୍ଷତି ଓ ଏହାର ପୁନରୁଦ୍ଧାର ପାଇଁ ସରକାରୀ ଟିମ୍ ଲାଗିପଡିଛି ।