ମହାକାଶରେ ହସିଲା ରକ୍ତ-ନୀଳ ରଙ୍ଗର ସୁପରମୁନ୍ ! ୧୫୦ ବର୍ଷ ପରେ ଆକାଶରେ ଅଲୌକିକ ଦୃଶ୍ୟ

47

କନକ ବ୍ୟୁରୋ : ଆଜି ମହାକାଶରେ ଦେଖିବାକୁ ମିଳିଛି ମହାଜାଗତିକ ଦୃଶ୍ୟ । ସାରା ଭାରତରେ ରକ୍ତ-ନୀଳ ବର୍ଣ୍ଣର ସୁପରମୁନ୍ ଦେଖିବାକୁ ମିଳିଛି । ୧୫୦ ବର୍ଷ ପରେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ପାଇଛନ୍ତି ବିଶ୍ୱବାସୀ । ସୁପରମୁନ୍ ସହ ଆଜି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଥିବାରୁ ଆକାଶରେ ବିରଳ ଦୃଶ୍ୟ ଦେଖାଯାଉଛି । ସଂଧ୍ୟା ୫ଟା ୧୮ରେ ଚନ୍ଦ୍ର ଗ୍ରହଣ ଆରମ୍ଭ ହୋଇଛି । ଏହା ଶେଷ ହେବ ରାତି ୮ଟା ୩୭ ମିନିଟରେ । ଏହି ମହାଜାଗତିକ ଦୃଶ୍ୟ ଭାରତ ସମେତ ସାରା ବିଶ୍ୱରେ ଦୃଶ୍ୟମାନ ହେଉଛି । ଏଥିପାଇଁ ବିଜ୍ଞାନୀ ଓ ଗବେଷକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗିରହିଛି । ଗୋଟିଏ ପଟେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଅନ୍ୟ ପଟେ ଚନ୍ଦ୍ର ଓ ପୃଥିବୀ ପରସ୍ପରର ନିକଟତର ହୋଇଥିବାରୁ ବଡ଼ ଓ ଉଜ୍ୱଳ ଜହ୍ନ ବା ସୁପରମୁନ୍ ଦେଖିବାକୁ ମିଳିଛି ।

ଏହି ପୂର୍ଣ୍ଣମୀ ଜହ୍ନକୁ ବିଜ୍ଞାନୀମାନେ ନାଁ ଦେଇଛନ୍ତି, “ନୀଳ-ଲୋହିତ ସୁପରମୁନ୍” । ବ୍ଲୁ-ମୁନ୍ ଉପରେ ପୃଥିବୀର ଛାଇ ପଡିଥିବାରୁ ଏହାର ରଙ୍ଗ ଲାଲ୍ ହୋଇଯାଇଛି । ସେପଟେ ଜ୍ୟୋତିଷଙ୍କ ପାଂଜି ଅନୁସାରେ ଏହାକୁ ରାହୁ ଗ୍ରସ୍ତ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ବୋଲି କୁହାଯାଇଛି । ଜ୍ୟୋତିଷଙ୍କ ଗଣନା ଅନୁସାରେ ସଂଧ୍ୟା ୫ଟା ୨୦ରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଥିବା ବେଳେ ମୋକ୍ଷ ରାତି ୮ଟା ୪୭ ରେ ହେବ । ଏଥିପାଇଁ ସକାଳ ୬ଟା ୨୫ରୁ ଦେବନୀତି, ପାକତ୍ୟାଗ ଅନ୍ନଭୋଜନ ନିଷେଧ କରାଯାଇଛି । ସେପଟେ ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତିରେ ବ୍ୟାପକ ପରିବର୍ତନ କରାଯାଇଛି । ରାତି ୮ଟା ୪୭ରେ ଗ୍ରହଣ ଛାଡିବା ପରେ ସର୍ବ ମୋକ୍ଷ ହେବ । ସ୍ନାନଶୌଚ ପରେ ଠାକୁର ପୂଜା, ପାକ କରାଯିବା ବିଧି ରହିଛି ।