ସୁନ୍ଦରୀ ଭୟରେ ସ୍କୁଲ ଦ୍ୱାର ମାଡୁନାହାନ୍ତି ଶିକ୍ଷକ, ବାପା ମା’ଙ୍କ ସୁରକ୍ଷା ବଳୟ ମଧ୍ୟରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

41

କନକ ବ୍ୟୁରୋ : ସାତକୋଶିଆରେ ମଣିଷ ଶିକାର କରିଛି ସୁନ୍ଦରୀ । କନକ ନ୍ୟୁଜ୍ କ୍ୟାମେରା ସମ୍ମୁଖରେ ଗ୍ରାମବାସୀ ବଖାଣିଲେ ସେଦିନର ପୁରା କାହାଣି । କହିଲେ ଆଖି ସାମନାରେ କେମିତି ମହିଳାଙ୍କୁ ଟାଣି ଟାଣି ନେଇଥିଲା ବାଘୁଣି ସୁନ୍ଦରୀ । ସେପଟେ ବାଘୁଣି ଭୟ ଏମିତି ଘାରିଛି ଯେ ସ୍କୁଲ ଖୋଲା ଅଛି କିନ୍ତୁ ଶିକ୍ଷକଙ୍କର ଦେଖାନାହିଁ । ଘରେ ଲୋକେ ସ୍କୁଲରେ ବାଡି ଧରି ଜଗିଛନ୍ତି ଆଉ ଏପରି ପରିସ୍ଥିତିରେ ପିଲାଏ ନିଜେ ନିଜେ ପାଠ ପଢୁଛନ୍ତି ।

ଲୋକେ ଘରୁ ବାହାରୁନାହାନ୍ତି । ଘରେ ଚୁଲି ବି ଜଳୁନି । ଅନୁଗୁଳ ଜିଲ୍ଲା ହାତୀବାରି ଗାଁରେ କିଛି ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗାଁ ଲୋକଙ୍କ ହାତରେ ଠେଙ୍ଗା ବାଡି । ବାଘୁଣୀକୁ ସାମନା କରିବା ପାଇଁ ପୂରା ପ୍ରସ୍ତୁତ ଗ୍ରାମବାସୀ । ଆଉ ଏସବୁ ଭିତରେ ଯେଉଁ ସ୍ଥାନରେ ସୁନ୍ଦରୀ ମହିଳାଙ୍କୁ ଆକ୍ରମଣ କରିଥିଲା ସେହି ସ୍ଥାନରେ ପହଞ୍ଚିଥିଲା ଆମ ଟିମ୍ । ପଚାରି ବୁଝିଥିଲା ପୂରା ଘଟଣା ।

ଗ୍ରାମବାସୀ ସିଧା ସିଧା କହଥିଲେ, ଗାଧୋଇବାକୁୁ ଯାଇଥିବା ସମୟରେ ବାଘୁଣି ସୁନ୍ଦରୀ ମହିଳାଙ୍କୁ ପଛପଛୁ ଆକ୍ରମଣ କରିଥିଲା । କିଛି ବାଟ ଗୋଡାଇବା ପରେ ଜାବୁଡି ଧରିବାରେ ସକ୍ଷମ ହୋଇଥିଲା ସୁନ୍ଦରୀ । ଏହି ଦୃଶ୍ୟ ଦେଖି ଗାଁ ଲୋକମାନଙ୍କୁ ଡାକିବା ବେଳକୁ ସୁନ୍ଦରୀ ଖାଉଥିଲା ମହିଳାଙ୍କୁ ।

ବାଘୁଣୀର ଭୟ କିପରି ଘାରିଛି ତାହା ସ୍ଥାନୀୟ ଅଞ୍ଚଳର ସ୍କୁଲ ପିଲାଙ୍କୁ ଦେଖିଲେ ହିଁ ଜଣା ପଡିଯାଉଥିଲା । ହାତରେ ଠେଙ୍ଗାବାଡି ଧରି ଜଗିଛନ୍ତି ପରିବାର ଲୋକେ । ଆଉ ସ୍କୁଲରେ ଚାଲିଛି ପିଲାଙ୍କ ପାଠପଢା । ସୁନ୍ଦରୀ ଭୟରେ ଶିକ୍ଷକମାନେ ସ୍କୁଲ ଦ୍ୱାର ମାଡୁନାହାନ୍ତି । ଆଉ ପିଲାମାନେ ବାପାମାଙ୍କ ସୁରକ୍ଷା ବଳୟ ଭିତରେ ପାଠ ପଢୁଛନ୍ତି ।ସୁନ୍ଦରୀର ଗତିିବିଧି ଅନୁଧ୍ୟାନ କରିବା ପାଇଁ ମଧ୍ୟପ୍ରଦେଶ ଜବଲପୁରରୁ ଆସିଥିବା ବିଶେଷଜ୍ଞ ଦଳ ସାତକୋଶିଆର ଭିତରକୁ ଯାଇଛି । କାହିଁକି ବାଘୁଣୀ ଜନବସତିକୁ ମୁହାଁଇଛି ଏହା ଅନୁଧ୍ୟାନ କରୁଛି ଟିମ୍ । ଅନୁମାନ କରାଯାଉଛି ସୁନ୍ଦରୀ ଟିକରପଡ଼ାଠାରୁ ଶହେ କିଲୋମିଟର ଦୂର ଅତିକ୍ରମ କରିସାରିଛି । ସବୁଠୁ ବଡ ପ୍ରଶ୍ନ -ଜଙ୍ଗଲରେ ରହିବ କିଏ, ମଣିଷ ନା’ ବାଘ ।