ବ୍ରହ୍ମପୁର ସହରକୁ ବଲିଉଡ କଳାକାରଙ୍କ ବାର୍ତ୍ତା : ସ୍ୱଚ୍ଛତାରେ ସୁଧାର ପାଇଁ ଅପିଲ କଲେ ବଲିଉଡ ଷ୍ଟାର ସୁନୀଲ ସେଟ୍ଟୀ

102

କନକ ବ୍ୟୁରୋ : ସ୍ୱଚ୍ଛତା କେବଳ ଏକ ସ୍ଳୋଗାନ୍ ନୁହେଁ । ବ୍ୟକ୍ତିର ଦୈନନ୍ଦିନ ଜୀବନରେ ଏହା ଏକ ଅଂଶ ହେବା ଆବଶ୍ୟକ । ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସ୍ୱଚ୍ଛତା ଆବଶ୍ୟକ । ୨୦୧୪ ଅକ୍ଟୋବର ୨ତାରିଖରେ ନୂଆଦିଲ୍ଲୀର ରାଜପଥରେ ସ୍ୱଚ୍ଛ ଭାରତ ମିଶନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାଡ଼ୁ ଧରି ଅଳିଆ ସଫା କରି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା । ବେଶ୍ କିଛି ଦିନ ପାଇଁ ଦେଶବ୍ୟାପୀ ସମୂହ ଆନ୍ଦୋଳନରେ ପରିଣତ ହୋଇଥିଲା ସ୍ୱଚ୍ଛ ଭାରତ ମିଶନ୍ । ସ୍ୱଚ୍ଛ ଭାରତ ଅଭିଯାନ ଦେଶବ୍ୟାପୀ ନାଗରିକମାନଙ୍କୁ ଏକାଠି କରିଥିଲା ।

ବ୍ରହ୍ମପୁରରେ ବସିବ ବଲିଉଡ୍ ଷ୍ଟାରଙ୍କ ମେହଫିଲ୍ । ସ୍ୱଚ୍ଛ ବ୍ରହ୍ମପୁର ଅଭିଯାନରେ ଯୋଗ ଦେବାକୁ ସ୍ୱାୟତ ଶାସନ ଦିବସରେ ବ୍ରହ୍ମପୁର ଆସିବେ ବଲିଉଡ୍ କଳାକାର । ଅଗଷ୍ଟ ୩୧ ତାରିଖ ବ୍ରହ୍ମପୁର ମହାନଗର ନିଗମ ୧୫୧ତମ ସ୍ୱାୟତ ଶାସନ ଦିବସ ପାଳନ କରିବ । ଏହି ଅବସରରେ ବ୍ରହ୍ମପୁର ଆସିବେ ବଲଉଡ଼ର ନାମୀ ଅଭିନେତା ସୁନୀଲ ସେଟ୍ଟୀ, କଣ୍ଠଶିଳ୍ପୀ ବିନୋଦ ରାଠୋଡ଼ ଓ ନାୟିକା ଜରିନ୍ ଖାନ୍ । ଏହି ୩ ଜଣ କଳାକାର ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ସଚେତନତା ସୃଷ୍ଟି କରିବେ । ଦକ୍ଷିଣ ଓଡ଼ିଶାର ଏହି ସହରରେ ସିନେ କଳାକାରଙ୍କ ଖୁବ ଚାହିଦା ଥିବାରୁ ମହାନଗର ନିଗମ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ଅନ୍ୟପଟେ ସହରକୁ ସୁନ୍ଦର କରିବା ଦିଗରେ ବଲିଉଡ କଳାକାରଙ୍କ ଯୋଗଦାନ ଉପଯୋଗୀ ହେବା ନିଗମ ପକ୍ଷରୁ କୁହାଯାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ସଚେତନଧର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେବେ ବଲିଉଡ଼ କଳାକାର । ତେବେ ଏହା କେତେ ସଫଳ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ । କିନ୍ତୁ ଏହାକୁ ନେଇ ଖୁବ ଉତ୍ସାହିତ ବ୍ରହ୍ମପୁରବାସୀ ।

ସୂଚନାଯୋଗ୍ୟ କିଛି ମାସ ପୂର୍ବରୁ ସୁନୀଲ ସେଟ୍ଟୀ ବ୍ରହ୍ମପୁର ସହରକୁ ସ୍ୱଚ୍ଛ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ବାହାରେ ମଳତ୍ୟାଗ ନକରିବା ସହ ସହରକୁ ସଫାସୁତୁରା ରଖିବା ପାଇଁ ସେ ଅନୁରୋଧ କରିଥିଲେ । ଅଳିଆ ଅବର୍ଜନା ମୁକ୍ତ କରିବା ପାଇଁ ଟ୍ୱିଟ୍ ଜରିଆରେ ସହରବାସୀଙ୍କୁ ଆହ୍ୱାନ ଦେଇଥିଲେ । ବ୍ରହ୍ମପୁର ସହରକୁ ସରସ ସୁନ୍ଦର ଓ ସ୍ୱଚ୍ଛ ରଖିବା ପାଇଁ ସେ ଅନୁରୋଧ କରିଥିଲେ ।