ସମସ୍ତଙ୍କ ସ୍ଥିତି ଟଳମଳ, ବିଜୟ ପାଇଁ ରଣନୀତି କରୁଥିଲେ ବି ଛାତିରେ ହଜାର ଛନକା! ସୁନ୍ଦରଗଡରେ ଅଜବ ସ୍ଥିତି

ଦିଲ୍ଲୀପଙ୍କ ବିନା ଜୁଏଲଙ୍କ ବିଜୟ ରଥରେ ଲାଗିବ କି ବ୍ରେକ ନା ବିଜେଡି ଉଡାଇବ ବିଜୟ ବାନା? ଜର୍ଜଙ୍କୁ ସାମିଲ କରି ଗେମଚେଞ୍ଜର ଭୂମିକାରେ କଂଗ୍ରେସ ।

189

କନକ ବ୍ୟୁରୋ : ସୁନ୍ଦରଗଡ ଲୋକସଭା ନିର୍ବାଚନମଣ୍ଡଳୀ ୨୦୧୪ ମସିହାରୁ ଚର୍ଚ୍ଚାରେ ରହି ଆସିଛି । ଯେତେବେଳେ ପୂରା ରାଜ୍ୟର ୨୦ଟି ଲୋକସଭା ଆସନରେ ବିଜେଡିର ଶଙ୍ଖ ଧ୍ୱନି ଶୁଭିଥିଲା ସେତେବେଳେ କେବଳ ସୁନ୍ଦରଗଡ ଆସନରେ ହିଁ ପଦ୍ମ ଫୁଟାଇ ବିଜେପିର ମାନ ରଖିଥିଲେ ମୋଦି ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ଜୁଏଲ ଓରାମ । ଏଠି କେବଳ ଜୁଏଲ ଜିତିଥିଲେ ତାହା ନୁହେଁ ବରଂ ଏଠାରେ ନବୀନଙ୍କ ଲୋକପ୍ରିୟତାର ପରାଜୟ ଦେଖିବାକୁ ମିଳିଥିଲା । ରାଜ୍ୟର ଏକମାତ୍ର ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇ ଦିଲ୍ଲୀ ଦରବାରରେ ପହଞ୍ଚିଥିଲେ ଜୁଏଲ । ତେବେ ୨୦୧୯ରେ ମଧ୍ୟ ଏହି ଆସନ ଏବେ ଚର୍ଚ୍ଚାକୁ ଆସିଛି । ସମୟ ସହ ପରିବର୍ତ୍ତନ ହୋଇଛି ସୁନ୍ଦରଗଡ ରାଜନୀତିର ଗଣିତ । ଚଳିତ ଥର ଜୁଏଲଙ୍କ ପାଇଁ ସ୍ଥିତି ଏତେ ସହଜ ହୋଇ ରହିନାହିଁ । କାରଣ ଜୁଏଲଙ୍କ ବିଜୟରଥ ସାରଥୀ ସାଜିଥିବା ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେଇଛନ୍ତି ଓ ଜୁଏଲଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା ଟାଣୁଆ ଆଦିବାସୀ ନେତା ତଥା ବୀରମିତ୍ରପୁର ବିଧାୟକ ଏବେ କଂଗ୍ରେସ କ୍ୟାମ୍ପରେ ଏଣ୍ଟ୍ରି କରିଛନ୍ତି ।

ଦିଲ୍ଲୀପ ଯେଉଁ କାରଣ ଦର୍ଶାଇ ବିଜେପିରୁ ଇସ୍ତଫା ଦେଇଛନ୍ତି ତାହା ସୁନ୍ଦରଗଡରେ ପଦ୍ମ ପାଖୁଡା ଝଡାଇଦେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ସୁନ୍ଦରଗଡ ନୁହେଁ ରାଜ୍ୟ ବିଜେପିକୁ ମଧ୍ୟ ଅଡୁଆରେ ପକାଇଛି ଦିଲ୍ଲୀପଙ୍କ ବୟାନ । ନିର୍ବାଚନ ପୂର୍ବରୁ ଓ ପରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପ୍ରତିଶୃତି ପାଳନ ହୋଇନଥିବା ବେଳେ ଏବେ ଏହା ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛି । ଦ୍ୱିତୀୟ ବ୍ରାହ୍ମଣୀ ସେତୁ, ସୁପର ସ୍ପେଶାଲିଷ୍ଟ ହସ୍ପିଟାଲର ପ୍ରତିଷ୍ଠା ପାଇଁ ସୁନ୍ଦରଗଡବାସୀ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ ମଧ୍ୟ ଏହାକୁ ପୂରଣ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ ନ ହେବାକୁ ନେଇ ଭୋଟର ଅସନ୍ତୁଷ୍ଟ । ଯାହାର ପ୍ରଭାବ ଆଗାମୀ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ତେଣୁ ଜୁଏଲଙ୍କ ପାଇଁ ଚଳିତ ନିର୍ବାଚନ ପାର ହେବା ଏତେଟା ସହଜ ହୋଇନପାରେ ।

ଅନ୍ୟପଟେ ଜଳ, ଜଙ୍ଗଲ ଓ ଜମି ଉପରେ ଆଦିବାସୀଙ୍କ ଅଧିକାର ଏବଂ ଜିଲ୍ଲାରେ ‘ପେସା’ ଆଇନ କାର୍ଯ୍ୟକାରୀ କରିବା ପାଇଁ ଜୋରଦାର ଆନ୍ଦୋଳନ କରି ଆଦିବାସୀଙ୍କ ମନ ଜିଣିଥିବା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ନିକଟରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଯାହା ଜୁଏଲଙ୍କ ବିଜୟ ପଥକୁ ଆହୁରି କଣ୍ଟକିତ କରିଦେଇଛି । ଜୁଏଲଙ୍କ ବିରୋଧୀ ଭାବେ ଜଣାଶୁଣା ଜର୍ଜ ଏଥର କଂଗ୍ରେସରୁ ଲୋକସଭା ନିର୍ବାଚନ ଲଢିବେ ବୋଲି ପ୍ରଚାର ହେଉଛି। ଯଦି ଜର୍ଜଙ୍କୁ କଂଗ୍ରେସ ଟିକେଟ୍ ମିଳେ, ତେବେ ଜୁଏଲଙ୍କ ପାଇଁ ଅଡୁଆ ବଢିବ ବୋଲି ଚର୍ଚ୍ଚା ହେଉଛି ।

ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରେ ଆରମ୍ଭରୁ କଂଗ୍ରେସ ନିଜର ପତିଆରା ଜାହିର କରି ଆସିଥିଲା। ୧୯୫୨ ମସିହାରୁ ଏବେ ମଧ୍ୟରେ ସାତ ଥର ଏହି ଆସନକୁ କଂଗ୍ରେସ ଦଖଲ କରିଛି। ୪ ଥର ବିଜେପି ଜିତିଥିବା ବେଳେ ବିଜେଡି ଆଦୌ ସଫଳ ହୋଇନାହିଁ। ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହକି ତାରକା ଦିଲୀପ ତିର୍କୀ ପାଖାପାଖି ୨୦ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଜୁଏଲ ଓରାମ ୩ ଲକ୍ଷ ୪୦ ହଜାର ୫୦୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜୁ ଜନତା ଦଳ ୩ ଲକ୍ଷ ୨୧ ହଜାର ୬୭୯ ଖଣ୍ଡ ଭୋଟ ପାଇଥିଲା। କଂଗ୍ରେସ ପକ୍ଷରୁ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ୨ ଲକ୍ଷ ୬୯ ହଜାର ୩୩୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ପୂର୍ବରୁ ମେଣ୍ଟ ଥିବାରୁ ବିଜେଡି ଏହି ଆସନକୁ ବିଜେପି ହାତକୁ ଟେକି ଦେଇଥିଲା। ୧୯୯୮, ୧୯୯୯ ଓ ୨୦୦୪ ମସିହା ନିର୍ବାଚନରେ ଜୁଏଲ ଓରାମ ବିଜୟୀ ହୋଇଥିଲେ। କିନ୍ତୁ ୨୦୦୯ ମସିହା ନିର୍ବାଚନରେ କଂଗ୍ରେସରୁ ହେମାନନ୍ଦ ବିଶ୍ବାଳ ବିଜୟୀ ହୋଇଥିଲେ। ବିଗତ ୨୦୧୪ ନିର୍ବାଚନରେ ଜୁଏଲଙ୍କ ବିଜୟ ପଛରେ ମୋଦୀ ହାୱା ଏବଂ ରାଉରକେଲା ବିଧାୟକ ଦିଲୀପ ରାୟଙ୍କ ପ୍ରମୁଖ ଭୂମିକା ଥିଲା। କାରଣ ରାଉରକେଲା ବିଧାନସଭା କ୍ଷେତ୍ରର ଭୋଟ ଜୁଏଲଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏଥର ଦିଲୀପ ରାୟ ଦଳ ଛାଡି ଚାଲି ଯାଇଥିବା ବେଳେ ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଜୁଏଲଙ୍କ କାଳ ହୋଇଛି।

ଟିକେଟ୍ ପାଇଁ ଆଶାୟୀଙ୍କ ମଧ୍ୟରେ କଂଗ୍ରେସରୁ ଜର୍ଜ ତିର୍କୀଙ୍କ ନାମ ଆଗରେ ରହିଛି। ଜର୍ଜ ବୀରମିତ୍ରପୁରରୁ ବାହାରି ଦିଲ୍ଲୀ ଦରବାରରେ ପହଞ୍ଚିବା ଆଶାରେ କଂଗ୍ରେସରେ ଯୋଗ ଦେଇଥିବା କୁହାଯାଉଛି । ଏହାଛଡା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ପୁଣିଥରେ ନିର୍ବାଚନ ଲଢି ପାରନ୍ତି ବୋଲି ତାଙ୍କ ସମର୍ଥକ କହୁଛନ୍ତି। ରାଜ୍ୟରେ କଂଗ୍ରେସ, ଜେଏମଏମ୍ ଓ ସିପିଏମ୍ ମେଣ୍ଟ ହେବାର ସମ୍ଭାବନା ରହିଛି। ଯଦି ମେଣ୍ଟରେ କଂଗ୍ରେସ ଟିକେଟ୍ ନିଏ, ତେବେ କଂଗ୍ରେସ ଏକ ଭଲ ଲଢେଇ ଦେଇପାରିବ ବୋଲି ଚର୍ଚ୍ଚା ହେଉଛି । ଏମିତିରେ ବି ସୁନ୍ଦରଗଡ଼ ଜିଲ୍ଲାରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ୭୦ ହଜାରରୁ ଅଧିକ ନିଜସ୍ବ ଭୋଟ ରହିଛି। ବଣାଇଁ, ହେମଗିର ସମେତ ଖଣି ଓ ଶିଳ୍ପାଞ୍ଚଳରେ ସିପିଆଇ ଓ ସିପିଏମର ପ୍ରଭାବ ରହିଛି। ତେଣୁ କଂଗ୍ରେସ ପାଇଁ ପୁଣିଥରେ ଗଡକୁ ଫେରିବାର ସୁଯୋଗ ସୃଷ୍ଟି ହୋଇପାରେ ।

ଅନ୍ୟପଟେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଏଥର ଅନେକ ଆଶାୟୀ ଅଛନ୍ତି। ଗତ ନିର୍ବାଚନରେ ଖୁବ୍ କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ହକି ତାରକା ଦିଲୀପ ତିର୍କୀ ପୁଣି ଥରେ ପ୍ରାର୍ଥୀ ହୋଇ ପାରନ୍ତି ବୋଲି କୁହାଯାଉଛି। ବିଜେଡିରୁ ଟିକେଟ୍ ପାଇବାକୁ ପୂର୍ବତନ ଜିଲ୍ଲା ସ୍ବତନ୍ତ୍ର ପରିଷଦ ଅଧ୍ୟକ୍ଷ ସନ୍ତୋଷ ଅମାତ ମଧ୍ୟ ଅଶାୟୀ ଅଛନ୍ତି। ଏ ସମ୍ପର୍କରେ ବହୁ ଆଗରୁ ତାଙ୍କ ସମର୍ଥକମାନେ ଜିଲ୍ଲାରେ ପ୍ରଚାର କରୁଛନ୍ତି। କିନ୍ତୁ ନିକଟରେ ଶ୍ରୀ ଅମାତଙ୍କୁ ଅଚାନକ ସ୍ବତନ୍ତ୍ର ପରିଷଦ ଅଧ୍ୟକ୍ଷ ପଦରୁ ହଟାଇ କୁସୁମ ଟେଟେଙ୍କୁ ନିଯୁକ୍ତି ଦିଆଯାଇଛି। ଏମାନଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ତଥା ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିସାନଙ୍କ ଲୋକସଭା ଆସନରୁ ଟିକେଟ୍ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି ।

ବିଜେପିରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ। କିନ୍ତୁ ବିଜେପିର ଗୋଟିଏ ଗୋଷ୍ଠୀ ତାଙ୍କ ପ୍ରାର୍ଥୀତ୍ବକୁ ଭିତରୁ ବିରୋଧ କରୁଛନ୍ତି। କାରଣ କେନ୍ଦ୍ରରେ ମନ୍ତ୍ରୀ ଥାଇ ଜୁଏଲ ଦଳୀୟ କର୍ମୀଙ୍କୁ ଅବହେଳା କରି ଆସିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଦଳର ବିଫଳତା ପାଇଁ ସମସ୍ତେ ଜୁଏଲଙ୍କୁ ଦାୟୀ କରିଥିଲେ। ତାଙ୍କ ବିରୋଧୀ ଗୋଷ୍ଠୀ ନୂଆ ପ୍ରାର୍ଥୀ ଦେବା ପାଇଁ ଦାବି କରିଛନ୍ତି। ଯେହେତୁ ରାଜ୍ୟର ଏକମାତ୍ର ସାଂସଦ, ତେଣୁ ଜୁଏଲଙ୍କ ବିରୋଧରେ ଅଭିଯୋଗ ବିଶେଷ ଫଳପ୍ରଦ ହେବ ନାହିଁ ବୋଲି କୁହାଯାଉଛି।

ଏଭଳି ସ୍ଥିତିରେ ସୁନ୍ଦରଗଡ ଆସନ ବିଜେପି ପାଇଁ ସମ୍ମାନର ଲଢେଇ ଭାବେ ଉଭା ହୋଇଥିବା ବେଳେ ବିଜେଡି ଏଠାରେ ପ୍ରଥମଥର ପାଇଁ ସବୁଜ ବାନା ଉଡାଇବାକୁ ଉଦ୍ୟମ କରିବ । ଆଉ ବିଜେପି ଓ ବିଜେଡିର ଲଢେଇ ଭିତରେ ଗେମଚେଞ୍ଜର ଭାବେ ମୈଦାନକୁ ଓହ୍ଲାଇବ କଂଗ୍ରେସ ।