ନିର୍ବାଚନୀ ମଇଦାନରେ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ ! ଜଣେ ବିଜେଡ଼ିରୁ ଆଉ ଜଣେ କଂଗ୍ରେସରୁ ଲଢ଼ିବେ ନିର୍ବାଚନ

948

କନକ ବ୍ୟୁରୋ : ବଡ଼ ଭଉଣୀ ବିଜେଡ଼ି ପ୍ରାର୍ଥୀ । ଆଉ ସାନ ଭଉଣୀ କଂଗ୍ରେସ ପ୍ରାର୍ଥୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ ଏଥର ନିର୍ବାଚନ ମଇଦାନରେ ଅଛନ୍ତି । ହେମାନନ୍ଦଙ୍କ ବଡ଼ ଝିଅ ସୁନୀତା ବିଶ୍ୱାଳ ବିଜୁ ଜନତା ଦଳର ଟିକେଟରେ ସୁନ୍ଦରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ଅନ୍ୟପଟେ ସାନ ଝିଅ ଅମିତା ବିଶ୍ୱାଳ କଂଗ୍ରେସ ଟିକେଟରେ ସୁନ୍ଦରଗଡ ବିଧାନସଭା ଆସନରୁ ନିର୍ବାଚନରେ ଲଢୁଛନ୍ତି ।

ବଡ ଭଉଣୀ ବିଜେଡି ଓ ସାନ ଭଉଣୀ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ହେତୁ ଏଥର ରୋଚକ ଲଢେଇ ଦେଖିବାକୁ ମିଳିବ । ସୂଚନାଯୋଗ୍ୟ ସୁନୀତା ବିଶ୍ୱାଳ କିଛି ଦିନ ତଳେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଭିନ୍ନ ଭିନ୍ନ ଦଳରୁ ନିର୍ବାଚନ ଲଢ଼ିଲେ ମଧ୍ୟ ତେବେ ଉଭୟଙ୍କ ମଧ୍ୟରେ ଲଢ଼େଇ ହେବ ନାହିଁ । ଅମିତା ବିଶ୍ୱାଳ ଓ ସୁନୀତା ବିଶ୍ୱାଳ ଦୁହେଁ ଗୃହିଣୀ । ଆଗରୁ ଦୁଇ ଭଉଣୀ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନଥିଲେ ।

ଆଜି ମଧ୍ୟ ରାତ୍ରିରେ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିଛି କଂଗ୍ରେସ । ଏଠାରୁ ନିର୍ବାଚନ ଲଢ଼ୁଥିବା ଅମିତା ବିଶ୍ୱାଳ କହିଛନ୍ତି ମୋ ଉପରେ ଭରସା କରି ଦାୟିିତ୍ୱ ଦେଇଥିବାରୁ ଧନ୍ୟବାଦ । ରାହୁଲ ଗାନ୍ଧୀ ଓ ପିସିସି ସଭାପତିଙ୍କ ଭରସା ବେକାର ଯିବନି, ଲୋକଙ୍କ ପାଇଁ କାମ କରିବି । ଦଳ ଛାଡ଼ୁଥିବା ନେତାଙ୍କୁ ଦୁର୍ବଳ ଭାବେ ଅଭିହିତ କରିଛନ୍ତି ଅମିତା । ତେବେ ଚଳିତ ନିର୍ବାଚନରେ ମୋର ବିଜୟ ନିଶ୍ଚିତ ବୋଲି ସୁନିଶ୍ଚିତ କରିଛନ୍ତି ।

ସୂଚନାଯୋଗ୍ୟ ୨୦୧୪ ଲୋକସଭା ନିର୍ବାଚନରେ ହେମାନନ୍ଦ ବିଶ୍ୱାଳ ସୁନ୍ଦରଗଡ଼ (ସଂରକ୍ଷିତ) ଆସନରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ ହୋଇଥିଲେ,ମାତ୍ର ପରାଜିତ ହୋଇଥିଲେ। ତେବେ ୨୦୦୯ ଲୋକସଭା ନିର୍ବାଚନରେ ସେ ଏଠାରୁ ବିଜୟୀ ହୋଇଥିଲେ।