କଂଗ୍ରେସରେ ବାପା, ବିଜେଡିରେ ଝିଅ ! ଶଙ୍ଖ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ, ସୁନ୍ଦରଗଡ ସାଂସଦ ପ୍ରାର୍ଥୀ ହେବା ନେଇ ବଢ଼ିଲା ଚର୍ଚ୍ଚା ।

123

କନକ ବ୍ୟୁରୋ : ବାପା କଂଗ୍ରେସରେ, ଝିଅ ବିଜେଡିରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନ କଂଗ୍ରେସର ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଥିବା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ, ଆଜି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ବିକାଶ ଯୋଜନାରେ ଅନୁପ୍ରାଣିତ ହୋଇ ସୁନୀତା ବିଜେଡିରେ ସାମିଲ ହୋଇଥିବା କହୁଥିବା ବେଳେ, ଓଡିଶା ରାଜନୀତିରେ ଭିନ୍ନ ଚର୍ଚ୍ଚା ହେଉଛି । ସୁନ୍ଦରଗଡରେ କଂଗ୍ରେସ, ସୁନୀତାଙ୍କୁ ବିଧାନସଭା ଟିକେଟ୍ ଦେବାକୁ ସୁପାରିଶ କରିଥିବା ବେଳେ ଏମପି ଟିକେଟ୍ ଚାହୁଁଥିଲେ ସୁନୀତା । ତେବେ ବିଜେଡିରେ ଯୋଗ ଦେବା ପରେ ଦଳ ତାଙ୍କୁ ସୁନ୍ଦରଗଡ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶଂଖ ଧରିଛନ୍ତି ସୁନୀତା । କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ମହିଳା ବିକାଶ ଯୋଜନା ତାଙ୍କୁ ବିଜେଡି ପ୍ରତି ଆକର୍ଷିତ କରିଛି । ସୁନ୍ଦରଗଡର ବିକାଶ ପାଇଁ କଂଗ୍ରେସ ଛାଡିଥିବା ସ୍ପଷ୍ଟ କରିଛନ୍ତି ସୁନିତା । ତେବେ ଚର୍ଚ୍ଚା ହେଉଛି, ସୁନ୍ଦରଗଡରେ ସୁନିତା ବିଶ୍ୱାଳଙ୍କୁ ବିଜେଡି, ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବ । ଏକାସଙ୍ଗେ ଆଦିବାସୀ ଏବଂ ମହିଳା କାର୍ଡ ଖେଳିବାକୁ ଯୋଜନା କରିଛି ବିଜୁ ଜନତା ଦଳ ।

ବାପା କଂଗ୍ରେସରେ, ଝିଅ ବିଜେଡିରେ । ସୁନ୍ଦରଗଡ ଏମପି ଟିକେଟ୍ ନେଇ ଚର୍ଚ୍ଚା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନ କଂଗ୍ରେସ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଥିବା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ବିଜେଡିରେ ଯୋଗ ଦେବା ପରେ କଂଗ୍ରେସକୁ ଲାଗିଛି ଜୋରଦାର ଝଟକା । ତେବେ ହେମାନନ୍ଦ କହିଛନ୍ତି, ଝିଅ ନିଜେ ତାର ନିଷ୍ପତି ନେଇଛି । ସୁନ୍ଦରଗଡରେ କଂଗ୍ରେସ, ସୁନୀତା ବିଶ୍ୱାଳଙ୍କୁ ବିଧାନସଭା ଟିକେଟ୍ ଦେବାକୁ ସୁପାରିଶ କରିଥିଲା । ତେବେ ଏମପି ଟିକେଟ୍ ଚାହୁଁଥିଲେ ସୁନିତା । ଏନେଇ କୌଣସି ନିଷ୍ପତି ନହେବାରୁ ବିଜେଡିକୁ ଯିବାକୁ ସେ ମନ ବଳାଇଥିଲେ ।

କୁହାଯାଉଛି, ଝିଅକୁ ମନାଇବା ପାଇଁ ବାପା ହେମାନନ୍ଦ ବିଶ୍ୱାଳଙ୍କୁ ଚାପ ପକାଇଥିଲେ, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ । ୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ ଆସନ ପାଇଁ ବିଜେପି ଜୁଏଲ ଓରାମଙ୍କୁ ଟିକେଟ୍ ଦେବାକୁ ଏକପ୍ରକାର ସ୍ଥିର କରିସାରିଛି । ସେପଟେ କଂଗ୍ରେସରେ ସାମିଲ ହୋଇଥିବା ବୀରମିତ୍ରପୁର ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତିର୍କୀଙ୍କୁ ଦଳ ଏମପି ଟିକେଟ୍ ଦେବା ନେଇ ଚୂଡାନ୍ତ ହୋଇଛି । ଏଭଳି ସ୍ଥିତିରେ ଦୁଇ ଟାଣୁଆ ନେତାଙ୍କୁ ଟକ୍କର ଦେବାକୁ ମହିଳା କାର୍ଡ ଖେଳିପାରେ ବିଜେଡି ।