ପିଲା ଖାଇଲେ ଭାତ-ଡାଲି, ବାବୁଙ୍କୁ ପରସା ଗଲା ଚିକେନ୍-ଭାତ : ସୁନ୍ଦରଗଡ ତିଲେଇମାଲ ସ୍କୁଲରେ ମଧ୍ୟାହ୍ନ ଭୋଜନ ମାନ ଯାଞ୍ଚବେଳେ ଆସିଲା ସମ୍ବେଦନହୀନ ଚିତ୍ର

1,071

କନକ ବ୍ୟୁରୋ : ଆଜି ବଣାଇରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି , ଯାହା ଶୁଣିଲେ ଆପଣ ଅଶ୍ଚର୍ଯ୍ୟ ହେବେ । ମଧ୍ୟାହ୍ନ ଭୋଜନ କେମିତି ଚାଲିଛି ତାହା ଦେଖିବା ପାଇଁ ଏକ ସ୍କୁଲକୁ ଯାଇଥିଲେ ବ୍ଲକ ଶିକ୍ଷା ଅଧିକାରୀ । ତାପରେ ଖାଇବାର ଫଟୋ ବି ସୋସିଆଲ ମିଡିଆରେ ଅପଲୋଡ କଲେ । ଆଉ ଏଥିରୁ ଜଣାପଡିଲା, ପିଲାମାନେ ଭାତ, ଡାଲି ଖାଉଛନ୍ତି, କିନ୍ତୁ ବ୍ଲକ ଶିକ୍ଷାଅଧିକାରୀ ପିଲାଙ୍କ ସହ ବସି ଚିକେନ ଖାଉଛନ୍ତି ।

କୁନି କୁନି ସ୍କୁଲ ପିଲାଙ୍କ ସାମ୍ନାରେ ଶିକ୍ଷକ, ପ୍ରଧାନଶିକ୍ଷକ ଏବଂ ବ୍ଲକ୍ ଶିକ୍ଷା ଅଧିକାରୀ ଭାତ, ଚିକେନ୍, ସାଲାଟ୍ ଖାଉଥିବେ ଏବଂ ପିଲାଙ୍କୁ ପରସି ଦିଆଯାଇଥିଲା ଭାରତ-ଡାଲି । ଆଉ ସେତିକିବେଳେ କୁନି କୁନି ପିଲାଙ୍କ ମନରେ କ’ଣ ବିତୁଥିବ ଥରେ ଚିନ୍ତା କରନ୍ତୁ? ସୁସ୍ୱାଦୁ ଖାଦ୍ୟ ଦେଖି ପିଲାଙ୍କ ମନରେ କ’ଣ ପ୍ରତିକ୍ରିୟା ହେଉଥିବ ସେଥି ପ୍ରତି ତିଳେ ହେଲେ ଦୃଷ୍ଟିନଥିଲେ ବ୍ଲକ ଶିକ୍ଷାଧିକାରୀ ଏବଂ ସ୍କୁଲର ପ୍ରଧାନଶିକ୍ଷକ ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ପାଇଁ ବଣେଇ ବ୍ଲକ ଶିକ୍ଷାଧିକାରୀ ବିନୟ ପ୍ରକାଶ ସାଏ ତିଲେଇମାଲ ସ୍କୁଲକୁ ଯାଇଥିଲେ । ତାଙ୍କୁ ସ୍ୱାଗତ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁପି ଚନ୍ଦନ କିସାନ । ତାପରେ ଆରମ୍ଭ ହୋଇଥିଲା ମଧ୍ୟାହ୍ନ ଭୋଜନର ମାନ ଯାଂଚ ପ୍ରକ୍ରିୟା । ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକଙ୍କ ସହ ତଳେ ବସି ଖାଇଥିଲେ ବିଇଓ । ହେଲେ ଏହି ସମୟରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ପିଲାଙ୍କ ଥାଳିରେ ଭାତ-ଡାଲି ଥିବା ବେଳେ ଉଭୟ ସାରଙ୍କ ଥାଳିରେ ଥିଲା ଭାତ, ଡାଲି, ସହିତ ସାଲାଡ୍ ଓ ଚିକେନ । ସେହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଶିକ୍ଷା ଅଧିକାରୀ ଏବେ ସଫେଇ ଦେଇ କହୁଛନ୍ତି-ସ୍କୁଲର ଜଣେ ଶିକ୍ଷୟତ୍ରୀ ଘରୁ ଖାଇବା ପ୍ରସ୍ତୁତ କରି ଆଣିଥିଲେ ଆଉ ଏଥିରେ କୌଣସି ଆମିଷ ତରକାରୀ ନଥିଲା । ହେଲେ ପ୍ରଶ୍ନ ଉଠୁଛି-

-ପିଲାଙ୍କ ସାମ୍ନାରେ ସୁସ୍ୱାଦୁ ବ୍ୟଞ୍ଜନ ଖାଇବାକୁ ଶିକ୍ଷା ଅଧିକାରୀଙ୍କୁ କୁଣ୍ଠାବୋଧ ଲାଗିଲାନି କେମିତି?

-ଯଦି ବାବୁଙ୍କ ପାଇଁ ଖାସ୍ ଆୟୋଜନ ହୋଇଥିଲା ପିଲାଙ୍କୁ ଏଥିରୁ ବାଦ କାହିଁକି ଦିଆଗଲା?

– ଶିକ୍ଷା ଅଧିକାରୀଙ୍କୁ ଖୁସ୍ କରିବା ପାଇଁ ପିଲାଙ୍କୁ କେମିତି ଭୁଲି ଗଲେ ସ୍କୁଲ କର୍ତ୍ତୃପକ୍ଷ?