ମଧ୍ୟାହ୍ନ ଭୋଜନ ଖାଇଲେ ସୁନ୍ଦରଗଡ ଜିଲ୍ଲାପାଳ । ହଠାତ ସ୍କୁଲରେ ପହଂଚି ପାଠ ପଚାରିଲେ, ଛାତ୍ରଛାତ୍ରୀଙ୍କ ସହ ଚଟାଣରେ ବସି ଖାଇଲେ ।

99

ସ୍କୁଲ ଛାତ୍ର ଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ସୁନ୍ଦରଗଡ ଜିଲ୍ଲାପାଳ । ଆଜି ଜିଲ୍ଲାପାଳ ସୁରେନ୍ଦ୍ର ମୀନା ଅଚାନକ ସ୍କୁଲ ପରିଦର୍ଶନ କରି ସେଠାରେ ଖାଦ୍ୟ ଗ୍ରହଣ କରିବାକୁ ଚାହିଁଥିଲେ । ସ୍କୁଲରେ ପହଂଚି ଛାତ୍ରଛାତ୍ରୀଙ୍କ ସହ ମିଶି ମିଡ ଡେ ମିଲ ଖାଇଥିଲେ ଏହି ଆଇଏଏସ ଅଧିକାରୀ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ସମୟରେ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବାର ଅଭିଯୋଗ ହେଉଥିଲା । ଏହାର ଯାଂଚ ପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ଜିଲ୍ଲାପାଳ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି, ତାକୁ ଢେର ପ୍ରଶଂସା ମିଳୁଛି । ଏଭଳି ତଦାରଖ ଜାରି ରହିଲେ ଆଗାମୀ ଦିନରେ ଚାଉଳ ବାଟମାରଣା ହେଉ ବା ନିମ୍ନ ମାନର ରୋଷେଇକୁ ପ୍ରତିହତ କରାଯାଇ ପାରିବ ।


ସ୍କୁଲରେ ମଧ୍ୟାହ୍ନ ଭୋଜନ ଗ୍ରହଣ କରିବା ପ୍ରସଙ୍ଗରେ ଆମ ସୁନ୍ଦରଗଡ ପ୍ରତିନିଧି ଦେବାଶିଷ କବି, ଜିଲ୍ଲାପାଳ ସୁରେନ୍ଦ୍ର ମୀନାଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ କହିବା ଅନୁସାରେ, ରାଜ୍ୟରେ ପ୍ରଥମ ଥର ପାଇଁ ସୁନ୍ଦରଗଡରେ ପଂଚାୟତ ସ୍ତରରେ ଗ୍ରିଭାନ୍ସ ସେଲ ଆରମ୍ଭ କରାଯାଇଛି । ଲୋକଙ୍କ ସମସ୍ୟା ଯାହା ପୂର୍ବରୁ ଜିଲ୍ଲା ଆଉ ବ୍ଲକ ସ୍ତରରେ ଶୁଣାଯାଉଥିଲା, ଏବେ ପଂଚାୟତ ସ୍ତରରେ ଅଧିକାରୀ ଲୋକଙ୍କ ସମସ୍ୟା ଶୁଣି ସମାଧାନ କରିବେ । ଏହି କ୍ରମରେ ଆଜିର ଗ୍ରୀଭାନ୍ସ ସେଲରେ ଶୁଣାଣି ପରେ ହଠାତ ଆମ୍ବଗୋଭା ସ୍କୁଲ ପରିଦର୍ଶନ କରିଥିଲେ ଜିଲ୍ଲାପାଳ । କିଛି ସମୟ ପିଲାଙ୍କ ସହ କ୍ଲାସରୁମରେ ଆଲୋଚନା କରିଥିଲେ, ଆଉ ଏହାପରେ ମିଡ ଡେ ମିଲ୍ ଖାଇଥିଲେ । ଏଥିରେ ଜିଲ୍ଲାର ଅନ୍ୟ କିଛି ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ ।


କିଛି ଦିନ ପୂର୍ବରୁ ନୂଆପଡାରେ ମଧ୍ୟ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଥିଲା । ଖରିଆର ବ୍ଲକ ଚନାବେଡା ସେବାଶ୍ରମରେ ଅଚାନକ ପହଂଚି ମଧ୍ୟାହ୍ନ ଭୋଜନ ସ୍ଥିତି ପରଖିଥିଲେ ଡକ୍ଟର ପୋମ୍ମା ଟୁଡୁ । ଜିଲ୍ଲାପାଳ ହଠାତ୍ ସେବାଶ୍ରମରେ ପହଂଚି ଯାଇଥିଲେ । ସେଠାରେ ପିଲାଙ୍କ ପାଇଁ ରୋଷେଇ ହୋଇଥିବା ଖାଦ୍ୟକୁ ନିଜେ ଖାଇଥିଲେ ପୋମା ଟୁଡୁ । ତେବେ ଖାଦ୍ୟର ମାନକୁ ନେଇ ଜିଲ୍ଲାପାଳ ନିଜ ଅସନ୍ତୋଷ ଜାହିର କରିଥିଲେ । ସେବାଶ୍ରମର ଅନ୍ତେବାସୀଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଇବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଓ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଶିକ୍ଷକଙ୍କୁ ନୋଟିସ୍ କରିଛନ୍ତି ଜିଲ୍ଲାପାଳ । ପ୍ରଶାସନିକ ଅଧିକାରୀଙ୍କ ଏଭଳି ପ୍ରୟାସ ଆଗାମୀ ଦିନରେ ମଧ୍ୟାହ୍ନ ଭୋଜନର ସ୍ଥିତି ସୁଧାରି ପାରୁଛି କି ନାହିଁ, ତାଉପରେ ନଜର ।