ଛାତିଥରା ହତ୍ୟାକାଣ୍ଡ ଉପରୁ ହଟିଲା ପରଦା ! ଗୁଣି ଗାରେଡି ସନ୍ଦେହରେ ଶାବଳ ଭୁଷି ଗୋଟିଏ ପରିବାରର ୫ ଜଣଙ୍କୁ କରାଯାଇଥିଲା ହତ୍ୟା ।

145

କନକ ବ୍ୟୁରୋ : ଅନ୍ଧବିଶ୍ୱାସରୁ ଗଣହତ୍ୟା । ସୁନ୍ଦରଗଡ କୋଇଡା ଗଣହତ୍ୟାର ସତ ସାମ୍ନାକୁ ଆସିଛି । ଗୁଣି କରିଥିବା ସନ୍ଦେହ କରି ଗୋଟିଏ ପରିବାରର ୫ ଜଣଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ଘଟଣାରେ ପୋଲିସ, ଗୁଣିଆ ସମେତ ୬ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିଛି । ଆଉ, ପୋଲିସ ଆଗରେ ସେଦିନର ସତ କହିଛନ୍ତି ଅଭିଯୁକ୍ତ ।

ଅନ୍ଧବିଶ୍ୱାସରୁ ଗଣସଂହାର । ମା’ ସହ ୪ ଶିଶୁଙ୍କୁ ନିର୍ମମ ହତ୍ୟା । ସୁନ୍ଦରଗଡ ଜିଲ୍ଲା କୋଇଡାର ବଡ ଇନ୍ଦପୁରରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ପଛରେ ରହିଥିଲା ବଡ ଧରଣର ଅନ୍ଧବିଶ୍ୱାସ । ଗୁଣି ସନ୍ଦେହରେ ଗାଁ ଲୋକ, ମା ସମେତ ୪ ଶିଶୁଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିଲେ । ଅନ୍ଧବିଶ୍ୱାସ ଓ କୁସଂସ୍କାରରେ ବୁଡି ରହିଥିବା ପିଶାଚ ମାନେ ବର୍ଷକର କୁନି ଝିଅକୁ ବି ଛାଡିନଥିଲେ । ୩ ଦିନ ହେଲା ରହସ୍ୟରେ ରହିଥିବା ୫ଜଣଙ୍କ ମୃତ୍ୟୁ ପଛର ସତ ସାମ୍ନାକୁ ଆସିଛି । ପୋଲିସ ଆଗରେ ଅଭିଯୁକ୍ତ କହିଛନ୍ତି ସେଦିନ ସନ୍ଧ୍ୟାର ପୁରା କାହାଣୀ ।

୨୪ ଜାନୁଆରୀ, ଗୁରୁବାର । ସନ୍ଧ୍ୟା ପ୍ରାୟ ୭ଟା ୩୦ । ଗାଁର ମାଙ୍ଗିରୀ ମୁଣ୍ଡାଙ୍କ ଘରେ ପଶିଥିଲେ ୭ରୁ ୮ ଜଣ ରକ୍ତମୁଖା ଗ୍ରାମବାସୀ । ହାତରେ ଥିଲା ଶାବଳ । ଘର କବାଟ ଭାଂଗି ଭିତରକୁ ପଶିବା ବେଳେ ମା ମାଙ୍ଗିରୀ, ବର୍ଷକର କୁନି ଝିଅକୁ କୋଳରେ ଧରି ବସିଥିଲେ । ପାଖରେ ଥିଲେ ୧୦ ବର୍ଷର ବଡ ଝିଅ ମାର, ୯ ବର୍ଷର ପୁଅ ଟେକେଲ ଓ ୪  ବର୍ଷର ପୁଅ ଚାମରା । ନିର୍ଦ୍ଦୟ ଗ୍ରାମବାସୀ ଶାବଳରେ ଜଣ ଜଣ କରି ସମସ୍ତଙ୍କୁ ଭୁଷି ପକାଇଥିଲେ । ପରେ ଘର ପାଖରେ ଥିବା ଏକ କୂଅ ଭିତରେ ମୃତଦେହକୁ ଫିଙ୍ଗି ଫେରାର ହୋଇଯାଇଥିଲେ ।

ଗାଁର ଜଣେ ଗୁଣିଆଙ୍କ ଇସାରାରେ ହୋଇଥିଲା ପୁରା ହତ୍ୟାକାଣ୍ଡ । ଗାଁର ଜଣେ ବ୍ୟକ୍ତିଙ୍କ ବଡ ଝିଅ, ଅସୁସ୍ଥ ହୋଇ ପ୍ରାଣ ହରାଇଥିଲା । ପରେ ପରେ ସାନ ଝିଅ ବି ଅସୁସ୍ଥ ହୋଇପଡିଥିଲା । ଏଥିପାଇଁ ମାଙ୍ଗିରୀଙ୍କ ପରିବାର ଗୁଣି କରୁଥିବା କହିଥିଲା ଗୁଣିଆ ଦୁଧରାମ । ଏହାପରେ ମାଙ୍ଗୀରିଙ୍କ ପରିବାରକୁ ରାସ୍ତାରୁ ହଟାଇବାକୁ ନିଷ୍ପତି ନେଇଥିଲେ ଗ୍ରାମବାସୀ । ସୁନ୍ଦରଗଡ କୋଇଡାରେ ଲୋକଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାର ନେଇଯାଇଛି ୫-୫ ଟି ଜୀବନ ।