ଗ୍ରୀଷ୍ମ ଆରମ୍ଭରୁ ସିଝୁଛି ସୁନ୍ଦରଗଡ ସହର ! ଅସହ୍ୟ ଗୁଳୁଗୁଳି ସହ ଜନଜୀବନ ଅସ୍ତବ୍ୟସ୍ତ

45

କନକ ବ୍ୟୁରୋ : ଚଳିତ ବର୍ଷ ତାପମାତ୍ରାର ପ୍ରକୋପ ଅସହ୍ୟ ହେବାରେ ଲାଗିଛି । ଏପ୍ରିଲ ପହିଲାରୁ ୪୩ ଡିଗ୍ରୀ ଉପରେ ସିଝୁଛି ସୁନ୍ଦରଗଡ ସହର । ଗତ କିଛି ବର୍ଷ ଭିତରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦିନ ୧୦ଟା ପରେ ଖାଁ ଖାଁ ହୋଇପଡ଼ୁଛି ରାସ୍ତାଘାଟ ।

ଦେକାନ ବଜାର ବନ୍ଦ ହୋଇଯିବା ସହ ଏକ ଅଘୋଷିତ କର୍ଫ୍ୟୁ ଭଳି ମନେ ହେଉଛି । ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ତାତିରୁ ଟିକେ ନିସ୍ତାର ପାଇବା ପାଇଁ ଲୋକଙ୍କୁ ଆଖୁରସ, ଆଇସ କ୍ରିମ, ତରଭୁଜ ଆଦି ଦୋକାନରେ ଦେଖିବାକୁ ମିଳୁଛି । ସକାଳୁଆ ସ୍କୁଲ ହୋଇଥିଲେ ମଧ୍ୟ ସ୍କୁଲରୁ ଫେରିବା ବେଳେ କଷ୍ଟ ଅନୁଭବ କରୁଛନ୍ତି ସ୍କୁଲ ପିଲା ।

ରାସ୍ତା କାମ ପାଇଁ ପୂର୍ତ ବିଭାଗ ଓ ପୌରପାଳିକା ରାସ୍ତା କଡ ଗଛ ଗୁଡିକୁ କାଟି ଦେଇଥିବା ଯୋଗୁଁ ତାତି ଅଧିକ ଅନୁଭୁତ ହେଉଛି । ଏବେଠୁ ଅସହ୍ୟ ଗରମ ହେଉଥିବା ବେଳେ ଆଗାମୀ ଦିନରେ ଲୋକଙ୍କ ସମସ୍ୟା ବଢିବା ଏକପ୍ରକାର ନିଶ୍ଚିତ । ଏବେଠୁ ଅସହ୍ୟ ହେଲାଣି ଖରାର ପ୍ରକୋପ ତେଣୁ ଖରାରୁ ରକ୍ଷାପାଇବା ପାଇଁ ସହରର ସବୁ ସ୍ଥାନରେ ଅନ୍ତତଃ ଜଳଛତ୍ର ଖୋଲିବାକୁ ସାଧାରଣରେ ଦାବି ହେଉଛି ।