ଆସନ୍ତାକାଲି ମହାକାଶରେ ଦେଖାଯିବ ରକ୍ତ-ନୀଳ ଜହ୍ନ ! ହେବ କି ମହାପ୍ରଳୟ? ଜାଣନ୍ତୁ ଭାଇରାଲ ମେସେଜର ସତ

149

କନକ ବ୍ୟୁରୋ : ଆସନ୍ତାକାଲି ପୂର୍ଣ୍ଣିମାରେ ହେଉଛି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ । ସଂଧ୍ୟା ୫ଟା ୧୮ରେ ଚନ୍ଦ୍ର ଗ୍ରହଣ ହେଉଥିବା ବେଳେ ଏହା ଶେଷ ହେବ ରାତି ୮ଟା ୩୧ ମିନିଟ୍ରେ । ଏହି ମହାଜାଗତିକ ସାରା ଭାରତରେ ଦୃଶ୍ୟମାନ ହେବ । ଅନ୍ୟପଟେ ଏହି ଗ୍ରହଣ ଆଉ ଅନେକ କାରଣରୁ ବି ନିଆରା । ଏହି ପୂର୍ଣ୍ଣମୀ ଜହ୍ନକୁ ବିଜ୍ଞାନୀମାନେ ନାଁ ଦେଇଛନ୍ତି, “ନୀଳ-ଲୋହିତ ସୁପରମୁନ୍” ।

ବୁଧବାର ସଂଧ୍ୟା ଆକାଶରେ “ନୀଳ-ଲୋହିତ ସୁପରମୁନ୍” ବିରଳ ମହାଜାଗତିକ ଦୃଶ୍ୟ ଆପଣ ଦେଖିପାରିବେ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ବୁଧବାର ଦେଖାଯିବାକୁ ଥିବା ଚନ୍ଦ୍ର ଗ୍ରହଣକୁ ନେଇ ଏହି ଭିଡିଓ ଜାରି କରାଯାଇଛି । ଏହି ପୂର୍ଣ୍ଣିମାରେ ହେଉଥିବା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅନ୍ୟ ଗ୍ରହଣଠାରୁ ନିଆରା । ଏହି ଚନ୍ଦ୍ରକୁ ସୁପରମୁନ ଏବଂ ନୀଳ ଜହ୍ନ ମଧ୍ୟ କୁହାଯାଏ । ପୃଥିବୀ ଓ ଚନ୍ଦ୍ରର ଦୂରତା ସାଧାରଣ ଦୂରତାଠାରୁ କମ୍ ଥିଲେ ଏହାର ଉଜଳତା ଅଧିକ ରହିବା ସହ ବଡ ଦେଖାଯାଏ । ସେହିପରି ଚଳିତ ମାସରେ ଏହା ଦ୍ୱିତୀୟ ପୂର୍ଣ୍ଣିମା ହୋଇଥିବାରୁ ଏହାକୁ ବ୍ଲୁ ମୁନ ବା ନୀଳ ଜହ୍ନ କୁହାଯାଉଛି ।ପୃଥିବୀ ଚାରିପଟେ ଘୁରିବୁଲୁଥିବା ଚନ୍ଦ୍ର ଏବଂ ସୂର୍ଯ୍ୟ ଏକ ସମତଳ ଓ ସରଳରେଖାରେ ଅବସ୍ଥିତ ହେଲେ ଏବଂ ଚନ୍ଦ୍ର ଓ ସୂର୍ଯ୍ୟ ମଧ୍ୟରେ ପୃଥିବୀ ରହିଲେ ଚନ୍ଦ୍ରଗ୍ରହଣ ହୋଇଥାଏ । ଅନ୍ୟପଟେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସମୟରେ ସୂର୍ଯ୍ୟ କିରଣ ପ୍ରତିସରଣ ହୋଇ ଚନ୍ଦ୍ରପୃଷ୍ଠରେ ପଡିଥାଏ । ଫଳରେ ଗ୍ରହଣ ଚନ୍ଦ୍ର ଫିକା ଲାଲ ବା ନାରଙ୍ଗୀ ଦେଖାଯାଏ । ତେଣୁ ଆସନ୍ତାକାଲିର ଚନ୍ଦ୍ରଗହଣ ବେଳେ ଚନ୍ଦ୍ର ଲାଲ ଦେଖାଯିବ । ଏହି ଚନ୍ଦ୍ରକୁ ଲାଲ ଜହ୍ନ ମଧ୍ୟ କୁହାଯାଉଛି ।

ଏହାକୁ ନେଇ ଆମ ପ୍ରଚଳିତ କୋହିନୂର ପାଂଜିରେ ବହୁ ତଥ୍ୟ ଦିଆ ଯାଇଛି । ପାଂଜି ଅନୁସାରେ ଏହାକୁ ରାହୁ ଗ୍ରସ୍ତ ଗ୍ରସ୍ତୋଦୟ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ବୋଲି କୁହାଯାଇଛି । ଏଥିରେ ସ୍ପର୍ଶ ସଂଧ୍ୟା ୫ଟା ୨୦ରୁ ଆରମ୍ଭ ହୋଇଥିବା ବେଳେ ମୋକ୍ଷ ରାତି ୮ଟା ୪୭ ରେ ହେବ ବୋଲି ଗଣନା ହୋଇଛି । ବିଶେଷ କରି ଏଥିରେ ଉଲ୍ଲେଖ କରାଯାଇଛି, ବୁଧବାର ସକାଳ ୬ଟା ୨୫ରୁ ଦେବନୀତି, ପାକତ୍ୟାଗ ଅନ୍ନଭୋଜନ ନିଷେଧ । ଅର୍ଥାତ ସୂର୍ଯ୍ୟୋଦୟ ପରଠାରୁ ଖାଇବା ମନା ।ଏହାସହ ଗ୍ରହଣ ବେଳେ ପୂଜାର୍ଚ୍ଚନା କରାଯାଏ ନାହିଁ । ଏହାଛଡା ଗର୍ଭବତୀ ବାହାରକୁ ନ ବାହାରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

ସେହିଭଳି ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ୬.୨୧ ମିନିଟରୁ ୭.୩୭ ମିନିଟ ମଧ୍ୟରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ ସେହି ସମୟରେ ଓଡ଼ିଶା ତଥା ଭାରତର ସମସ୍ତ ଅଞ୍ଚଳକୁ ଚନ୍ଦ୍ରଟି ଲାଲ ବା ନାରଙ୍ଗି ରଙ୍ଗର ଦେଖାଯିବ । ଏହି ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ମଧ୍ୟ ଦେଖିହେବ । କିନ୍ତୁ ଖାଇବା ମନାକୁ ନେଇ ପାଂଜିର ପରାମର୍ଶର କୌଣସି ବିଜ୍ଞାନ ସମ୍ମତ କାରଣ ନାହିଁ ବୋଲି ବିଜ୍ଞାନୀମାନେ ମତ ଦିଅନ୍ତି । ଓଡିଶାରେ ଏହି ଜାଗତିକ ଦୃଶ୍ୟର ମଜା ସଂଧ୍ୟା ୬ଟା ୨୧ରୁ ରାତି ୭ଟା ୩୭ ପର୍ଯ୍ୟନ୍ତ ସମସ୍ତେ ନେଇପାରିବେ ।ପୂର୍ବରୁ ୧୯୮୨ରେ ସୁପର ବ୍ଲୁ ବ୍ଲଡ ମୁନ ଦେଖା ଦେଇଥିଲା । ତେବେ ଆଗାମୀ ସୁପର ବ୍ଲୁ ବ୍ଲଡ ମୁନ ଦେଖିବା ପାଇଁ ହେଲେ ୨୦୩୭ ଯାଏଁ ଅପେକ୍ଷା କରିବାକୁ ପଡିବ ।

ତେବେ ଏସବୁ ଭିତରେ ଆସନ୍ତା ଜାନୁଆରୀ ୩୧ ତାରିଖ ସନ୍ଧ୍ୟାରେ ଦେଖାଯିବାକୁ ଥିବା ସୁପର ବ୍ଲୁ ବ୍ଲଡ ମୁନ ମହାପ୍ରଳୟର ସଙ୍କେତ ବୋଲି ସୋସିଆଲ ମିଡିଆରେ ପ୍ରଚାର ହେଉଛି । ଏପରିକି ସୁପର ବ୍ଲୁ ବ୍ଲଡ ମୁନକୁ ପୂର୍ବରୁ ଜାପାନରେ ଘଟିଥିବା ସୁନାମୀ ସହ ଯୋଡି ଦିଆଯାଉଛି । କିନ୍ତୁ ଏଭଳି କଥାରେ ଆଦୌ ସତ୍ୟତା ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟେରିୟମ ପକ୍ଷରୁ କୁହାଯାଇଛି । ତେଣୁ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଉପଭୋଗ କରିବା ପାଇଁ ପ୍ଲାନେଟେରିୟମ ପକ୍ଷରୁ କୁହାଯାଇଛି ।