ଜମି ନେଲେ ହେଲେ ବିସ୍ଥାପନ ସୁବିଧା ଯୋଗାଉ ନାହିଁ କମ୍ପାନୀ ! ଏନଟିପିସି ଏବଂ ଓପିଟିସିଏଲର ରେଳ ଲାଇନ ପାଇଁ ଜମି ହରାଇଥିବା ଜମିହରାଙ୍କୁ ମିଳୁନି ସୁବିଧା

101

କନକ ବ୍ୟୁରୋ : ଏନଟିପିସି ଏବଂ ଓପିଟିସିଏଲର ରେଳ ଲାଇନ୍ ସାଙ୍ଗକୁ ଏନଟିପିସିର ପୁନର୍ବାସ କଲୋନୀ ଏବଂ ଓଭର ବର୍ଡନ ଡମ୍ଫିୟାର୍ଡ ପାଇଁ ଜମି ହରାଇଥିବା ଲୋକେ ଆଜି ରାସ୍ତାରେ । କମ୍ପାନୀ ପାଇଁ ଜମି ହରାଇବା ପରେ ବି ଏମାନେ ବିସ୍ଥାପିତ ହୋଇନାହାନ୍ତି କି ବିସ୍ଥାପନର କୌଣସି ସୁବିଧା ସୁଯୋଗା ପାଇନାହାନ୍ତି । ସବୁ ପ୍ରକାର ସୁବିଧା ପାଇଁ ସଂପୃକ୍ତ କମ୍ପାନୀ ଓ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରି ନିରାଶ ହେବା ପରେ କର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସୁନ୍ଦରଗଡ ହେମଗିରି ବ୍ଲକର କଳାମେଘ ଗ୍ରାମବାସୀ ।

ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ କଳାମେଘ ଗାଁର ମଣିଷ ଏନଟିପିସି ଏବଂ ଓପିଟିସିଏଲର ରେଳ ଲାଇନ, ଏନଟିପିସିର ପୁନର୍ବାସ କଲୋନୀ ଏବଂ ଓଭର ବର୍ଡନ ଡମ୍ଫିୟାର୍ଡ ପାଇଁ ଜମି ଦେଇଛନ୍ତି । ପ୍ରାୟ ୨୫୦ ଏକର ସରକାରୀ, ବେସରକାରୀ ଓ ଜଙ୍ଗଲ ଜମି ଅଧିଗ୍ରହଣ କରାଯାଇଛି । ହେଲେ କଳାମେଘ ଗ୍ରାମବାସୀଙ୍କୁ ବିସ୍ଥାପନ ସୁବିଧା ମିଳୁନାହିଁ । ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ପ୍ରଶାସନ କି କମ୍ପାନୀ କର୍ତ୍ତୃପକ୍ଷ ଏମାନଙ୍କ ସମସ୍ୟା ନବୁଝିବାରୁ ରାସ୍ତାକୁ ଓହ୍ଲାଇଛନ୍ତି କଳାମେଘ ଗାଁ ଶାତାଧିକ ମହିଳା ପୁରୁଷ ।

ଏନଟିପିସିର ତୁଲିଙ୍ଗା ଖଣିରୁ କୋଇଲା ପରିବହନ ପାଇଁ ରେଳ ଲାଇନ ସହ ବିସ୍ଥାପିତ ପୁନର୍ବାସ କଲୋନୀ ନିର୍ମାଣ କରାଯାଉଛି । ହେଲେ ବିସ୍ଥାପିତଙ୍କୁ କୌଣସି ସୁବିଧା ମିଳୁନାହିଁ । ତେଣୁ ବିସ୍ଥାପିତମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଦାବୀ ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହୁଥିବା ବେଳେ ବୁଝାସୁଝା କରିଛନ୍ତି ସ୍ଥାନୀୟ ବିଡିଓ, ତହସିଲଦାର ଓ ଅନ୍ୟ ପ୍ରଶାସନିକ ଅଧିକାରୀ । କମ୍ପାନୀ ହେଉ ବା ସରକାରୀ ପ୍ରୋଜେକ୍ଟ ପାଇଁ ଜମି ହରାଇଥିବା ଲୋକଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇବା ପାଇଁ ସରକାରୀ ସ୍ତରରେ ଅନେକ ବ୍ୟବସ୍ଥା ରହିଛି । ହେଲେ ଏଠାରେ ସବୁ ସରକାରୀ ଯୋଜନା ଯେମିତି କେଉଁଠି ଲୁଚି ଯାଇଛି ।