ସାମ୍ନାକୁ ଆସିଲା ପିସି କାରବାରର ବଡ ସତ ! ସୁନ୍ଦରଗଡରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୨ଲକ୍ଷ ଟଙ୍କା ଚଳୁ ଅଭିଯୋଗ

35

କନକ ବ୍ୟୁରୋ : ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଘୋଟାଲା । ସୁନ୍ଦରଗଡରେ ଏକ ଡ୍ୟାମର ସଂପ୍ରସାରଣ ପାଇଁ ଖାତା ଖତିଆନରେ ପ୍ରାୟ ୨ଲକ୍ଷ ଟଙ୍କା ଚଳୁ କରିନେଇଥିବା ଅଭିଯୋଗ । ଏବେ ଡ୍ୟାମର ପ୍ରକୃତ ସ୍ଥିତିକୁ ଦେଖିଲେ ବଡ ଧରଣର ପିସି କାରବାର ହୋଇଥିବା ସନ୍ଦେହ । ସ୍ଥାନୀୟ ଭିଏଲଏଲ ବା ଭିଲେଜ ଲେବର ଲିଡରଙ୍କ ସହ ମିଶି ସରକାରୀ ବାବୁମାନେ ସବୁ ଟଙ୍କା ହରିଲୁଟ କରିଥିବା ଅନୁମାନ । ଆଉ ଏବେଠାରୁ ଘଟଣାର ଅନୁସନ୍ଧାନ ନକଲେ କେନାଲ ପାଇଁ ବ୍ୟୟବରାଦ ହୋଇଥିବା ବାକିଟଙ୍କା ବି ଲୁଟିନେବା ଆଶଙ୍କା ଉପୁଜିଛି ।

ସରକାରୀ ନଥୀ କହୁଛି ସୁନ୍ଦରଗଡ ସବଡେଗା ବ୍ଲକ ଦେଓଗାଁ ପଂଚାୟତ ଲୁହୁରାପଡା ମୁଣ୍ଡା ଡ୍ୟାମର ସରପ୍ଲସ ନିର୍ମାଣ ଓ କେନାଲ ତିଆରି ପାଇଁ ବ୍ୟୟ ଅଟଳଳ ହୋଇଛି ୫ଲକ୍ଷ ଟଙ୍କା । ୨୦୧୬-୧୭ ଆର୍ଥିକ ବର୍ଷରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଏଥିପାଇଁ ଟଙ୍କା ମଞ୍ଜୁର ହୋଇଛି । ଏପରିକି ଗ୍ରାମସଭାରେ ଭିଲେଜ ଲେବର ଲିଡର ବା ଭିଏଲଏଲ ନିଯୁକ୍ତ କରି ସରପ୍ଲସ ନିର୍ମାଣ ପାଇଁ ୧ଲକ୍ଷ ୯୦ହଜାର ଟଙ୍କା ଉଠା ସରିଛି ।

ତେବେ ଯେଉଁ ଡ୍ୟାମ ନିର୍ମାଣ ପାଇଁ ବ୍ୟୟ ଅଟକଳ ହୋଇଛି ଓ ପ୍ରାୟ ୨ଲକ୍ଷ ଟଙ୍କା ବ୍ୟୟରେ ସରପ୍ଲସ ନିର୍ମାଣ ସରିଛି ବୋଲି ଦର୍ଶାଯାଇଛି, ତାର ପ୍ରକୃତ ସ୍ଥିତି ଅତି ଦୟନୀୟ । ବର୍ଷାପାଣିକୁ ସଂଚୟ କରି ଅଣମୌସୁମୀ ସମୟରେ ପ୍ରାୟ ୨୦୦ ଏକର ଚାଷଜମିକୁ ଜଳସେଚନ କରିଥାନ୍ତା ଏହି ଡ୍ୟାମ ଓ ତତସଂଲଗ୍ନ କେନାଲ । ଖାତା ଖତିଆନରେ ପ୍ରାୟ ୨ଲକ୍ଷ ଟଙ୍କା ଚଳୁ କରିନେଇଥିବାବେଳେ ଏଠାରେ ମାଟି ମୁଠାଏ ବି ପଡିନାହିଁ । ଆଉ ବ୍ଲକ ଉନ୍ନୟନ ଅଧିକାରୀଙ୍କର ସଫେଇ ଦେଉଛନ୍ତି, ଯାହା ଏଷ୍ଟିମେଟ ହୋଇଥିଲା ସେହି ଅନୁସାରେ କାମ ହୋଇଛି ।

ଏବେ ଲୁହୁରାମୁଣ୍ଡା ଡ୍ୟାମର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି
୧- ଡ୍ୟାମରେ ସରପ୍ଲସ ନିର୍ମାଣ ହୋଇଛି ନା ଆଦୌ ହୋଇନାହିଁ?
୨- ଯଦି କାମ ହୋଇଥିଲା ତେବେ ତାହା ଗଲା କୁଆଡେ?
୩- ସରକାରୀ ବାବୁମାନେ ମିଳିମିଶି ସବୁଟଙ୍କା ଚଳୁ କରିନାହାନ୍ତି ତ?
୪- ବ୍ୟୟବରାଦ ହୋଇଥିବା କେନାଲ କାମ ହେବ ତ?
୫- ନା ସରପ୍ଲସ ପରି କେନାଲ କାମ ବି ଖାତା ଖତିଆନରେ ରହିଯିବ?

୨୫ବର୍ଷ ତଳେ ଦେଓଗାଁରେ ନିର୍ମାଣ ହୋଇଥିବା ଏହି ଲୁହୁରାପଡା ଡ୍ୟାମରେ ସରପ୍ଲସ ନିର୍ମାଣ ବାବଦକୁ ଏକ ବଡ ଧରଣର ପିସି କାରବାର ହୋଇଥିବା ସନ୍ଦେହ କରାଯାଉଛି । ଭିଏଲଏଲଙ୍କ ସହ ମିଶି ଏହି ଟଙ୍କା କେଉଁମାନେ ଚଳୁ କରିଛନ୍ତି ସେନେଇ ତଦନ୍ତ ହେବା ଜରୁରୀ ହୋଇପଡିଛି ।