ଚଳିତ ବର୍ଷ ଅଂଶୁଘାତରେ ୩୬ ଜଣଙ୍କ ମୃତ୍ୟୁ ! ସପ୍ତାହକ ଭିତରେ ୬ ଜଣଙ୍କ ପ୍ରାଣହାନୀ

28

କନକ ବ୍ୟୁରୋ : ଚଳିତ ବର୍ଷ ଅଂଶୁଘାତରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି । ଏପ୍ରିଲରୁ ଜୁନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଗତ ୧୩ ତାରିଖରୁ ଆଜ ଯାଏଁ ୭ ଦିନ ମଧ୍ୟରେ ୬ ଜଣଙ୍କ ଜୀବନ ଯାଇଛି । ବରଗଡ ଓ ଖୋର୍ଦ୍ଧାରେ ସର୍ବାଧିକ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଡେପୁଟି ଏସଆରସି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ମୌସୁମୀର ପ୍ରଭାବ କମିଯିବା ଏବେ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଛି । ରାସ୍ତାଘାଟା ସହ ଘର ଚଟାଣ ମଧ୍ୟ ତାତି ଯାଉଛି । ସୂଚନା ଅନୁସାରେ ଏବେ ତାତିରୁ ନିସ୍ତାର ମିଳିବନି । ଆହୁରି ୪୮ ଘଣ୍ଟା ଯାଏ ଆକାଶରୁ ନିଆଁ ବର୍ଷା ହେବ । ଅର୍ଦ୍ଧାଧିକ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ । ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ । ଆଜି ପାଣିପାଗ ବିଜ୍ଞାନୀମାନେ ଏଭଳି ପୂର୍ବାନୁମାନ କରିଛନ୍ତି । ଏପଟେ ଉପକୂଳ ଓଡ଼ିଶାରେ ଆଜି ବି ପ୍ରଚଣ୍ଡ ତାତି ଅନୁଭୂତ ହୋଇଥିଲା । ଭୁବନେଶ୍ୱର ଲଗାତାର ତୃତୀୟ ଦିନ ପାଇଁ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ଗତକାଲି ଏଠାରେ ୪୨.୨ ଡିଗ୍ରି ତାପମାତ୍ରା ରହିଥିବା ବେଳେ ଆଜି ସର୍ବୋଚ୍ଚ ତାପମାତ୍ରା ୪୨.୩ ଡିଗ୍ରିରେ ପହଞ୍ଚିଥିଲା । ଅପରାହ୍ନ ଗୋଟାଏ ବେଳକୁ ଏଠାକାର ତାପମାତ୍ରା ସର୍ବୋଚ୍ଚ ରେକର୍ଡ ଛୁଇଁଯାଇଥିଲା । ଆଶ୍ୱାସନା ମିଳିଛି ଯେ ଜୁନ୍ ୨୨ ପରେ ତାତି କମିପାରେ । ୨୩ରୁ ୨୫ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ ।