ଟ୍ରାଙ୍କୁଲାଇଜ ପରେ ସୁନ୍ଦରୀ ରହିବ କେଉଁଠି? ଏନଟିସିଏ ଓ ଡବଲୁଆଇଆଇ ପରାମର୍ଶକୁ ଅପେକ୍ଷା

ସାତକୋଶିଆର ‘ସୁନ୍ଦରୀ’ ଠିକଣା କେଉଁଠି

68

କନକ ବ୍ୟୁରୋ : ସାତକୋଶିଆର ‘ସୁନ୍ଦରୀ’ ଠିକଣା କେଉଁଠି? ନନ୍ଦନକାନନ ଖୁଆଡ଼ ନା ମଧ୍ୟପ୍ରଦେଶର ବାନ୍ଧବଗଡ଼? ନା ପୁଣି ଫେରିବ ସାତକୋଶିଆ। ଟ୍ରାଙ୍କୁଲାଇଜ୍ କରାଯିବା ପରେ ଏବେ ଏଭଳି ପ୍ରଶ୍ନ ଉଠିଛି। ବନ ବିଭାଗ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇପାରିନି। ଗତ ସପ୍ତାହରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଥିଲେ ଯେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ ପରେ ନନ୍ଦନକାନନରେ ରଖାଯିବ। ହେଲେ ବିଭାଗୀୟ ଅଧିକାରୀମାନେ ଏହାକୁ ଖଣ୍ଡନ କରିଛନ୍ତି। ‘ସୁନ୍ଦରୀ’କୁ କେଉଁଠି ରଖାଯିବ ତାହା ନେସନାଲ ଟାଇଗର କନଜରଭେସନ ଅଥରିଟି (ଏନଟିସିଏ) ଓ ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଡବଲୁଆଇଆଇ)ର ପରାମର୍ଶ ଉପରେ ନିଷ୍ପତ୍ତି ନିଆଯିବ ବୋଲି ପିସିସିଏଫ୍(ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ କହିଛନ୍ତି।

 

ଦୁଇ ସପ୍ତାହ ହେଲା ବନ ବିଭାଗର ବିଶେଷଜ୍ଞଙ୍କ ସମେତ ମଧ୍ୟପ୍ରଦେଶରୁ ଆସିଥିବା ସ୍ବତନ୍ତ୍ର ଟିମ୍ ସୁନ୍ଦରୀକୁ ଧରିବାକୁ ନାକେଦମ୍ ହୋଇଥିଲେ। ଚନ୍ଦକା ଜଙ୍ଗଲରୁ କୁମ୍କି ହାତୀ ‘ଯଶୋଦା’କୁ ବି ଅଭିଯାନରେ ସାମିଲ କରାଯାଇଥିଲା। ହାତୀ ଉପରେ ବସି ବନ ବିଭାଗର ଅଧିକାରୀମାନେ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ କରିଥିଲେ। ସମସ୍ତ ପ୍ରକାର ଉଦ୍ୟମ ପରେ ଶେଷରେ ବନ ବିଭାଗ ଚକ୍ରବ୍ୟୁହରେ ଫସିଛି ‘ସୁନ୍ଦରୀ’। ବିଶେଷଜ୍ଞ ଟିମଙ୍କ ଟ୍ରାଙ୍କୁଲାଇଜ୍ ପରେ ପିସିସିଏଫ୍ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ସୁନ୍ଦରୀ ଏବେ ସୁସ୍ଥ ରହିଛି। ତା’ର ଚିକିତ୍ସା ଚାଲିଛି। ରାଇଗୁଡ଼ା ଏନକ୍ଲୋଜରରେ ରଖାଯାଇଛି। ବିଶେଷଜ୍ଞ ଟିମ୍ ସୁନ୍ଦରୀ ଉପରେ କଡ଼ା ନଜର ରଖିଛି। ସେଠାରେ ୨ରୁ ୩ ଦିନ ପର୍ଯ୍ୟନ୍ତ ରଖାଯିବ। ଏହି ସମୟ ମଧ୍ୟରେ ଏନଟିସିଏ ଓ ଡବଲୁଆଇଆଇର ବୈଷୟିକ ପରାମର୍ଶ ନିଆଯିବ। ସେମାନଙ୍କଠାରୁ ମତାମତ ମିଳିବା ପରେ ପରବର୍ତୀ ଗାଇଡ୍ଲାଇନ୍ ଆଧାରରେ ସୁନ୍ଦରୀ କେଉଁଠି ରହିବ ତାହା ନିଷ୍ପତ୍ତି ହେବ।