ଓଡ଼ିଶା ପାଇଁ ଖୁସିଖବର ! ସୁନ୍ଦରଗଡ଼ ଝିଅ ନେବେ ଭାରତୀୟ ଦଳର ନେତୃତ୍ୱ, ଏସିଆନ ଚାମ୍ପିୟନ୍ସ ଟ୍ରଫି ପାଇଁ ସୁନୀତା ହେଲେ ଭାରତୀୟ ହକିର ଦଳର ଅଧିନାୟକ

63

କନକ ବ୍ୟୁରୋ : ହକିରେ ଓଡ଼ିଶାକୁ ଗର୍ବିତ କଲେ ଆଉ ଜଣେ ଓଡ଼ିଆ ଖେଳାଳି । ଭାରତୀୟ ମହିଳା ହକି ଦଳର ଅଧିନାୟକ ଭାବେ ସ୍ଥାନ ପାଇଛନ୍ତି ଆଉ ଜଣେ ଓଡ଼ିଆ । ଦକ୍ଷିଣ କୋରିଆରେ ହେବାକୁ ଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ମହିଳା ହକି ଦଳର ଅଧିନାୟକା ଦାୟିତ୍ୱ ତୁଲାଇବେ ଓଡ଼ିଶାର ସୁନୀତା ଲାକ୍ରା । ଏନେଇ ହକି ଇଣ୍ଡିଆ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି । ତେବେ ଏସିଆନ ଚାମ୍ପିୟନ ଟ୍ରଫିରେ ଭାରତୀୟ ଦଳର ନିୟମିତ ଅଧିନାୟକ ରାଣୀଙ୍କୁ ବିଶ୍ରାମ ଦିଆଯାଇଥିବାରୁ ସୁନୀତା ଲାକ୍ରା ଦଳର ନେତୃତ୍ୱ ନେବେ ।

ଦକ୍ଷିଣ କୋରିଆରେ ମେ ୧୩ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ଭାରତ । ଯେଉଁଥିରେ ସୁନୀତା ଲାକ୍ରାଙ୍କ ସମେତ ୫ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି । ଯାହା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ । ସେହିଭଳି ଗୋଲକିପର ସବିତାଙ୍କୁ ଉପ-ଅଧିନାୟକ ଭାବେ ବଛାଯାଇଛି । ମେ ୧୩ ତାରିଖରେ ଭାରତ ପ୍ରଥମ ମ୍ୟାଚରେ ଜାପାନକୁ ଭେଟିବାକୁ ଯାଉଛି ।

୨୦୧୬ ମସିହାରେ ଚୀନକୁ ହରାଇ ଏସିଆନ ଚାମ୍ପିୟନ ଟ୍ରଫି ହାସଲ କରିଥିବାରୁ ଏହି ବିଜୟ ଧାରାକୁ ବଜାୟ ରଖିବା ସୁନୀତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ପୂର୍ବରୁ ଓଡ଼ିଶାରୁ ଅନେକ ହକି ଖେଳାଳି ଜାତୀୟ ସ୍ତରରେ ନିଜର ପ୍ରତିଭା ଦେଖାଇସାରିଛନ୍ତି । ତେଣୁ ସୁନୀତାଙ୍କ ନେତୃତ୍ୱରେ ଭାରତ ପୁଣିଥରେ ଏସିଆନ ଚାମ୍ପିୟନସ ଟ୍ରଫି ବିଜୟୀ ହେଉ ଏହା ସମସ୍ତ ଓଡ଼ିଶାବାସୀଙ୍କ ଇଚ୍ଛା ।