ଲାଞ୍ଚ ନେଇଥିଲେ, ଜେଲ ଗଲେ । ଜାମିନ ଆବେଦନ ଶୁଣାଣି ପରେ ନିଲମ୍ବିତ ଆଇଏଏସ ବିଜୟ କେତନଙ୍କୁ ପଠାଗଲା ଜେଲ, ଅନ୍ୟ ଅଭିଯୁକ୍ତ କହିଲେ, ଜବରଦସ୍ତି ଟଙ୍କା ରଖି ଗିରଫ କରିଛି ଭିଜିଲାନ୍ସ ।

265

କନକ ବ୍ୟୁରୋ : ଜେଲ ଗଲେ ଉଦ୍ୟାନ କୃଷିର ନିଲମ୍ବିତ ନିର୍ଦ୍ଦେଶକ ତଥା ଆଇଏଏସ ଅଧିକାରୀ ବିଜୟ କେତନ ଉପାଧ୍ୟାୟ । ଆସନ୍ତା ୮ ତାରିଖରେ ହେବ ପରବର୍ତି ଶୁଣାଣି । ବିଲ୍ ରିଲିଜ୍ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରିଥିଲା ଭିଜିଲ୍ାନ୍ସ । ୬ଦିନିଆ ରିମାଣ୍ଡରେ ନେଇ ପଚାରାଉଚରା କରିବା ପରେ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଜାମିନ ଆବେଦନ ରାୟ ସଂରକ୍ଷିତ ହେବା ପରେ ବିଜୟ କେତନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଭିଜିଲାନ୍ସର ଅଭିଯୋଗ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନାରେ ବଡ଼ ଧରଣର ଦୁର୍ନୀତିର କାର୍ପେଟଦାର ହେଉଛନ୍ତି ଉଦ୍ୟାନକୃଷିର ତକ୍ରାଳୀନ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ । ଚାଷୀମାନଙ୍କୁ ଜଳ ସିଞ୍ଚନ ଉପକରଣ ଯୋଗାଉଥିବା ଅଧିକୃତ ସପ୍ଲାୟରଙ୍କ ଠାରୁ ବିଲ୍ ଟଙ୍କା ପଇଠ ପାଇଁ ନେଇଥାନ୍ତି ଲାଞ୍ଚ । ତାଙ୍କ ପାଇଁ ଲାଞ୍ଚ ଟଙ୍କା ଆଦାୟ କରିଥାନ୍ତି ୟେସ ବ୍ୟାଙ୍କର ରିଲେସନସିପ ମ୍ୟାନେଜର ସନ୍ତୋଷ ପଟ୍ଟନାୟକ । ଭିଜିଲାନ୍ସର ୬ ଦିନିଆ ରିମାଣ୍ଡ ଶେଷ ହେବା ପରେ ଆଜି ଉଭୟ ବିଜୟ କେତନ ଓ ସନ୍ତୋଷ ପଟ୍ଟନାୟକଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ସନ୍ତୋଷଙ୍କ ଅଭିଯୋଗ, ବଡ଼ ବଡ଼ିଆଙ୍କ ଷଡଯନ୍ତ୍ରର ସେ ଶିକାର ହୋଇଛନ୍ତି । ତାଙ୍କ ପକେଟରେ ଜବରଦସ୍ତ ଟଙ୍କା ରଖି ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ସେପଟେ ଭିଜିଲାନ୍ସର ଯୁକ୍ତି ହେଉଛି, ଏସଆରଏମ ପ୍ଲାଷ୍ଟୋକେମ ପ୍ରାଇଭେଟ ଲିିମିଟେଡର ୫୦ ଲକ୍ଷ ଟଙ୍କାର ବିଲ୍ ରିଲିଜ କରିବା ପାଇଁ ୧ ଲକ୍ଷ ଟଙ୍କା ଦାବି କରିଥିଲେ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ । ତାଙ୍କ ପାଇଁ ସନ୍ତୋଷ ପଟ୍ଟନାୟକ ଟଙ୍କା ନେଲା ବେଳେ ଧରା ପଡିଥିଲେ । ତେବେ ସନ୍ତୋଷଙ୍କ ଭଳି ପୂର୍ବରୁ ବିଜୟ କେତନ ମଧ୍ୟ ଏହାକୁ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କହିଥିଲେ ।

ଗୋଟିଏ ପଟେ, ଅନ୍ୟ ଲାଞ୍ଚ ମାମଲା ଗୁଡିକରେ ବିଜୟ କେତନ ଉପାଧ୍ୟାୟ ଓ ସନ୍ତୋଷ ପଟ୍ଟନାୟକଙ୍କର ସଂପୃକ୍ତି ନେଇ ଖୋଳତାଡ ଚଳାଇଛି ଭିଜିଲାନ୍ସ ବିଭାଗ । ଅନ୍ୟପଟେ ଏହାକୁ ଏକ ବଡ଼ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରୁଛନ୍ତି ଦୁଇ ଅଭିଯୁକ୍ତ । ଫଳରେ ଦିନକୁ ଦିନ ଏହି ମାମଲା ନେଇ ରହସ୍ୟ ବଢ଼ିବାରେ ଲାଗିଛି ।