ସୁଞ୍ଜୁୱାନ ସେନା କ୍ୟାମ୍ପର କାହାଣୀ। ସେନା ହସ୍ପିଟାଲରେ ଶିଶୁ କନ୍ୟାକୁ ଜନ୍ମଦେଲେ ଆତଙ୍କୀ ଗୁଳିରେ ଆହତ ମହିଳା ସେପଟେ ପରିବାରକୁ ବଂଚାଇବାକୁ ଯାଇ ଗୁଳି ଖାଇଲେ ଯବାନ

32

କନକ ବ୍ୟୁରୋ: ପରିବାରକୁ ରକ୍ଷା କରିବା ପାଇଁ ଆତଙ୍କବାଦୀଙ୍କ ସହ ଏକାକୀ ଲଢି ସହିଦ ହୋଇଗଲେ ସୁବେଦାର ମଦନ ଲାଲ ଚୌଧୁରୀ । ତାଙ୍କ ଛାତି ଓ କାନ୍ଧକୁ ଭେଦ କରିଗଲା ଶତ୍ରୁପକ୍ଷର ଗୁଳି । ତଥାପି ପରିବାର ପ୍ରତି କୌଣସି ବିପଦ ଆସିବାକୁ ଦେଇନଥିଲେ ଏହି ଭାରତୀୟ ସେନା ଯବାନ । ସଂପର୍କୀୟଙ୍କ ବିବାହ ଥିବାରୁ କିଣାକିଣି କରିବା ଲାଗି କାଠୁଆ ଜିଲ୍ଲା ହୀରାନଗରରୁ ସୁଞ୍ଜୁୱାନ ସେନା କ୍ୟାମ୍ପରେ ଥିବା କ୍ୱାର୍ଟର୍ସକୁ ଆସିଥିଲେ ପରିବାର ସଦସ୍ୟ ।

ହେଲେ ଅଚାନକ ହମଲା କରିଦେଇଥିଲେ ସଶସ୍ତ୍ର ଆତଙ୍କବାଦୀ । ଆଉ ପରିବାର ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏକାକୀ ଆତଙ୍କବାଦୀଙ୍କ ସହ ଭିଡି ଯାଇଥିଲେ ସୁବେଦାର ମଦନ ଲାଲ ଚୌଧୁରୀ । ପ୍ରବେଶ ପଥରେ ଯଗିରହି ପରିବାରର ଅନ୍ୟ ସଦସ୍ୟମାନଙ୍କୁ ପଛ ଗେଟ ଦେଇ ଚାଲିଯିବାକୁ କହିଥିଲେ । ତଥାପି ତାଙ୍କ ୨୦ ବର୍ଷର ଝିଅ ନେହା ଗୋଡରେ ଗୁଳି ବାଜିଥିବାବେଳେ ଭିଣୋଇ ପରମଜିତ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ । ଆଉ ପରିବାର ତଥା ଦେଶବାସୀଙ୍କୁ ସୁରକ୍ଷା ଦେବାକୁ ଯାଇ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ୫୦ ବର୍ଷୀୟ ଏହି ବୀର ଯବାନ ।

ଗୋଟିଏ ପଟେ ସୁଞ୍ଜୁୱାନରେ ଆତଙ୍କବାଦୀଙ୍କ ସହ ଲଢୁଥିଲା ସେନା, ଏପଟେ ୧୦ କିଲୋମିଟର ଦୂର ସତୱାରୀ ସେନା ହସ୍ପିଟାଲରେ ଆଉଏକ ଲଢେଇ ଜାରି ରଖିଥିଲେ ଡାକ୍ତର । ଆତଙ୍କବାଦୀଙ୍କ ଗୁଳି ବାଜିଥିବା ଜଣେ ପ୍ରସୂତିଙ୍କୁ ବଂଚାଇବାକୁ ଚଳାଇଥିଲେ ଉଦ୍ୟମ । ଶେଷରେ ଅସ୍ତ୍ରୋପଚାର କରି ପ୍ରସବ କରାଇବାରେ ସଫଳ ହୋଇଥିଲେ ସେନା ଡାକ୍ତର । ଶାହାଜାଦା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଉଭୟ ମାଆ ଓ ଶିଶୁ ଭଲଥିବା କହିଛନ୍ତି ଡାକ୍ତର ।

ଶନିବାର ଭୋରୁ ସୁଞ୍ଜୁୱାନ ସେନା କ୍ୟାମ୍ପ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଭାରତୀୟ ଯବାନଙ୍କ ପ୍ରାୟ ଦେଢଶହ ପରିବାର ରହୁଥିବା ଏହି କ୍ୱାର୍ଟର୍ସକୁ ଟାର୍ଗେଟ କରିଥିଲେ । ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିଲେ ୬ଜଣ ମହିଳା ଓ ଶିଶୁ । ଏମାନଙ୍କ ଭିତରେ ଥିଲେ ପ୍ରସୂତି ମହିଳା ଶାହଜାଦା । ଗୁଳି ବାଜିବା ପରେ ତାଙ୍କୁ ତୁରନ୍ତ ସତୱାରୀ ସେନା ହସ୍ପିଟାଲରେ ଭର୍ତି କରାଯାଇଥିଲା । ଜୈଶ-ଏ-ହମ୍ମମଦ ଆତଙ୍କବାଦୀଙ୍କ ଗୁଳିରେ ମେଜର ଅଭିଜିତ ସିଂଙ୍କ ସମେତ ମୋଟ ୧୦ଜଣ ଆହତ ହୋଇଛନ୍ତି । ଏମାନଙ୍କ ଭିତରେ ଜଣେ ୧୪ ବର୍ଷର ନାବାଳକ ରହିଛି । ଯାହାର ମୁଣ୍ଡରେ ଗୁଳି ବାଜିଛି ଓ ତାର ସ୍ୱସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ସେନା ପକ୍ଷରୁ କୁହାଯାଇଛି ।