ସାତକୋଶିଆରେ ସୁନ୍ଦରୀ ଭୟ : ଜଙ୍ଗଲରେ ବାଘୁଣୀକୁ ଦେଖି ଭୟରେ ଦୌଡିବା ସମୟରେ ଗଛରେ ଧକ୍କା ହୋଇ ବନ କର୍ମଚାରୀ ଆହତ

41

କନକ ବ୍ୟୁରୋ : ସାତକୋଶିଆ ଜଙ୍ଗଲରେ ଘାରିଛି ବାଘୁଣୀ ସୁନ୍ଦରୀ ଭୟ । ଏଥିରୁ ବାଦ ପଡି ନାହାଁନ୍ତି ଖୋଦ ବନ କର୍ମଚାରୀ । ଜଙ୍ଗଲରେ ବାଘୁଣୀ ସୁନ୍ଦରୀକୁ ଦେଖି ଭୟରେ ଦୌଡି ପଳାଇ ଆସିବା ସମୟରେ ଗଛରେ ଧକ୍କା ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି ବନ କର୍ମଚାରୀ ସୁରେଶ ବାରିକ୍ । ସୁରେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନରସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତ ଜୁନ୍ ମାସ ୨୮ ତାରିଖରେ ବାନ୍ଧବଗଡ ଅଭୟାରଣ୍ୟରୁ ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା ।

କିଛି ଦିନ ଏନକ୍ଲୋଜରରେ ରହିବା ପରେ ଗତ ୧୮ ତାରିଖରେ ଏନକ୍ଲୋଜରରୁ ବାହାର କରି ଅଭୟାରଣ୍ୟରେ ଖୋଲାରେ ଛଡାଯାଇଥିଲା । ସୁରେଶଙ୍କ କହିବା ଅନୁଯାୟୀ ତାଙ୍କ ସମେତ ୫ଜଣ ବନକର୍ମଚାରୀ ବାଘର ଗତିବିଧି ଲକ୍ଷ୍ୟ କରିବା ପାଇଁ ଡିୟୁଟିରେ ଯାଇଥିଲେ । ଏହି ସମୟରେ ବାଘୁଣୀକୁ ଅଳ୍ପ ଦୂରରେ ଦେଖି ଭୟଭୀତ ହୋଇ ସେ ଦୌଡି ପଳାଇ ଆସୁଥିବା ସମୟରେ ଏକ ଗଛରେ ଧକା ହୋଇଥିଲା । ତାଙ୍କ ପିଠି, କାନ୍ଧ ଓ ଛାତିରେ ଆଘାତ ଲାଗିଛି । ତେବେ ବାଘ ପାଇଁ ସେମିତି କିଛି ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ସାତକୋଶିଆ ବନଖଣ୍ଡ ଅଧିକାରୀ । ସାତକୋଶିଆରେ ମହାବଳ ଓ ସୁନ୍ଦରୀକୁ ଛଡାଯିବା ପରେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରୁଛନ୍ତି ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର କାହ୍ନା ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପରୁ ଗତ ଜୁନ୍ ୨୧ତାରିଖରେ ଗୋଟିଏ ବାଘ ଓ ବାନ୍ଧବଗଡ଼ ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପରୁ ଜୁନ୍ ୨୮ତାରିଖରେ ଗୋଟିଏ ବାଘୁଣୀ ଆଣି ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିଲା । ଏନକ୍ଲୋଜରରେ ରହିବା ପରେ ଗତ ଜୁଲାଇ ୬ତାରିଖରେ ବାଘ ଓ ଅଗଷ୍ଟ ୧୭ତାରିଖରେ ବାଘୁଣୀକୁ ମୁକ୍ତ କରାଯାଇଥିଲା । ତେବେ ସାତକୋଶିଆ ଜଙ୍ଗଲରେ ଏହି ବାଘବାଘୁଣୀଙ୍କୁ ଛଡ଼ାଯିବା ପରେ ନିଜ ଧନଜୀବନର ସୁରକ୍ଷା ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଅଂଚଳର ୧୨୬ଟି ଗାଁର ଲୋକମାନେ ଏହାର ପ୍ରତିବାଦରେ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି ।